ମାଲକାନଗିରି ୨୨।୦୭ : ମାଲକାନଗିରିରେ ଲଜ୍ଜା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ନାବାଳିକାଙ୍କ ପରିବାର ପକ୍ଷରୁ ମାଲକାନଗିରି ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।
ଖବର ଅନୁଯାୟୀ, ନାବାଳିକା ଜଣଙ୍କ ସୋମବାର ସଂଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ କରିବା ଲାଗି ତାଙ୍କ ଘରକୁ ଯାଇଥିଲେ । ସେଠାରୁ ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ । ପରିବାର ଲୋକେ ଝିଅକୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା ।ଶେଷରେ ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥର ବିଜାଘାଟି ନିକଟରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଦେଖିଥିଲେ କିଛି ଲୋକ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରି ଶକ୍ତି ସଦନ ଗୃହରେ ରଖାଯାଇଛି । ଏହାସହ ଟ୍ରକ ଚାଳକଙ୍କୁ ଥାନାରେ ଅଟକ ରଖାଯାଇଛି । ସେପଟେ ଏହି ଘଟଣାକୁ ନେଇ ପୀଡିତାଙ୍କ ମା ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ।