LIVE TV

‘ପକ୍ଷପାତପୂର୍ଣ୍ଣ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’, ମୃତ୍ୟୁ ଦଣ୍ଡାଦେଶ ଉପରେ ଶେଖ୍ ହସିନାଙ୍କ ପ୍ରଥମ ପ୍ରତିକ୍ରିୟା

NEWS7
miscreants-beaten-by-villagers-in-balipatna

ନୂଆଦିଲ୍ଲୀ: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଇସିଟି ଦ୍ୱାରା ଦୋଷୀ ସାବ୍ୟସ୍ତ ଓ ଫାଶୀ ଦଣ୍ଡାଦେଶ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ଦ୍ୱାରା ଦିଆଯାଇଥିବା ମୃତ୍ୟୁଦଣ୍ଡକୁ "ସମ୍ପୂର୍ଣ୍ଣ ପକ୍ଷପାତପୂର୍ଣ୍ଣ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବେଆଇନ" ବୋଲି କହିଛନ୍ତି । ଦଣ୍ଡ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ଦେଇ ୭୮ ବର୍ଷୀୟା ଶେଖ୍ ହସିନା କହିଛନ୍ତି, ଏହି ନିଷ୍ପତ୍ତି ଗୋଟିଏ ମିଛ ଏବଂ ତଥାକଥିତ କୋର୍ଟରୁ ଆସିଛି ଯାହାକୁ କୌଣସି ଜନାଦେଶ ମିଳି ନାହିଁ ।

ଶେଖ୍ ହସିନା ୨୦୨୪ ଅଗଷ୍ଟ ୫ରୁ ଭାରତରେ ଶରଣ ନେଉଛନ୍ତି । ଗତ ବର୍ଷ ଛାତ୍ରଙ୍କ ହିଂସାତ୍ମକ ପ୍ରଦର୍ଶନ ବେଳେ ମାନବତା ବିରୋଧୀ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ରାୟ ଉପରେ ପ୍ରତିକ୍ରିୟା ଦେଇ ହସିନା କହିଛନ୍ତି, "ମୁଁ ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରୁଛି । ମୋ ଅନୁପସ୍ଥିତିରେ ଏହି ମୋକଦ୍ଦମା ଚାଲିଥିଲା, ମୋତେ ନିଜକୁ ରକ୍ଷା କରିବାର ସୁଯୋଗ ଦିଆଯାଇ ନଥିଲା କିମ୍ବା ମୋ ପସନ୍ଦର ଓକିଲ ରଖିବାକୁ ଅନୁମତି ଦିଆଯାଇ ନଥିଲା।"

ସେ କହିଛନ୍ତି, "ଆଇସିଟିରେ ଆନ୍ତର୍ଜାତୀୟ ପରି କିଛି ନାହିଁ । ଏହି ଟ୍ରିବ୍ୟୁନାଲ୍ କେବଳ ଆୱାମୀ ଲିଗ୍ ସଦସ୍ୟଙ୍କୁ ଟାର୍ଗେଟ୍ କରୁଛି । ବିରୋଧୀ ଦଳଗୁଡ଼ିକ ଦ୍ୱାରା କରାଯାଇଥିବା ହିଂସାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛି ।" ହସିନା ଆହୁରି ମଧ୍ୟ କହିଛନ୍ତି, "ବିଶ୍ୱର କୌଣସି ସମ୍ମାନିତ ଏବଂ ଆଇନ ବିଶେଷଜ୍ଞ ବାଂଲାଦେଶରେ ଏହି ଆଇସିଟିକୁ ସ୍ୱୀକୃତି ଦେବେ ନାହିଁ । ଏହାର ଉଦ୍ଦେଶ୍ୟ ହେଉଛି ବାଂଲାଦେଶର ଶେଷ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ହଟାଇବା ଏବଂ ଆୱାମୀ ଲିଗ୍କୁ ରାଜନୈତିକ ଭାବରେ ନଷ୍ଟ କରିବା ।"

ଶେଖ୍ ହସିନା ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ "ଅସାମ୍ବିଧାନିକ ଭାବରେ କ୍ଷମତା ଦଖଲ କରିବା ଏବଂ ଉଗ୍ରବାଦୀ ଶକ୍ତିକୁ ସମର୍ଥନ କରିବା" ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ୟୁନୁସଙ୍କ ଶାସନରେ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦମନ କରାଯାଉଛି, ଅନେକ ଗୁଳିକାଣ୍ଡ ହେଉଛି ଏବଂ ସାମ୍ବାଦିକମାନଙ୍କୁ ହଇରାଣ କରାଯାଉଛି । ସେ ଦାବି କରିଛନ୍ତି ଯେ ମହମ୍ମଦ ୟୁନୁସଙ୍କ ସମର୍ଥକମାନେ ସାରା ଦେଶରେ ଆୱାମୀ ଲିଗ୍ ନେତା ଏବଂ କର୍ମୀଙ୍କ ଶହ ଶହ ଘର, ଦୋକାନ ଏବଂ ସମ୍ପତ୍ତି ନଷ୍ଟ କରିଛନ୍ତି ।

ଶେଖ୍ ହାସିନା ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ୧୪୦୦ରୁ ଅଧିକ ମୃତକଙ୍କ ସଂଖ୍ୟାକୁ ଖଣ୍ଡନ କରିଛନ୍ତି । ବାଂଲାଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେବଳ ୬୧୪ ପରିବାରକୁ ସହାୟତା ପ୍ରଦାନ କରି ସେମାନଙ୍କୁ ସହିଦ ମାନ୍ୟତା ଦେଇଛି । ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ସାକ୍ଷୀମାନଙ୍କୁ ସେମାନଙ୍କର ବୟାନ ରେକର୍ଡ କରିବା ପାଇଁ ଚାପ ପକାଯାଇଥିଲା । ହସିନା କହିଛନ୍ତି, "ମୁଁ ଏକ ନିରପେକ୍ଷ ଅନ୍ତର୍ଜାତୀୟ ଅଦାଲତରେ ମୋ ବିରୁଦ୍ଧରେ ଥିବା ଅଭିଯୋଗ ଲଢ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଯେଉଁଠାରେ ପ୍ରମାଣ ନିରପେକ୍ଷ ଭାବରେ ଯାଞ୍ଚ କରାଯାଇପାରିବ । ୟୁନୁସ ସରକାର ମୋ ମାମଲାକୁ ଅନ୍ତର୍ଜାତୀୟ ଅପରାଧ ଅଦାଲତ ଯିବାକୁ ଦେଉନାହାନ୍ତି, କାରଣ ସେମାନେ ଜାଣନ୍ତି ମୁଁ ସେଠାରେ ଦୋଷମୁକ୍ତ ହେବି ।"