ଟ୍ରମ୍ପଙ୍କ ବିଦେଶ ନୀତିରେ ବଡ଼ ଧରଣର ଅଦଳବଦଳ, ୨୯ ଦେଶରୁ ଫେରିବେ ଆମେରିକୀୟ ରାଜଦୂତ

NEWS7
miscreants-shoot-at-school-bus

ୱାସିଂଟନ ୨୨।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ୨୯ ଦେଶରୁ ନିଜ ରାଜଦୂତଙ୍କୁ ଫେରାଇ ଆଣିଛନ୍ତି। ଏହି ସବୁ ରାଜଦୂତଙ୍କୁ ବାଇଡେନଙ୍କ ପ୍ରଶାସନ ମୁତୟନ କରିଥିଲା। ଏଥିରେ ଟ୍ରମ୍ପ ପ୍ରଶାସନର କହିବା କଥା ହେଉଛି ଦେଶର ବିଦେଶ ନୀତିରେ ପରିବର୍ତ୍ତନ ହେଉଛି ଓ ଚାହୁଁଛି ରାଜଦୂତମାନେ ‘ଆମେରିକା ଫାଷ୍ଟ’ ନୀତିକୁ ସମର୍ଥନ କରନ୍ତୁ। ଏଥିରେ ପ୍ରଭାବିତ ଦେଶଙ୍କ ମଧ୍ୟରେ ଆଫ୍ରିକା, ଏସିୟା, ୟୁରୋପ ଓ ମଧ୍ୟପ୍ରାଚ୍ୟ ଦେଶ ରହିଛନ୍ତି।

ଆମେରିକା ରାଷ୍ଟ୍ରପତି ୩୦ ଅନୁଭବୀ ଦୂତାବାସଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି ଓ ସେମାନଙ୍କୁ ଫେରସ୍ତ ଡକାଇ ନେଇଛନ୍ତି। ଯେଉଁ ଡିପ୍ଲୋମାଟଙ୍କୁ ଟ୍ରମ୍ପ ପ୍ରଶାସନ ଫେରାଇ ନେଇଛି ସେମାନଙ୍କ ନିଯୁକ୍ତି ବାଇଡେନ ପ୍ରଶାସନରେ ହୋଇଥିଲା। ତେବେ ଏମାନେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଏ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଆସୁଥିଲେ। ବିଦେଶ ବିଭାଗ ଅଧିକାରୀଙ୍କ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଗତ ସପ୍ତାହରେ ଅନୁନ୍ୟ ୨୯ ଦେଶରେ ମୁତୟନ ରାଜଦୂତଙ୍କୁ ସେମାନଙ୍କ ସେବା ଜାନୁୟାରୀରେ ସମାପ୍ତ ହେଉଥିବା ସୂଚିତ କରିଦିଆଯାଇଥିଲା। ଏମାନଙ୍କୁ ଗତ ବୁଧବାରଠାରୁ ୱାସିଂଟନ ଅଧିକାରୀଙ୍କଠାରୁ ନୋଟିସ୍ ମିଳିବା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଆମେରିକୀୟ ରାଷ୍ଟ୍ରଦୂତମାନେ ରାଷ୍ଟ୍ରପତିଙ୍କ ଇଛାନୁସାରେ କାମ କରନ୍ତି। ଏମାନେ ସାଧାରଣତଃ ୩ରୁ ୪ ବର୍ଷ ପର୍ଯ୍ୟନ୍ତ ନିଜ ପଦବୀରେ ଥାନ୍ତି। ତେବେ ଏହି ଅଦଳବଦଳରେ ପ୍ରଭାବିତ ରାଜଦୂତମାନଙ୍କ ଚାକିରୀ ପ୍ରତି କୌଣସି ବିପଦ ନାହିଁ। ସେମାନେ ଚାହିଁଲେ ଅନ୍ୟ କାର୍ଯ୍ୟଭାର ସମ୍ଭାଳିବା ପାଇଁ ୱାସିଂଟନ ଫେରି ପାରନ୍ତି। ହେଲେ ନିଷ୍ପତ୍ତି ଯୋଗୁ କେତେ ଡିପ୍ଲୋମାଟ ପ୍ରଭାବିତ ହେବେ ସେ ନେଇ ଷ୍ଟେଟ ଡିପାର୍ଟମେଣ୍ଟ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ତେବେ ବିଦେଶ ବିଭାଗ ଏହାକୁ ସ୍ୱଭାବିକ ପ୍ରକ୍ରିୟା ବୋଲି କହିଛି।

ଏହି ନିଷ୍ପତ୍ତିର ସବୁଠୁ ଅଧିକ ପ୍ରଭାବ ଆଫ୍ରିକୀୟ ଦେଶଙ୍କ ଉପରେ ପଡିଛି। କାରଣ ଆଫ୍ରିକାର ୧୩ ଦେଶ ବୁରୁନ୍ଦୀ, କ୍ୟାମେରୁନ, କେପ ଭର୍ଡେ, ଗବାନ, ଆଇଭରି କୋଷ୍ଟ, ମାଡଗାସ୍କର, ମରିସସ, ନାଇଜର, ନାଇଜେରିଆ, ରୁଆଣ୍ଡା, ସେନେଗଲ, ସୋମାଲିଆ ଓ ୟୁଗାଣ୍ଡାରୁ ରାଜଦୂତଙ୍କୁ ଫେରସ୍ତ ଡକାଯାଇଛି। ସେହିପରି ଏସିଆର ୬ ଦେଶ ଫିଜି, ଲାଓସ, ମାର୍ଶଲ ଆଇଲ୍ୟାଣ୍ଡସ, ପାପୁଆ ନ୍ୟୁଗିନି, ଫିଲପାଇନ୍ସ ଓ ଭିଏତନାମରେ ମୁତୟନ ଆମେରିକୀୟ ରାଜଦୂତ ମଧ୍ୟ ବଦଳିବେ। ସେହିପରି ୟୁରୋପରେ ଆର୍ମେନିଆ, ନର୍ଥ ମାସିଡୋନିଆ, ମୋଣ୍ଟେନେଗ୍ରୋ ଓ ସ୍ଲୋଭାକିଆ ଏହି ସୂଚୀରେ ସାମିଲ।

ଏହା ଛଡା ମଧ୍ୟ ପ୍ରାଚ୍ୟର ଦୁଇ ଦେଶ ନେପାଳ ଓ ଶ୍ରୀଲଙ୍କା, ପଶ୍ଚିମ ଗୋଲାର୍ଦ୍ଧର ଦୁଇ ଦେଶ ଗ୍ୱାଟାମେଲା ଓ ସୁରିନାମରୁ ମଧ୍ୟ କରିୟର ଡିପ୍ଲୋମାଟସଙ୍କୁ ଫେରସ୍ତ ଡକାଯାଇଛି।