ଚଣ୍ଡିଖୋଲ ୧୯।୬: ରାଜ୍ୟରେ ଅଣାୟତ୍ତ ଡାଇରିଆ ସ୍ଥିତି । ଡାଇରିଆ ପ୍ରବଣ ୩ ଜିଲ୍ଲା ଉପରେ ଦିଆଯାଉଛି ଅଧିକ ଫୋକସ୍ । ଯାଜପୁର ଜିଲ୍ଲା ମଧ୍ୟ ଫୋକସ୍ରେ ରହିଛି । ଯାଜପୁର ଜିଲ୍ଲା ଧର୍ମଶାଳା ମେଡିକାଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଧର୍ମଶାଳା ମେଡିକାଲରେ ୪୦ରୁ ଉର୍ଦ୍ଧ୍ବ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ମନ୍ତ୍ରୀ ସେଠାରେ ପହଞ୍ଚି ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ । ରୋଗୀ ମାନଙ୍କୁ ସଠିକ୍ ଚିକିତ୍ସା ଦିଆଯାଉଛି କି ନାହିଁ ସେ ନେଇ ରୋଗୀ ଓ ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଣ୍ଟ୍ରାଲ ଟିମ୍, ରାଜ୍ୟ ଟିମ୍ ବିଭିନ୍ନ ସ୍ଥାନରେ ପାଣିର ଉତ୍ସ ଯାଞ୍ଚ କରୁଛନ୍ତି । ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା କମୁଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କୁ ସଚେତନ କରାଯାଇଛି । ମନ୍ତ୍ରୀଙ୍କ ସହ ଧର୍ମଶାଳା ବିଧାୟକ ଓ ସାଂସଦ ଉପସ୍ଥିତ ରହିଥିଲେ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ଧର୍ମଶାଳା ମେଡିକାଲରେ ପହଞ୍ଚି ସ୍ଥିତି ପରଖିଥିଲେ । ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ସେପଟେ ମଙ୍ଗଳବାର ରାତିରେ ଯାଜପୁର ରୋଡ୍ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପୂର୍ବରୁ ମଧ୍ୟ ଏହି ମେଡିକାଲରେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଜିଲ୍ଲାରେ ଡାଇରିଆ ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆକ୍ରାନ୍ତଙ୍କ ହିଷ୍ଟ୍ରି ସଂଗ୍ରହ କରିବା ସହ ମେଡିକାଲ ଅଫିସର, ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରିଥିଲେ । ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ମଧ୍ୟ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବୁଧବାର ଜିଲ୍ଲାରେ ନୂଆ ଆକ୍ରାନ୍ତ ଭର୍ତ୍ତି ହେବା ସଂଖ୍ୟା ହ୍ରାସ ପାଇଥିବା କହିଥିଲେ ଜିଲ୍ଲାପାଳ । ଜିଲ୍ଲାରେ ମୋଟ୍ ୨୩୩ ଜଣ ଡାଇରିଆ ରୋଗୀ ଜିଲ୍ଲା ହେଡକ୍ବାର୍ଟର ସମେତ ୧୩ଟି ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଲୋକଙ୍କୁ ୪ଟି ମୁଖ୍ୟ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ମୁଖ୍ୟତଃ କୂଅ ପୋଖରୀ ବା ନଦୀ ଜଳ ସିଧାସଳଖ ବ୍ୟବହାର ନକରିବାକୁ କହିଥିଲେ । ସର୍ବଦା ଫୁଟା ପାଣି ବ୍ୟବହାର କରିବା, ବାସି ଖାଦ୍ୟ ସେବନ ବନ୍ଦ କରିବା, ଖାଇବା ପୂର୍ବରୁ ଭଲଭାବେ ହାତ ଧୋଇବା ଓ ସ୍ନାନ ଶୌଚ ପାଇଁ ଟଏଲେଟ୍ ବ୍ୟବହାର କରିବା ଆଦି ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । ଅନ୍ୟପଟେ ଜିଲ୍ଲାରେ ୪୦ ଜଣିଆ ଟିମ୍ ସମସ୍ତ ବ୍ଲକ୍ ଓ ଗାଁରେ ଘରେ ଘରେ ସର୍ଭେ କରିବା ସହ ସଚେତନା କରୁଥିବା କହିଥିଲେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ରାଜ୍ୟର ୮ଟି ଜିଲ୍ଲାରେ ଶହ ଶହ ଡାଇରିଆ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ବାଲେଶ୍ବରରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ୁଛି । ତେବେ ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି ।
You Can Read:
ମହିଳା ବିରୋଧୀ ହିଂସା ନେଇ ଭୁବନେଶ୍ବରରେ କଂଗ୍ରେସର ବିଶାଳ ସମାବେଶ, ଯୋଗଦେବେ ରାହୁଲ ଓ ଖଡ୍ଗେ