LIVE TV
LIVE TV

ସତରେ କ’ଣ ନୂଆ ଲେବର କୋଡ୍‌ ଶ୍ରମିକଙ୍କ ଅଧିକାର ଛଡ଼ାଇ ନେଲା ? ନା ଶ୍ରମିକଙ୍କ ଫାଇଦାରେ ହୋଇଛି ଏହି ସୁଧାର !

NEWS7
mohammed shami in trouble again for not observing roza

ନୂଆଦିଲ୍ଲୀ:ଚାକିରି ଆରମ୍ଭ କରିବା ସମୟରେ ହିଁ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି ପତ୍ରନିଯୁକ୍ତିଦାତା ଠିକ୍ ସମୟରେ ଦରମା ଦେବେ । ଦେଶବ୍ୟାପୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ ସର୍ବନିମ୍ନ ବେତନ । ସେମାନଙ୍କ ସାମାଜିକ ସୁରକ୍ଷା ବଢ଼ିବ । ଉଦ୍ୟୋଗଗୁଡ଼ିକରନିୟମ ଅନୁପାଳନ ବୋଝ ବି କମିବ । ଏଭଳି ପ୍ରତିଶ୍ରୁତି ସହ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ୪ ନୂଆ ଶ୍ରମ ଆଇନକୁ ଦେଶବ୍ୟାପୀ ଲାଗୁ କରିଛନ୍ତି। ‘ଆତ୍ମନିର୍ଭର ଭାରତ’ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଥିବାବେଳେଏହାକୁ ନେଇ ବିରୋଧ ବି ମୁଣ୍ଡ ଟେକିଛି। ଆଜି ଆସନ୍ତୁ ଜାଣିବା ଲେବର କୋଡ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ। ଏବଂ ଏହାର କାର୍ଯ୍ୟରତ ଶ୍ରମିକ ପାଇଁ କଣ ଲାଭ ଦେବ କଣ କ୍ଷତି।

ନିକଟରେ ସରକାର ପୁରୁଣା ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ଶେଷ କରି ଏହାକୁ ୪ଟି କୋଡ୍ରେ ପରିବର୍ତ୍ତନ କରିଛନ୍ତି। ଉକ୍ତ ୪ଟି ଶ୍ରମ କୋଡ୍ ହେଲା, କୋଡ୍ ଅନ୍ ୱେଜେସ-୨୦୧୯, ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ୍-୨୦୨୦, କୋଡ୍ ଅନ୍ ସୋସିଆଲ ସିକ୍ୟୁରିଟି-୨୦୨୦ ଏବଂ ଅକ୍ୟୁପେସ୍ନାଲ ସେଫ୍ଟି, ହେଲ୍ଥ ଆଣ୍ଡ୍ ୱାର୍କିଂ କଣ୍ଡିସନ୍ସ (ଓଏସ୍ଏଚ୍ଡବ୍ଲ୍ୟୁସି) କୋଡ୍-୨୦୨୦।

ସରକାର କହିଛନ୍ତି, ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଏକ ମଜଭୁତ ଶ୍ରମ-ଢାଞ୍ଚା ପ୍ରସ୍ତୁତ କରିବା, ଯାହା କେବଳ ଶ୍ରମିକମାନଙ୍କ ସୁରକ୍ଷା ବଢ଼ାଇବ ନାହିଁ, ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ପ୍ରତିଯୋଗିତାମୂଳକ ପରିବେଶ ତିଆରି କରିବ।ଭବିଷ୍ୟ ପାଇଁ ଏକ ଉତ୍ତମ ଲେବର (ଶ୍ରମ) ଇକୋସିଷ୍ଟମ ନିର୍ମାଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ।

ଶ୍ରମ ମନ୍ତ୍ରଣାଳୟ ଅନୁସାରେ, ନୂଆ କୋଡ୍ ଜରିଆରେ ସମସ୍ତ ଶ୍ରମିକ, ବିଶେଷକରି ଅନୌପଚାରିକ କ୍ଷେତ୍ର ବା ଇନଫର୍ମାଲ ସେକ୍ଟର ଯଥା- ଗିଗ୍ ୱାର୍କର, ପ୍ରବାସୀ ଶ୍ରମିକ ଏବଂ ମହିଳାଙ୍କ ପାଇଁ ଭଲ ଦରମା, ସାମାଜିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯିବ।ମହିଳାମାନେ ପୁରୁଷଙ୍କ ସମତୁଲ୍ୟ ଦରମା ପାଇବେ।କମିଟିଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବାଧ୍ୟତାମୂଳକ ହେବ।ନିର୍ଦ୍ଧାରିତ ସମୟ ମଧ୍ୟରେ କର୍ମଚାରୀଙ୍କ ସମସ୍ୟାର ସମାଧାନ ହେବ।ପ୍ରାୟ ୫୦ କୋଟିରୁ ଅଧିକ ଶ୍ରମିକ ଏଥିରେ ଉପକୃତ ହେବେ ବୋଲି ମନ୍ତ୍ରଣାଳୟ କହିଛି।

ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ, ସମସ୍ତ ଶ୍ରମିକଙ୍କୁ ଚାକିରି ଆରମ୍ଭ କରିବା ସମୟରେ ନିଯୁକ୍ତିପତ୍ର ଦିଆଯିବ, ଯାହାଦ୍ୱାରା ରୋଜଗାର ଏବଂ ସର୍ତ୍ତଗୁଡ଼ିକର ପାରଦର୍ଶିତା ବଢ଼ିବ। ଯେକୌଣସି କ୍ଷେତ୍ରର କର୍ମଚାରୀ ହେଲେ ବି ସମସ୍ତଙ୍କ ପାଇଁ ଲାଗୁ ହେବ ସର୍ବନିମ୍ନ ଦରମା, ଯାହାଦ୍ୱାରା କୌଣସି ଦରମା ଏତେ କମ୍ ରହିବ ନାହିଁ ଯେ, ଜୀବନ ଯାପନ କଷ୍ଟକର ହୋଇଯିବ। ନିଯୁକ୍ତିଦାତା କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବେ। ଏହା ନ କଲେ ଆଇନର ଉଲ୍ଲଂଘନ ଭାବେ ବିଚାର କରାଯିବ।

୪୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ଶ୍ରମିକଙ୍କ ପାଇଁ ନିଃଶୁଳ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ଅନିବାର୍ଯ୍ୟ ହେବ। ଏହାବ୍ୟତୀତ ଏକ ରାଷ୍ଟ୍ରୀୟ ଓଏସ୍ଏଚ୍ ବୋର୍ଡ ଜରିଆରେ ଉଦ୍ୟୋଗଗୁଡ଼ିକରେ ସୁରକ୍ଷା ମାନକକୁ ଠିକ୍ ଭାବେ ଲାଗୁ କରାଯିବ। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଏବେ ରାତ୍ରି ସିଫ୍ଟରେ କାର୍ଯ୍ୟ କରିପାରିବେ । କିନ୍ତୁ ଏଥିପାଇଁ ନିଯୁକ୍ତିଦାତାଙ୍କୁ ସୁରକ୍ଷା ଉପାୟ ଏବଂ ମହିଳାଙ୍କ ସହମତିକୁ ସୁନିଶ୍ଚିତ କରିବାକୁ ପଡ଼ିବ।

ସେହିଭଳି ଫିକ୍ସଡ-ଟର୍ମ କର୍ମଚାରୀ (ଅସ୍ଥାୟୀ କର୍ମଚଚାରୀ) ସ୍ଥାୟୀ କର୍ମଚାରୀଙ୍କ ଭଳି ସୁବିଧା ପାଇବେ। ଏହି ସୁବିଧାଗୁଡ଼ିକ ମଧ୍ୟରେ ରହିଛି ସାମାଜିକ ସୁରକ୍ଷା, ମେଡିକାଲ କଭର ଏବଂ ପେଡ୍ ଲିଭ୍ ଇତ୍ୟାଦି। ୫ ବର୍ଷ ପରିବର୍ତ୍ତେ କାର୍ଯ୍ୟର ବର୍ଷେ ପରେ ସେମାନେ ଗ୍ରାଚୁଇଟି ପାଇବେ । ଗ୍ରାଚ୍ୟୁଇଟି ସୀମାକୁ ମଧ୍ୟ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ଟିକସମୁକ୍ତ କରାଯାଇଛି। ଯାହା ପ୍ରତ୍ୟେକ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ।

ଗିଗ୍ କର୍ମଚାରୀ ବା ବିଭିନ୍ନ ଇନଫର୍ମାଲ ସେକ୍ଟରରେ କାର୍ଯ୍ୟରତ କର୍ମଚାରୀ ପ୍ରଥମ ଥର ପାଇଁ ଆଇନଗତ ପରିଚୟ ମିଳିବ। ସେମାନଙ୍କୁ ପିଏଫ୍, ପେନ୍ସନ, ବୀମା ଭଳି ସାମାଜିକ ସୁରକ୍ଷାର ଲାଭ ମିଳିପାରିବ ଏବଂ ପ୍ଲାଟ୍ଫର୍ମ କମ୍ପାନିଗୁଡ଼ିକୁ ଏଥିପାଇଁ ଯୋଗଦାନ ଦେବାକୁ ହେବ। ଅଧିକାଂଶ କ୍ଷେତ୍ରରେ ଦୈନିକ କାର୍ଯ୍ୟ ସମୟକୁ ୮-୧୨ ଘଣ୍ଟା ରଖାଯାଇଛି। ସପ୍ତାହକୁ ଏହା ୪୮ ଘଣ୍ଟା । ଓଭର୍ଟାଇମ୍ ପାଇଁ ଦୁଇଗୁଣା ଦରମା ମିଳିବାକୁ ଏଥିରେ ବ୍ୟବସ୍ଥା ରହିଛି।

ଶ୍ରମ ସୁରକ୍ଷା ଫ୍ରେମ୍ୱାର୍କରେ ସାମ୍ବାଦିକ, ଫ୍ରିଲାନ୍ସର, ଡବିଂ ଆର୍ଟିଷ୍ଟ ଏବଂ ମିଡିଆ ପେସାଦାରଙ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ସେମାନଙ୍କ ପାଇଁ ନିଯୁକ୍ତି ପତ୍ର, ଦରମା ସୁରକ୍ଷା ଏବଂ ନିୟନ୍ତ୍ରିତ କାର୍ଯ୍ୟ ସମୟ ସୁନିଶ୍ଚିତ ହେବ। ଏବେ ଅନେକ ପ୍ରକାର ପଞ୍ଜୀକରଣ ଏବଂ ରିପୋର୍ଟିଂ ବଦଳରେ ଏକକ ଲାଇସେନ୍ସ, ଏକକ ରିଟର୍ଣ୍ଣ ମଡେଲ ଆସିବ। ଫଳରେ କମ୍ପାନିଗୁଡ଼ିକର ଅନୁପାଳନ ବୋଝ କମିବ। ଏହାବ୍ୟତୀତ ନୂଆ ବ୍ୟବସ୍ଥାରେ ‘ଇନ୍ସପେକ୍ଟର-କମ୍-ଫ୍ୟାସିଲିଟେଟର’ ରହିବେ, ଯେଉଁମାନେ ଅଧିକ ମାର୍ଗଦର୍ଶନ ଦେବେ, ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନୁହେଁ। ଏହି କୋଡ୍ଗୁଡ଼ିକ ଦ୍ୱାରା କର୍ମଚାରୀଙ୍କୁ ବ୍ୟାପକ ସାମାଜିକ ସୁରକ୍ଷା ଏବଂ ସମ୍ମାନ ମିଳିବ। ଉଦ୍ୟୋଗଗୁଡ଼ିକୁ କମ୍ ଜଟିଳତା ଏବଂ ଭଲ ପୁଞ୍ଜି ନିବେଶର ଅବସର ମିଳିବ।

ପିଏମ ମୋଦୀ କହିଛନ୍ତି ୪ ନୂଆ ଶ୍ରମ ଆଇନ ସାର୍ବଜନିକ ସାମାଜିକ ସୁରକ୍ଷା ପାଇଁ ଏକ ମଜଭୁତ ମୂଳଦୁଆ ପ୍ରଦାନ କରିବ ଏବଂ କର୍ମଚାରୀଙ୍କ ଅଧିକାରଙ୍କୁ ସୁରକ୍ଷା ପ୍ରଦାନ କରିବ। ଏହା ଆମ ଶ୍ରମିକ ବା କର୍ମଚାରୀମାନଙ୍କୁ ସଶକ୍ତ କରିବ ଏବଂ ଅନୁପାଳନକୁ ସରଳ କରିବା ସହିତ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍କୁ ତ୍ୱରାନ୍ୱିତ କରିବ । ଏହି ୪ ଶ୍ରମ କୋଡ୍ର କାର୍ଯ୍ୟକାରିତା ସର୍ବନିମ୍ନ ଦରମା ଏବଂ ଠିକ୍ ସମୟରେ ଦରମା ପ୍ରଦାନକୁ ସୁନିଶ୍ଚିତ କରିବ। ନୂଆ ଲେବର କୋଡ ଲାଗୁ ହେବା ପରେ ଲେବର ସହ ଜଡ଼ିତ ନିୟମ ସଂଖ୍ୟା ୧୪୦୦ରୁ ପାଖାପାଖି ୩୫୦କୁ ହ୍ରାସ ପାଇବ। ସେହିଭଳି ଏ ଦିଗରେ କମ୍ପାନୀ ପୂରଣ କରୁଥିବା ଫର୍ମ ସଂଖ୍ୟା ୧୮୦ରୁ ୭୫କୁ କମିଯିବ। ଏଥିରେ ବିଜନେଶ ଉପରେ ଲେଗୁଲେଟରି ବୋଝ ବହୁତ କମିଯିବ।

ନୂଆ ଶ୍ରମ ଆଇନ କ'ଣ ତାହା ତ'ଜାଣିଲେ... ପ୍ରକୃତରେ ଏହି କୋଡ୍ ୨୦୨୦ ମସିହାରେ ପାସ୍ ହୋଇଥିଲା,କିନ୍ତୁ ନିୟମ ପ୍ରଣୟନରେ ବିଳମ୍ବ ହୋଇଥିଲା। ଏବେ ରାଜ୍ୟଗୁଡ଼ିକୁ ମଧ୍ୟ ସେହି ଅନୁସାରେ ସେମାନଙ୍କର ନିୟମଗୁଡ଼ିକୁ ଅପଡେଟ୍ କରିବାକୁ ପଡ଼ିବ। ଏହା ଦ୍ୱାରା ଶ୍ରମିକ ଶ୍ରେଣୀକୁ ଅନେକ ଫାଇଦା ମିଳିବା ନେଇ ସରକାର ଦାବି କରୁଛନ୍ତି। ହେଲେ ଏହାକୁ ନେଇ ଅନେକ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି। ତେବେ ଏହି ବିରୋଧ କିଏ ଏବଂ କାହିଁକି କରୁଛନ୍ତି?ପଢ଼ନ୍ତୁ ରିପୋର୍ଟ...

ପାଞ୍ଚ ବର୍ଷ ତଳେ ସଂସଦ ଦ୍ୱାରା ଅନୁମୋଦିତ ୪ ଶ୍ରମ ସଂହିତାକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି। ବ୍ରିଟିଶ ଉପନିବେଶବାଦୀ ଶାସନ ସମୟର କିଛି କାର୍ଯ୍ୟ ନିୟମକୁ ସରଳ କରିବା ସହିତ ନିବେଶ ପାଇଁ ସର୍ତ୍ତାବଳୀରେ କିଛି କୋହଳ କରାଯାଇଛି। ଯଦିଓ ଏକାଧିକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ରହିଛି, ତେବେ ଏଥିରେ ଏପରି ନିୟମ ରହିଛି, ଯାହା କମ୍ପାନୀଗୁଡ଼ିକ ପାଇଁ କର୍ମଚାରୀମାନଙ୍କୁ ବହିଷ୍କାର କରିବା ସହଜ କରିବ ଏବଂ ଆଇନଗତ ଭାବରେ ଶ୍ରମିକମାନଙ୍କ ପାଇଁ ଧର୍ମଘଟ କରିବା ବି ମୁସ୍କିଲ ହେବ। ପୂର୍ବରୁ ୧୦୦ କିମ୍ବା ତା’ଠାରୁ ଅଧିକ ଶ୍ରମିକ ଥିବା କାରଖାନାଗୁଡ଼ିକୁ କର୍ମଚାରୀମାନଙ୍କୁ ଛଟେଇ କରିବା ପୂର୍ବରୁ ସରକାରଙ୍କ ଅନୁମତି ଆବଶ୍ୟକ ହେଉଥିଲା। ଏବେ, ସେହି ସୀମାକୁ ୩୦୦କୁ ବୃଦ୍ଧି କରାଯାଇଛି। ଏବଂ ମହିଳାମାନଙ୍କ ପାଇଁ କାରଖାନାରେ ଅଧିକ କାମ କରିବା ସମୟ ବଢ଼ାଇବା ଏବଂ ରାତି କାମ କରିବାକୁ ଅନୁମତି ଦିଆଯାଇଛି। ଯାହାକୁ ନେଇ ବିରୋଧ ତେଜିଛି।

ନୂଆ ଲେବର କୋଡକୁ ଟ୍ରେଡ୍ ୟୁନିୟନ ତୀବ୍ର ବିରୋଧ କରିଛି। ଭାରତର ଦଶଟି ବଡ଼ ଟ୍ରେଡ୍ ୟୁନିୟନ ଲେବର କୋଡ୍ ପ୍ରଣୟନକୁ ନିନ୍ଦା କରିବା ସହିତ ଏହା ଶ୍ରମିକମାନଙ୍କ ବିରୁଦ୍ଧରେ ଏକ ପ୍ରତାରଣାପୂର୍ଣ୍ଣ ଠକେଇ ବୋଲି କହିଛି। ନିୟମ ପ୍ରତ୍ୟାହାର କରିବା ଦାବିରେ ସଂଘ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ବି କରିଥିଲା। ବିଶେଷକରି ବାମପନ୍ଥି ଟ୍ରେଡ ୟୁନିୟନଗୁଡ଼କି ଏହି ଆନ୍ଦୋଳନ କରିଥିଲେ ବୋଲି କୁହାଯାଉଛି। ସେମାନଙ୍କର କହିବା କଥା ହେଲା ଏହି ଆଇନ କେବଳ ନିଯୁକ୍ତି ଦେଉଥିବା କମ୍ପାନୀକୁ ଲାଭ ଦେବ, ଶ୍ରମିକଙ୍କ ଶୋଷଣ ହେବ।

ଏନେଇ ପ୍ରଶ୍ନ ଉଠାଇଛନ୍ତି CITU (ଭାରତୀୟ ବାଣିଜ୍ୟ ସଂଘ କେନ୍ଦ୍ର)ର ଜାତୀୟ ସଚିବ ସୁଦୀପ ଦତ୍ତ। ଶ୍ରମିକଙ୍କ ପାଇଁ ଲକ୍ଷ ଲକ୍ଷ ଅଭିଯୋଗ ମାମଲା ପଡ଼ି ରହିଛି। ମାମଲା ପଞ୍ଜିକୃତ ହେଉ ନାହିଁ। ଶ୍ରମିକମାନେ ସେମାନଙ୍କର ଅଭିଯୋଗ ଦାଖଲ କରିପାରୁ ନାହାଁନ୍ତି। ଏଭଳି ସ୍ଥଳେ ସରକାର ଏମିତି ଏକ ନିୟମ ଆଣି କାହିଁକି ଏକ ବିଶାଳ ବର୍ଗର କର୍ମଚାରୀଙ୍କୁ ବାଦ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ନୂଆ ନିୟମରେ ଶ୍ରମିକଙ୍କୁ ବିକ୍ଷୋଭ କରିବାର ପୂର୍ବରୁ ୧୪ ଦିନିଆ ନୋଟିସ ଦେବାକୁ କୁହାଯାଉଛି। ଯାହା କେବଳ ସରକାରୀ କମ୍ପାନୀ ଉପରେ ଲାଗୁ ହେଉଥିଲା, ଏଥିରେ ଶ୍ରମିକଙ୍କ କେଲେକ୍ଟିଭ ବାର୍ଗେନିଂ କରିବାର କ୍ଷମତାକୁ ଛଡ଼େଇ ନିଆଯାଉଛି ବୋଲି ବିବିସିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି।

୪ ଲେବର କୋଡର ଅନୁପାଳନ ପରେ ଭାରତୀୟ ୱାର୍କଫୋର୍ସ ଗତି କେଉଁଆଡ଼େ ଯିବ?କାହାର ଅଧିକାର ହନନ ହେବ ଓ କାହିଁକି ଏହାକୁ କିଛି ନିର୍ଦ୍ଦିଷ୍ଟ ସଂଘ ବିରୋଧ କରୁଛନ୍ତି ସେ ବିଷୟରେ ଆଲୋଚନା କଲେ । ଏବେ ଆସନ୍ତୁ ଜାଣିବା ବିଶେଷଜ୍ଞ ଏ ନେଇ କଣ କହୁଛନ୍ତି।

ଏନେଇ ଫାଇନାନ୍ସିଆଲ୍ କମ୍ପାନୀ ନୋମୁରା ବିବିସିକୁ ପ୍ରତିକ୍ରିୟା ଦେଇ କହିଛି ଯେ ଏହା ସରକାରଙ୍କର ବ୍ୟାପକ ଆର୍ଥିକ ସୁଧାରର ଏକ ଅଂଶ। ବ୍ୟବସାୟକୁ ସହଜ କରିବା ଏବଂ ଅଧିକ ବିଦେଶ ପୁଞ୍ଜି ନିବେଶ ଆକୃଷ୍ଟ କରିବା ସହ ଗ୍ଲୋବାଲ ଭାଲ୍ୟୁ ଚେନ୍ରେ ସାମିଲ୍ ହେବା ଦିଗରେ ଏହି ନିଷ୍ପତ୍ତି ନିଆଯାଇଛି। ଛଟେଇ ପାଇଁ ଲେବର ସଂଖ୍ୟାକୁ ୩ ଗୁଣା ବଢାଇବା ଦ୍ୱାରା କମ୍ପାନୀଗୁଡ଼ିକୁ ବଡ଼ ବଡ଼ କାରଖାନା ନିର୍ମାଣ କରିବା, ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ସମୟ ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ପାଇଁ ଉତ୍ସାହିତ କରିପାରେ।

କଲମ୍ବିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତିଜ୍ଞ ତଥା ଭାରତ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପାନଗାରିଆ ଟାଇମ୍ସ ଅଫ୍ ଇଣ୍ଡିଆରେ ଏକ ଆର୍ଟିକିଲ୍ରେ ନୂଆ ନିୟମକୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ ୧୦୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ଥିବା ପ୍ୟାକ୍ଟ୍ରିଗୁଡ଼ିକରେ ଛଟେଇକୁ ବାରଣ କରିବାର ପୁରୁଣା ନିୟମ କଠୋର ଥିଲା। ଫଳରେ ବାଂଲାଦେଶ, ଭିଏତନାମ ଏବଂ ଚୀନ୍ ପରି ଦେଶ ତୁଳନାରେ ଭାରତର କମ୍ପିଟିସନରେ ବାଧା ସୃଷ୍ଟି ହେଉଥିଲା। ସେ ଆହୁରି ଲେଖିଛନ୍ତି ଯେ ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତକୁ ଏକ ନମନୀୟ ଶ୍ରମ ବଜାର ବା ଫ୍ଲେକ୍ସବଲ ଲେବର ମାର୍କେଟର ଆବଶ୍ୟକତା ରହିଛି। ଯାହା ଚୀନ ଦଶନ୍ଧି ପୂର୍ବେ ଲାଗୁ କରି ନିଜ ମାର୍କେଟ୍ ପାଇଁ ପୁଞ୍ଜି, ଟେକ୍ନୋଲୋଜୀ ଏବଂ ୱାର୍ଲ୍ଡ ରିଲେସନ ସୁଧାରି ପାରିଛି। ଏଥିରେ ଚୀନର ଅର୍ଥନୈତିକ ପ୍ରଗତି ହୋଇଛି।

ହେଲେ ବିବିସିକୁ ପ୍ରତିକ୍ରିୟା ଦେଇ ଅର୍ଥନୀତିଜ୍ଞ ପ୍ରଫେସର ଅରୁଣ କୁମାର କହିଛନ୍ତି, ଶ୍ରମ ପ୍ରତିବନ୍ଧକ ଯୋଗୁ ପ୍ରାଇଭେଟ ଇନଭେଷ୍ଟମେଣ୍ଟ କମୁ ନାହିଁ। ବରଂ ଚାହିଦାର ଅଭାବ ଯୋଗୁ କମୁଛି। କାରଣ ଭାରତରେ ମଜୁରୀ ବହୁତ କମ ମୁଳୁଛି। ଏଥିପାଇଁ ବହୁ ସଂଖ୍ୟାରେ ଡିମାଣ୍ଡ କମୁଛି। ଫଳରେ ନିବେଶ କରିବାକୁ ପ୍ରୋତ୍ସାହନ ମିଳୁ ନାହିଁ। ତେଣୁ ଏ ଦିଗରେ ନୂଆ ଲେବର ଆଇନ କୌଣସି ପ୍ରଭାବ ପକାଇବ ନାହିଁ। ବରଂ ଟେକ୍ନୋଲୋଜୀ ପାଇଁ ଚାକିରି ଯାଉଥିବା ସମୟରେ ଏହା ଶ୍ରମିକଙ୍କ ବାର୍ଗେନିଂ ପାୱାର ଦୁର୍ବଳ କରିଦେବ।

ଯଦିଓ ଏନେଇ ବିଭିନ୍ନ ବିଶେଷଜ୍ଞଙ୍କର ମତ ପାର୍ଥକ୍ୟ ରହିଛି, ତେବେ ମୋଟାମୋଟି ଭାବରେ ପୁରୁଣା ଆଇନ ହଟାଇବାରେ ସପକ୍ଷରେ ଅଧିକ ଯୁକ୍ତି ବାଢ଼ିଛନ୍ତି। ପୁରୁଣା ଏବଂ ଜଟିଳ କୋଡ଼ ଦ୍ୱାରା ପ୍ରାୟତଃ ନିରୀକ୍ଷକମାନେ କାରଖାନା ମାଲିକମାନଙ୍କୁ ହଇରାଣ କରିବା ପାଇଁ ବ୍ୟବହାର କରୁଥିଲେ। ତେଣୁ ଏହାର ସରଳୀକରଣର ଆବଶ୍ୟକତା ଥିଲା ବୋଲି କୁହାଯାଉଛି। ସେହିପରି ଟ୍ୟାକ୍ସ, ଟେକ୍ନୋଲୋଜୀ, ସର୍ଭିସ ମ୍ୟାନେଜ୍ ଏଜେନ୍ସି ବିଡିଓ ଇଣ୍ଡିଆ କହିଛି ଯେ କମ୍ପାନୀଗୁଡ଼ିକ ବର୍ତ୍ତମାନ ନିଜର ବେତନ ଢାଞ୍ଚା, ଏଚ୍ ଆର୍ ସିଷ୍ଟମ, ସାମାଜିକ ସୁରକ୍ଷା ନିୟମ ଏବଂ ନିୟମ ଅନୁପାଳନ ଫ୍ରେମୱାର୍କରେ ପରିବର୍ତ୍ତନ କରିବା ଉଚିତ୍।ସେପଟେ ନୂଆ ଲେବର କୋଡ ଲାଗୁ ହେବା ଦ୍ୱାରା ଦେଶର ଶ୍ରମ ଶକ୍ତି ବିଶ୍ୱସ୍ତରୀୟ ହେବ ବୋଲି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି।କେବଳ ସେତିକି ନୁହେଁ, ଏହି ସଂଶୋଧନ ଦ୍ୱାରା ବେରୋଜଗାରୀ ହାର କମିବ ଓ କଞ୍ଜପସନ ବଢ଼ିବ, ଯାହା ଦେଶର ଅର୍ଥନୀକୁ ମଜଭୁତ କରିବ ବୋଲି ଏସ୍ବିଆଇ ରିସର୍ଚ୍ଚ ରିପୋର୍ଟରେ କହିଛି

ମଙ୍ଗଳବାର ଏସ୍ବିଆଇ ନୂଆ ଲେବର କୋଡ ନେଇ ଏକ ରିସର୍ଚ୍ଚ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ଯଦି ସବୁକିଛି ଠିକ ରହିଲା ତେବେ କିଛି ସଂକ୍ଷିପ୍ତ ଉତ୍ଥାନପତ୍ତନ ପରେ ମଧ୍ୟମ ଅବଧିରେ ନୂଆ ଶ୍ରମ ସଂହିତା ଦେଶରେ ବେକାରୀ ହାରକୁ ୧.୩ ପ୍ରତିଶତ ହ୍ରାସ କରିବ। ବର୍ତ୍ତମାନ ତଥ୍ୟ ଦେଖିଲେ ଶ୍ରମଶକ୍ତି ଅଂଶଗ୍ରହଣ ହାର (୧୫ ବର୍ଷ +) ଅଧିକ ବୟସ ପାଇଁ ୬୦.୧ ପ୍ରତିଶତ ରହିଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୱାର୍କିଂ ଏଜେ ପପୁଲେସନ ୭୦.୭ ପ୍ରତିଶତ ରହିଛି। ଏହି ଆଧାରରେ ହିସାବ କଲେ ନୂଆ ଲେବର କୋଡ କାର୍ଯ୍ୟକାରୀ ଦ୍ୱାରା ଦେଶର ୭୭ ଲକ୍ଷ ଲୋକଙ୍କ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବ।

ଏନେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରୁପ ଇକୋନୋମିକ ଆଡଭାଇଜର ମୁଖ୍ୟ ଡକ୍ଟର ସୌମ୍ୟକାନ୍ତି ଘୋଷ କହିଛନ୍ତି ପ୍ରାୟ ୩୦ ପ୍ରତିଶତ ସଞ୍ଚୟ ହାର ସହିତ, ଏହି ନୂଆ ଲେବର ଆଇନର କାର୍ଯ୍ୟକାରୀତା ପରେ ପ୍ରତି ବ୍ୟକ୍ତି ଦୈନିକ ଅଧିକ ୬୬ ଟଙ୍କା ଖର୍ଚ୍ଚ କରିବେ। ମୋଟାମୋଟି ହିସାବରେ ଲୋକେ ପ୍ରାୟ ୭୫,୦୦୦ କୋଟି ଟଙ୍କାର କଞ୍ଜପସନ ହେବ। ତେଣୁ, ନୂଆ ଶ୍ରମ କୋଡ୍ କାର୍ଯ୍ୟକାରୀ ହେଲେ ଲୋକେ ଅଧିକ ଖର୍ଚ୍ଚ କରିବେ, ଏହା ଅର୍ଥନୀତିକୁ ବଳ ଦେବ।

