ଭାରତୀୟ ଜେଲକୁ ମସୁଦ ଅଜହରର ଭୟ: ଭୁଲିପାରିନି ୯୦ ଦଶକର ଯନ୍ତ୍ରଣା, ଅଡିଓ କ୍ଲିପ୍ ଭାଇରାଲ

NEWS7
missing-youth-died-in-railway-track-in-rairangpur

ନୂଆଦିଲ୍ଲୀ: ଭାରତୀୟ ଜେଲକୁ ମସୁଦ ଅଜହରର ଭୟ। ଭୁଲିପାରିନି ୯୦ ଦଶକର ଯନ୍ତ୍ରଣା। କଳାପାଣି ପରି ଦଣ୍ଡ। ମାଡ଼ କଥା ମନେପଡ଼ିଲେ ଦେହ ଥରୁଛି…. ଲୁହ ଗଡ଼ାଉଛି ଭାରତର ସବୁଠୁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଅଜହର। ସୋସିଆଲ ମିଡିଆରେ ଭାଇରାଲ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିବା ଦାବି କରାଯାଇଛି। ଭାରତରେ କୁଖ୍ୟାତ ଆତଙ୍କୀଙ୍କୁ କିପରି କଳାପାଣି ଦଣ୍ଡ ଦିଆଯାଉଥିଲା, ଅଡିଓରେ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ମସୁଦ। ଅଡିଓରେ ଅଜହର ଭାବପ୍ରବଣ ଏବଂ ଭୟଭୀତ ସ୍ୱରରେ ପୂରା କାହାଣୀ କହିଛି।

1990 ଦଶକରେ ମସୁଦ ଏବଂ ତାର ସାଥୀ କଏଦୀମାନେ ଜମ୍ମୁର ଉଚ୍ଚ ସୁରକ୍ଷାଯୁକ୍ତ ଭାଲୱାଲ ଜେଲରୁ ଖସିଯିବାକୁ ପ୍ଲାନ କରିଥିଲେ। ଏଥିପାଇଁ ସେମାନେ ଜେଲ ଭିତରେ ଧାରୁଆ ପଦାର୍ଥ ସଂଗ୍ରହ କରିଥିଲେ। କିଛି ସପ୍ତାହ ଧରି କଠିନ ପରିଶ୍ରମ କରିବା ପରେ ଏକ ସୁଡ଼ଙ୍ଗ ଖୋଳିଥିଲେ। ସୁଡ଼ଙ୍ଗ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଥିଲା। ଖସିଯିବାର ତାରିଖ ସ୍ଥିର ହୋଇସାରିଥିଲା, କିନ୍ତୁ ସେହି ଦିନ ଜେଲ ଅଧିକାରୀମାନେ ଏ ପ୍ଲାନ୍ ବିଷୟରେ ଜାଣିଦେଇଥିଲେ। ଯୋଜନା ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଗଲା। ସମସ୍ତଙ୍କୁ ବନ୍ଦୀ କରାଯାଇଥିଲା।

ବନ୍ଦୀ ହେବା ପରେ ଅଜହର ଏବଂ ତାଙ୍କ ସାଥୀମାନଙ୍କୁ ଦିଆଯିଇଥିଲା ଯମ ଦଣ୍ଡ। ଅଜହର ଏବଂ ତା ସାଥୀମାନଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା ଏପରିକି ସେମାନଙ୍କ ସମଗ୍ର ଶରୀର ରକ୍ତରେ ଆଚ୍ଛାଦିତ ହୋଇଯାଇଥିଲା। ଦେହର ପ୍ରାୟ ଅଂଶ ରୁଟି ପରି ଫୁଲି ଯାଇଥିଲା। ସେମାନଙ୍କୁ ଖାଦ୍ୟ ଦେବାରୁ ବଞ୍ଚିତ କରାଯାଇଥିଲା। ଟଏଲେଟ୍ ଯିବାକୁ ଦିଆଗଲା ନାହିଁ। ଚବିଶ ଘଣ୍ଟା ସେମାନଙ୍କୁ ଶିକୁଳିରେ ବାନ୍ଧି ରଖାଯାଇଥିଲା। ଜେଲର ଦଣ୍ଡ ଏତେ କଠୋର ଥିଲା ଯେ ଦୈନନ୍ଦିନ ଜୀବନ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଥିଲା।

