#Strait_of_Hormuz : ଇରାନର ଆକ୍ରମଣ ଦେଖି ଚୀନ୍ ଛାନିଆ, ବଦଳାଇଦେଲା ନିଜ ଜାହାଜର ଗତିପଥ

NEWS7
miscreants-have-allegedly-looted-gold-and-silver-ornaments-from-a-widows-house-in-konark

ନୂଆଦିଲ୍ଲୀ, ୧୩ /୦୩: ଇରାନ କବଜାରେ ଥିବା ହୋର୍ମୁଜ ପ୍ରଣାଳୀରେ ଭାରତମୁହାଁ ଥାଇ ଜାହାଜ ଉପରେ ଆକ୍ରମଣ ପରେ ଚୀନ୍ ସତର୍କ ହୋଇଯାଇଛି । ଥାଇ ଜାହାଜ ଉପରେ ଆକ୍ରମଣ ଖବର ପାଇବା କ୍ଷଣି ଚୀନ୍ ନିଜ ଜାହାଜର ଗତିପଥ ବଦଳାଇ ଦେଇଛି । ଏହା ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ତଟ ଅଭିମୁଖେ ଫେରିଯାଇଛି ।

ରିପୋର୍ଟ ମୁତାବକ, ଚୀନର କାର୍ଗୋ ଜାହାଜ ‘ହ୍ୟାଲନ୍ ଜର୍ନି’ ବୁଧବାର ହୋର୍ମୁଜ ଅଭିମୁଖେ ଯାଉଥିଲା । ଏହା ସାଉଦି ଆରବର ଜୁବୈଲ ବନ୍ଦରରୁ ସଲଫର ନେଇ ବାହାରିଥିଲା । ମାର୍ଚ୍ଚ ୧୧ ସକାଳେ ଅଚାନକ ଜାହାଜଟି ନିଜ ଗତିପଥ ପରିବର୍ତ୍ତନ କରିଥିଲା । ଥାଇ ଜାହାଜ ‘ମୟୂରୀ ନାରୀ’ ଉପରେ ଇରାନ ଆକ୍ରମଣ କରିବା ପରେ ଏହା କ୍ଷତିଗ୍ରସ୍ତ ହୋଇଥିଲା । ଓମାନର ନୌସେନା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨୦ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଥିଲା । ୩ ଜଣ ନିଖୋଜ ହୋଇଯାଇଥିଲେ । ଇରାନର ଏହି ଆକ୍ରମଣକୁ ଥାଇଲାଣ୍ଡ ସରକାର ନିନ୍ଦା କରିଛନ୍ତି । ଦେଶର ବିଦେଶ ମନ୍ତ୍ରଣାଳୟ ଇରାନର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି । ବୈଠକରେ ଆକ୍ରମଣ ସହ ଜଡ଼ିତ ତଥ୍ୟ ବାବଦରେ ଚର୍ଚ୍ଚା ହେବା ନେଇ କୁହାଯାଇଛି । ଏହି ଆକ୍ରମଣ ଲାଗି ଥାଇ ସରକାର ଇରାନଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ତରଫରୁ ମିଳିତ ଆକ୍ରମଣ ପରେ ଇରାନ କଠୋର ଆଭିମୁଖ୍ୟ ଆପଣାଇଛି । କୌଣସି ହମଲାକୁ ଏହା ଖାତିର ନ କରି ଜୋରଦାର ଜବାବ ଦେଇଚାଲିଛି । ସବୁଠୁ ବଡ଼ କଥା ହେଲା ଏହା ହୋର୍ମୁଜ ପ୍ରଣାଳୀକୁ ରୋକିଦେଇଛି । ଆମେରିକା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକର ଜାହାଜ ଉପରେ ଆକ୍ରମଣ ଜାରି ରହିବା ନେଇ ଏହା ଚେତାବନୀ ଦେଇଛି । ସେବେଠାରୁ ହୋର୍ମୁଜ ପ୍ରଣାଳୀ ଆଉ ସୁରକ୍ଷିତ କରିଡର ହୋଇ ରହି ନାହିଁ । ଏହାଦ୍ୱାରା ବିଶ୍ୱବ୍ୟାପୀ ଶକ୍ତି ସଂକଟ ଦେଖାଦେଇଛି ।