ନୂଆ ଶ୍ରମ ସଂହିତା ଶ୍ରମିକ ଏବଂ ଉଦ୍ୟୋଗ ଉଭୟଙ୍କୁ ସଶକ୍ତ କରିବ। ଯେଉଁଥିରେ ଏକ ଏମିତି ୱାର୍କଫୋର୍ସ ତିଆରି ହେବ ଯାହା ସୁରକ୍ଷିତ ଓ ଉତ୍ପାଦନକ୍ଷମ ହେବ, କାମର ବଦଳୁଥିବା ବିଶ୍ୱ ଦୃଶ୍ୟପଟ ସହିତ ସମନ୍ୱୟ ରକ୍ଷା କରିବ। ଯାହା ଅଧିକ ସ୍ଥିର, ପ୍ରତିଯୋଗିତାମୂଳକ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ପାଇଁ ପଥ ପ୍ରଶସ୍ତ କରିବ।

ଭାରତରେ ପ୍ରାୟ ୪୪ କୋଟି ଲୋକ ଅଣସଂଗଠିତ କ୍ଷେତ୍ର(ଅନ ଅର୍ଗାନାଇଜ୍ଡ ସେକ୍ଟର)ରେ କାମ କରୁଛନ୍ତି। ସେଥିମଧ୍ୟରୁ ପ୍ରାୟ ୩୧ କୋଟି ଅଣସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଅଛନ୍ତି। ତେଣୁ ଯଦି ଧରି ନିଆଯାଏ ଯେ ୨୦ ପ୍ରତିଶତ ଇନଫର୍ମାଲ ପେ-ରୋଲ୍ରୁ ଫର୍ମାଲ ବା ଆନୁଷ୍ଠାନିକ ପେରୋଲ୍କୁ ସ୍ଥାନାନ୍ତରିତ ହୁଅନ୍ତି ତବେ ଏହା ପ୍ରାୟ ୧୦ କୋଟି ହିତାଧିକାରୀଙ୍କୁ ଲାଭ ଦେବ। ଆଗାମୀ ୨-୩ ବର୍ଷ ମଧ୍ୟରେ ଭାରତର ସାମାଜିକ ସୁରକ୍ଷା କଭରେଜ୍ ୮୦-୮୫ ପ୍ରତିଶତରେ ପହଞ୍ଚିପାରେ ବୋଲି ଏସ୍ବିଆଇ କହିଛି।

ପରିୟଡିକ ଲେବର ସର୍ଭେ ଅନୁସାରେ, ଭାରତରେ ଫର୍ମାଲ ଶ୍ରମିକଙ୍କ ଅଂଶ ୬୦.୪ ପ୍ରତିଶତ ଆକଳନ କରାଯାଇଛି। ଶ୍ରମ କୋଡ୍ କାର୍ଯ୍ୟକାରୀ ହେବା ପରେ ଫର୍ମାଲାଇଜେସନ ହାରରେ ୧୫.୧ ପ୍ରତିଶତ ବୃଦ୍ଧି ଘଟିବ, ଯାହା ଲେବର ମାର୍କେଟର ଫର୍ମାଲାଇଜେସନ ବା ଆନୁଷ୍ଠାନିକକରଣକୁ ୭୫.୫ ପ୍ରତିଶତକୁ ବୃଦ୍ଧି କରିବ। ଗୋଟିଏ ଅର୍ଥରେ କହିବାକୁ ଗଲେ ଦେଶରେ ୭୫.୫ ପ୍ରତିଶତ ଶ୍ରମ ବଳ ଆନୁଷ୍ଠାନିକ ଭାବେ କାର୍ଯ୍ୟ କରିବେ।

ଭାରତର ଉତ୍ପାଦନ ଅଭିବୃଦ୍ଧି ଏବଂ ନିବେଶ ଉପରେ ନୂଆ ନିୟମର ପ୍ରଭାବ ବର୍ତ୍ତମାନ ଅସ୍ପଷ୍ଟ ରହିଥିବା ବେଳେ ହଠାତ ପରିସ୍ଥିତିରେ ଏହି ପରିବର୍ତ୍ତନ କମ୍ପାନୀଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।