ପଚରାଉଚରା ସମୟରେ ତାଙ୍କୁ ଶିକୁଳିରେ ବାନ୍ଧି ନିରନ୍ତର ନିର୍ଯାତନା ଦିଆଯାଇଥିଲା। ଅଧିକାରୀ ସେମାନଙ୍କୁ ବାରମ୍ବାର ଖୋଳିବା ଉପକରଣ ଏବଂ ସେଗୁଡ଼ିକ କେଉଁଠାରୁ ଆସିଲା ସେ ବିଷୟରେ ପଚାରିଥିଲେ। ଅଜହର କହିଛି ଏହି ଘଟଣାର ଭୟ ଏବଂ ମାନସିକ ଆଘାତ ଏବେ ବି ତାଙ୍କ ସହିତ ରହିଛି। ଏହି ସ୍ମୃତିଗୁଡ଼ିକୁ ବର୍ଣ୍ଣନା କରି ସେ ଭାଙ୍ଗି ପଡ଼ିଥିବା କହିଛି। କହିଛି ଯେ ଜେଲ ଅଧିକାରୀଙ୍କ ଭୟ ଏବେ ବି ତାଙ୍କୁ ଘାରି ରହିଛି। ଏହି ସମୟରେ ଅଜହର ଶକ୍ତି ଏବଂ ବଞ୍ଚିବା ପାଇଁ ପ୍ରାର୍ଥନା କରିଥିଲା। ତତ୍କାଳୀନ ଅଧିକାରୀଙ୍କୁ "ଅତ୍ୟନ୍ତ କଠୋର" ଏବଂ "ନିଷ୍ଠୁର" ବୋଲି କହିଛି ମସୁଦ।

୧୦ ଜୁଲାଇ ୧୯୬୮ରେ ପାକିସ୍ତାନର ବାହାୱାଲପୁରରେ ମସୁଦ ଅଜହରର ଜନ୍ମ। ସେ କରାଚୀର ଏକ ମଦ୍ରାସାରେ ପାଠ ପଢ଼ିଥିଲା। ଆଫଗାନିସ୍ତାନରେ ସୋଭିଏତ୍ ସେନା ବିରୁଦ୍ଧରେ ଲଢ଼ିଥିଲା। ପରେ ସେ ହରକତ-ଉଲ୍-ଅନସାର ସଂଗଠନରେ ଯୋଗ ଦେଇଥିଲା। ଫେବୃଆରୀ ୧୯୯୪ରେ ସେ ଏକ ନକଲି ପର୍ତ୍ତୁଗୀଜ୍ ପାସପୋର୍ଟ ବ୍ୟବହାର କରି ଭାରତରେ ପ୍ରବେଶ କରିଥିଲା ଜମ୍ମୁ ଓ କାଶ୍ମୀରରେ ଜିହାଦ ପ୍ରସାର କରିବା ଏବଂ ଆତଙ୍କବାଦୀମାନଙ୍କୁ ନିଯୁକ୍ତି କରିବାକୁ ଚେଷ୍ଟା କରିଥିଲା। ତାକୁ ଅନନ୍ତନାଗରେ ଗିରଫ କରାଯାଇଥିଲା। ୧୯୯୪ ରୁ ୧୯୯୯ ପର୍ଯ୍ୟନ୍ତ ଜେଲରେ ରଖାଯାଇଥିଲ। ପ୍ରଥମେ ଶ୍ରୀନଗରରେ, ତା'ପରେ ଦିଲ୍ଲୀର ତିହାର ଜେଲରେ ଏବଂ ଶେଷରେ ଜମ୍ମୁର କୋଟ ଭାଲୱାଲ ଜେଲରେ।

ଡିସେମ୍ବର ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ IC-814 ଅପହରଣ ପରେ ଭାରତ ସରକାର ଯାତ୍ରୀମାନଙ୍କୁ ମୁକ୍ତ କରିବା ପାଇଁ ମସୁଦକୁ ମୁକ୍ତ କରିଥିଲେ। ମୁକ୍ତି ପରେ ସେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଗଠନ କରିଥିଲା। ୨୦୦୧ ସଂସଦ ଆକ୍ରମଣ, ପୁଲୱାମା ଆକ୍ରମଣ, ପହଲଗାମ ଆକ୍ରମଣ ଏବଂ ଅନେକ ପ୍ରମୁଖ ଆତଙ୍କବାଦୀ ଘଟଣା ପାଇଁ ଦାୟୀ ମସୁଦ। ସେ ଭାରତର ସବୁଠାରୁ ୱାଣ୍ଟେଡ୍ ଆତଙ୍କବାଦୀ ଏବଂ ଜାତିସଂଘ ଦ୍ୱାରା ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି। ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୁରରେ ଜୈଶ ଆତଙ୍କବାଦୀ ସଂଗଠନକୁ ଅଧା ଧୂଳିସାତ କରିଦେଇଛି ଭାରତୀୟ ସେନା।