ବଡ଼ ଯୁଦ୍ଧର ଆଶଙ୍କା ! ଅଏଲ୍ ଟ୍ୟାଙ୍କର ପଛରେ ପଡ଼ିଲା ଆମେରିକା, ସବମରିନ୍ ପଠାଇଲା ରୁଷ୍

NEWS7
miscreants-looted-gold-and-cash-biding-couple-in-sambalpur

ନୂଆଦିଲ୍ଲୀ: ଭେନେଜୁଏଲାରେ ଆକ୍ରମଣ କରି ଆମେରିକା ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା । ଏହାକୁ ନେଇ ବିଶ୍ବରେ ସ୍ଥିତି ଖରାପ ହେଉଥିବା ବେଳେ, ଆଉ ଏକ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି । ଆମେରିକା ଏବଂ ରୁଷ ମୁହାଁମୁହିଁ ହୋଇପାରନ୍ତି । ଖାଲି ତେଲ ଟ୍ୟାଙ୍କରକୁ ଆମେରିକା ପିଛା କରିବା ପରେ, ରୁଷର ନିଜର ଯୁଦ୍ଧପୋତ ପଠାଇଛି। ଏପରିକି ମସ୍କୋ ନିଜର ନୌସେନାର ଜାହଜ ମୁତୟନ କରିଥିବା କୁହାଯାଉଛି ।

ଭେନେଜୁଏଲା ନିକଟରେ ଏକ ଖାଲି ଏବଂ କଳଙ୍କି ଲାଗିଥିବା ତେଲ ଟ୍ୟାଙ୍କରକୁ ସୁରକ୍ଷା ଦେବାକୁ ରୁଷ ଏହି ଯୁଦ୍ଧପୋତ ପଠାଇଛି। ତେବେ ଆମେରିକା ଦ୍ବାରା ପ୍ରତିବନ୍ଧିତ ତୈଳ ଟ୍ୟାଙ୍କରଗୁଡ଼ିକ ଥିବା ଅଞ୍ଚଳକୁ ଏହି ଖାଲି ଟ୍ୟାଙ୍କର ପଶିବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ ହୋଇଛି । ହି ତେଲ ଟ୍ୟାଙ୍କର ରୁଷର ଏବଂ ଏହା ଭେନେଜୁଏଲାରୁ ତେଲ ଆଣିବାକୁ ଯାଉଥିଲା । ରୁଷ ପତାକା ଲାଗିଥିବା ବେଲା-୧ (ଏବେ ମାରିନେରା) ତୈଳ ଟ୍ୟାଙ୍କରକୁ ଆମେରିକାର ତଟରକ୍ଷୀ ବାହିନୀ ଘଉଡ଼ାଇ ଦେଇଛି ବୋଲି ଓ୍ବାଲଷ୍ଟ୍ରିଟ୍ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ଭେନେଜୁଏଲା ନିକଟରେ ଆମେରିକା ଦ୍ୱାରା ପିଛା କରାଯାଉଥିବା ଏକ ପୁରୁଣା ତେଲ ଟ୍ୟାଙ୍କରକୁ ସୁରକ୍ଷା ଦେବା ପାଇଁ ରୁଷ ଏକ ବୁଡ଼ାଜାହାଜ ପଠାଇଥିଲା। ଅଶୋଧିତ ତୈଳ ଲୋଡ୍ କରିବା ପାଇଁ ଭେନେଜୁଏଲାରେ ଡକିଂ କରିପାରି ନଥିବା ଟ୍ୟାଙ୍କରକୁ ଆମେରିକା ତଟରକ୍ଷୀ ବାହିନୀ ଆଟଲାଣ୍ଟିକରେ ପିଛା କରିଥିଲା। ଯଦିଓ ଜାହାଜଟି ଖାଲି ଥିଲା, କିନ୍ତୁ ଏହାକୁ ଅଶୋଧିତ ତୈଳର କଳାବଜାରୀ ପାଇଁ ବ୍ୟବହାର କରାଯାଉଥିବା ସନ୍ଦେହରେ ଆମେରିକା ଏହାର ପିଛା କରିଥିଲା ।

ଟ୍ୟାଙ୍କର୍ ବେଲା-୧ ଅଶୋଧିତ ତୈଳ ଲୋଡ୍ କରିବା ପାଇଁ ଭେନେଜୁଏଲା ଯାଇଥିଲା। ଯେତେବେଳେ ଆମେରିକୀୟ ତଟରକ୍ଷୀ ବାହିନୀ ଏହାକୁ ଅଟକାଇବାକୁ ଚେଷ୍ଟା କଲା, ଜାହାଜଟି ଉତ୍ତର ଦିଗକୁ ପଳାଇଥିଲା। ଏହା ପରେ, ଜାହାଜର ନାମ ବଦଳାଇ ମାରିନେରା ରଖି ଦିଆଗଲା। ବର୍ତ୍ତମାନ ଏହା ଆଇସଲ୍ୟାଣ୍ଡରୁ ୩୦୦ ମାଇଲ ଦକ୍ଷିଣରେ ଅଛି ଏବଂ ରୁଷର ବନ୍ଦର ଅଭିମୁଖେ ଯାଉଛି। ଏହାର ପିଛା ନକରିବାକୁ କହିଥିଲା ରୁଷ । କିନ୍ତୁ ଆମେରିକୀୟ ତଟରକ୍ଷୀ ବାହିନୀ ପଛକୁ ହଟି ନଥିଲା । ଏହା ପରେ ରୁଷିଆ ବୁଡ଼ାଜାହାଜ ଏବଂ ଅନ୍ୟାନ୍ୟ ନୌସେନା ଜାହାଜ ପଠାଇ ଟ୍ୟାଙ୍କରକୁ ସୁରକ୍ଷା ଦେଇଥିଲା।

 

ରୁଷୀୟ ଗଣମାଧ୍ୟମ RT ଟ୍ୟାଙ୍କରର ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ଆମେରିକାର ଜାହାଜ ଟ୍ୟାଙ୍କରକୁ ପିଛା କରୁଥିବା ଦେଖିବାକୁ ମିଳିଛି । ଉତ୍ତର ଆଟଲାଣ୍ଟିକରେ ଝଡ଼ ପରିସ୍ଥିତିରେ ରୁଷିଆ ପତାକା ବହନ କରୁଥିବା ଟ୍ୟାଙ୍କରକୁ ଅଟକାଇବା ପାଇଁ ଆମେରିକୀୟ ତଟରକ୍ଷୀ ବାହିନୀ ପ୍ରୟାସ କରିଥିଲା ବୋଲି ଆରଟି ଟ୍ବିଟ କରିଛି ।