ଯାଜପୁର ୧୯/୪: ରାଜଧାନୀର କେଶବ ପରେ ମୟୂରଭ଼ଞ୍ଜର ଆଦ୍ୟାଶା । ଶିଶୁକୁ ଖୋଜିଦେଲେ କିନ୍ନର । ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଲକ ମହ୍ଲାରପଦା ଗାଁର ୪ ବର୍ଷର ଶିଶୁ କନ୍ୟା ଆଦ୍ୟାଶା ଉଦ୍ଧାର । ଯାଜପୁର ରୋଡ୍ ଥାନା କାଚହୁଡି ସାହିରୁ ଜଣେ ଛଦ୍ମବଶୀ କିନ୍ନର ଠାରୁ ଉଦ୍ଧାର କରିଛନ୍ତି କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତା । ୨ ପିଲା ଚୋରକୁ ଧରି ଥାନାରେ ପହଞ୍ଚିଛି କିନ୍ନର ସଂଘ । ୨ ଅଭିଯୁକ୍ତ କିନ୍ନର ବେଶରେ ପିଲା ଚୋରି କରିଥିବା ଅଭିଯୋଗ ହୋଇଛି । ଅପହରଣକାରୀ ଲିପୁ ନାୟକ ଓ ତାର ସହଯୋଗୀକୁ ଅଟକ ରଖି ତଦନ୍ତ କରୁଛି ଯାଜପୁର ରୋଡ୍ ପୋଲିସ ।
୧୭ ତାରିଖ ସଂଧ୍ୟାରେ ଠାକୁରମୁଣ୍ଡା ଅଞ୍ଚଳରୁ ୪ ବର୍ଷର ଶିଶୁ କନ୍ୟା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପିଲାକୁ ଜଣେ କିନ୍ନର ନେଇଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ୧୭ ତାରିଖ ସଂଧ୍ୟାରେ ମହ୍ଲାରପଦା ଗାଁର ସିପି ପାତ୍ର ୪ବର୍ଷର ଝିଅ ଆଦ୍ୟାଶାକୁ ନେଇ ଠାକୁରମୁଣ୍ଡା ଯାତ୍ରା ଦେଖିବାକୁ ଆସିଥିଲେ । ରାତି ପ୍ରାୟ ୧୦ ଟା ସମୟରେ ସେ ଶୌଚ ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ । ଯିବା ସମୟରେ ପାଖରେ ବସିଥିବା ଜଣେ କିନ୍ନର ପାଖରେ ଛୁଆକୁ ଛାଡିଥିଲେ । ୧୫ ମିନିଟ ପରେ ଆସିବା ବେଳକୁ ସେଠାରେ କିନ୍ନର ନଥିଲା କି ଝିଅ ନଥିଲା । ଯାହାକୁ ଦେଖି ତାଙ୍କ ମୁଣ୍ଡ କାମ କରିନଥିଲା । ସେ ବିକଳ ହୋଇ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ । ଆଖପାଖରେ ଲୋକଙ୍କୁ ପଚାରିଥିଲେ ମଧ୍ୟ କେହି କିଛି କହିପାରିନଥିଲେ ।
ତେବେ ମାର୍କେଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ସ୍ପଷ୍ଟ ଜଣାପଡିଥିଲା ଛୁଆଟି କିନ୍ନର ପଛେ ପଛେ ଯାଉଛି । ସେହି କିନ୍ନର ଏକ ଗୋଲାପୀ ଶାଢି ପିନ୍ଧିଥିବାବେଳେ ବାମ ପଟ ବେକରେ ଏକ ଟାଟୁ ଥିବା ଠାକୁରମୁଣ୍ଡା ପୋଲିସକୁ ଜଣାଇଥିଲେ ସିପ୍ରା । ଅଭିଯୋଗ ପରେ ଛାନ୍ଭିନ୍ କରିଦେଇଥିଲା ପୋଲିସ । ପିଲାଟିକୁ ଜଣେ କିନ୍ନର ନେଉଥିବାର ସ୍ପଷ୍ଟ ହେବା ପରେ କିନ୍ନର ସଂଘର ସହାୟତା ଲୋଡିଥିଲା ପୋଲିସ । ଶେଷରେ ଯାଜପୁର କାଚହୁଡି ସାହିରୁ ଶିଶୁ କନ୍ୟା ଉଦ୍ଧାର ହୋଇଛି । ୨ ଅଭିଯୁକ୍ତ ଶାଢି ପିନ୍ଧି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । କେବଳ ସେତିକି ନୁହେଁ ଉଭୟ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିବା ନେଇ ଥାନାରେ ଏତଲା ଦେଇଛି କିନ୍ନର ସଂଘ । କିଛି ଦିନ ତଳେ ଭୁବନେଶ୍ବର ରାମମନ୍ଦିର ସମ୍ମୁଖରୁ ଜଣେ ଦୃଷ୍ଟିବାଧିତ ମାଆ ନିକଟରୁ ଦେଢ ବର୍ଷର ଶିଶୁ ପୁତ୍ର କେଶବ ଚୋରି ହୋଇଯାଇଥିଲା । ୩ଦିନର ଛାନ୍ଭିନ୍ ପରେ କେଶବକୁ ବାଲେଶ୍ବରରୁ ଉଦ୍ଧାର କରିଥିଲା ଭୁବନେଶ୍ବର କମିଶନରେଟ୍ ପୋଲିସ । ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଥିଲା ।