ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଭାରତରେ ମୋବାଇଲ୍ ଫୋନ୍ ପ୍ରଡକ୍ସନ ଭାଲ୍ୟୁ ପ୍ରାୟ ୧୪୬% ବୃଦ୍ଧି ପାଇଛି। ଯାହା ୨୦୨୦-୨୧ ଆର୍ଥିକ ବର୍ଷରେ ୨,୧୩,୭୭୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୫,୨୫,୦୦୦ କୋଟି ଟଙ୍କା ହୋଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ସମାନ ୪ ବର୍ଷରେ ମୂଲ୍ୟ ଅନୁସାରେ ମୋବାଇଲ୍ ଫୋନ୍ ରପ୍ତାନୀ ପ୍ରାୟ ୭୭୫% ବୃଦ୍ଧି ପାଇଛି, ଯାହା ୨୦୨୦-୨୧ ଆର୍ଥିକ ବର୍ଷରେ ୨୨,୮୭୦ କୋଟି ଟଙ୍କାରୁ ୨୦୨୪-୨୫ ଆର୍ଥିକ ବର୍ଷରେ ୨,୦୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଏକ ଲିଖିତ ଉତ୍ତରରେ, ଗୋୟଲ କହିଛନ୍ତି ଯେ ପିଏଲଆଇ ଏବଂ ଜାତୀୟ ଶିଳ୍ପ କରିଡର ଯୋଜନା ଦ୍ୱାରା ଅଭିବୃଦ୍ଧି ହୋଇଛି। ଏହି ପଦକ୍ଷେପଗୁଡ଼ିକ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ସହ ନିଯୁକ୍ତି ସୃଷ୍ଟି ସାଙ୍ଗକୁ ରପ୍ତାନି ମଧ୍ୟ ବଢ଼ାଇଛି। ପିଏଲଆଇ ଯୋଜନା ବିଶ୍ୱ ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ଭାରତକୁ ଉତ୍ପାଦନ ସ୍ଥାନାନ୍ତର କରିବାକୁ ଉତ୍ସାହିତ କରିଛି। ଫଳରେ ଭାରତକୁ ମୋବାଇଲ୍ ଫୋନ୍ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବରେ ଛିଡ଼ା କରାଇବାରେ ସାହାଯ୍ୟ କରିଛି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ପିଏଲଆଇ ଯୋଜନା ଯୋଗୁ, ଔଷଧ କ୍ଷେତ୍ରରେ କଞ୍ଚାମାଲ ଆମଦାନୀରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଭାରତରେ ପେନିସିଲିନ୍-ଜି ସମେତ ଅନନ୍ୟ ମଧ୍ୟବର୍ତ୍ତୀ ସାମଗ୍ରୀ ଏବଂ ବଲ୍କ ଔଷଧ ଉତ୍ପାଦନ କରାଯାଉଛି। କେବଳେ ସିତିକି ନୁହେଁ ସିଟି ସ୍କାନ, ଏମ୍ଆରଆଇ ଇତ୍ୟାଦି ଭଳି ଚିକିତ୍ସା ଉପକରଣ ନିର୍ମାଣରେ ଟେକ୍ନୋଲୋଜୀ ହସ୍ତାନ୍ତର ହୋଇଛି।
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ(ହ୍ୱାଇଟ୍ ଗୁଡ୍ସ) ପାଇଁ ପିଏଲ୍ଆଇ ଯୋଜନାର ଲକ୍ଷ୍ୟ ହେଉଛି ଭାରତରେ ଏୟାର କଣ୍ଡିସନର ଏବଂ ଏଲଇଡି ଲାଇଟ୍ ଶିଳ୍ପ ପାଇଁ ଏକ ଦୃଢ଼ ଉପକରଣ ଇକୋସିଷ୍ଟମ ବିକଶିତ କରିବା। ଦେଶକୁ ବିଶ୍ୱ ଯୋଗାଣ ଶୃଙ୍ଖଳର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗଢ଼ି ତୋଳିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏବି ଯୋଜନାର ଶୁଭାରମ୍ଭ ପରେ, ଭାରତ ମୁଖ୍ୟ ଉପାଦାନ ଯେପରିକି କମ୍ପ୍ରେସର, ତମ୍ବା ଟ୍ୟୁବ୍, ହିଟ୍ ଏକ୍ସଚେଞ୍ଜର, ମୋଟର ଏବଂ ଏୟାର କଣ୍ଡିସନର ପାଇଁ କଣ୍ଟ୍ରୋଲ ଆସେମ୍ବଲି, ଏବଂ ଏଲଇଡି ଚିପ୍ ପ୍ୟାକେଜିଂ, ଡ୍ରାଇଭର, ଇଞ୍ଜିନ, ଲାଇଟ ମ୍ୟାନେଜମେଣ୍ଟ ସିଷ୍ଟମ ଏବଂ ଏଲଇଡି ସେଗମେଣ୍ଟରେ କାପାସିଟର ପାଇଁ ମେଟାଇଲାଜ୍ଡ ଫିଲ୍ମ(କାପାସିଟର ଚାରିପଟର ଧାତବ ଆବରଣ) ସ୍ଥାନୀୟ ଉତ୍ପାଦନ ଆରମ୍ଭ କରିଛି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାର ମେକ୍ ଇନ୍ ଇଣ୍ଡିଆ ୨.୦ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି, ଯାହା ବର୍ତ୍ତମାନ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ୨୭ଟି କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛି। ତା’ ସହିତ ଦେଶରେ ଉତ୍ପାଦନ ନିବେଶକୁ ସହଜ କରିବା ପାଇଁ ସରକାର ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ (NICDP) ଅଧୀନରେ ୨୮,୬୦୨ କୋଟି ଟଙ୍କା ବ୍ୟୟବରାଦରେ ୧୨ଟି ନୂଆ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।
ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ପ୍ୟାକେଜଗୁଡ଼ି ବ୍ୟତୀତ ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଭିତ୍ତିଭୂମି ପାଇପଲାଇନ ଏବଂ ଜାତୀୟ ମୁଦ୍ରୀକରଣ ପାଇପଲାଇନ, ଭାରତ ଶିଳ୍ପ ଜମି ବ୍ୟାଙ୍କ, ଶିଳ୍ପ ପାର୍କ ମୂଲ୍ୟାଙ୍କନ ସିଷ୍ଟମ, ଜାତୀୟ ସିଙ୍ଗଲ ୱିଣ୍ଡୋ ସିଷ୍ଟମର ସଫ୍ଟ ଲଞ୍ଚ ଇତ୍ୟାଦି ଆପଣାଯାଇଛି ବୋଲି ପିୟୂଷ ଗୋୟଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି।