କଏଦୀ ମୃତ୍ୟୁ ସସ୍‌ପେନ୍ସ : ବଲାଙ୍ଗିର ଜେଲ୍‌ରେ ସମ୍ବଲପୁର ଜେଲ୍ ଡିଆଇଜି, ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଦେବେ ରିପୋର୍ଟ

NEWS7
minister-rection-on-coldstre-at-odisha

ବଲାଙ୍ଗିର ୧୫।୩: ବଲାଙ୍ଗିରରେ ସମ୍ବଲପୁର ଜେଲ୍ ଡିଆଇଜି ଗରିବ ସାହୁ । ବଲାଙ୍ଗିର ଜେଲ୍‌ରେ କଏଦୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ବଲାଙ୍ଗିର ଆସିଲେ ସମ୍ବଲପୁର ଜେଲ୍ ଡିଆଇଜି । ଶନିବାର ସକାଳେ ସ୍ତ୍ରୀକୁ ହତ୍ୟା କରିବା ନେଇ ଆଜୀବନ ସଜା କାଟୁଥିବା କୁଶଙ୍ଗ ଗାଁର କଏଦୀ ଭୀଷ୍ମଦେବ ସାହୁର ଜେଲ୍ ଭିତରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ଶନିବାର ଅପରାହ୍ନରେ ଜିଲ୍ଲାପାଳ ଅଫିସ ଆଗରେ ପରିବାର ଲୋକେ ମୃତଦେହ ରଖି ଜେଲ୍ ଭିତରେ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିଥିଲେ । ଏନେଇ ବଲାଙ୍ଗିର ଜେଲ୍ରେ ତଦନ୍ତ କରୁଛନ୍ତି ସମ୍ବଲପୁର ଜେଲ୍ ଡିଆଇଜି । ସବୁ ଦିଗକୁ ନେଇ ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେବେ ବୋଲି ଜେଲ୍ ଡିଆଇଜି ଗରିବ ସାହୁ କହିଛନ୍ତି ।

ସନ୍ଦେହଘେରରେ ଥିବା କଏଦୀଙ୍କ ମୃତ୍ୟୁ ଘଟଣା ନେଲା ନୂଆମୋଡ଼ । ବଲାଙ୍ଗିର ଜେଲ୍ ଭିତରେ କଏଦୀଙ୍କ ମୃତ୍ୟୁ ଘଟଣା ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । କଏଦୀ ଜଣକ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏଭଳି ଅଭିଯୋଗ ପରେ ଜେଲ୍‌ର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଦାୟିତ୍ୱରେ ଥିବା ଜେଲ୍ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଚରମ ଅବହେଳା କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ମୃତକ ଭୀଷ୍ମଦେବ ସାହୁ ଓରଫ ଗୋପାଳର ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ନ୍ୟାୟ ପାଇଁ ଦାବି କରିଥିଲେ । 

ଏ ଖବର ବି ପଢ଼ନ୍ତୁ:- ରାତିରେ ଖାଇ-ପିଇ ଶୋଇଲେ, ସକାଳୁ ମିଳିଲା ଉଭୟଙ୍କ ମୃତଦେହ

ଗୋପାଳ ଆତ୍ମହତ୍ୟା କରିବା ଭଳି ପିଲା ନୁହେଁ । ସେ ବେଲ୍ରେ ଆସି ଗତ ୭ ତାରିଖରେ ପୁଣି ଜେଲ୍‌କୁ ଫେରିଥିଲେ । ଜଣେ ଆତ୍ମହତ୍ୟା କରିବାର ଥିଲେ ବାହାରେ ମଧ୍ୟ କରିଥାନ୍ତା । ହେଲେ ଜେଲ୍କୁ ଯାଇ କାହିଁକି ଆତ୍ମହତ୍ୟା କରିବ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକ । ସେହିପରି ଜେଲ୍ର ହାଇ ସିକ୍ୟୁରିଟି ସେଲ୍ରେ ଗୋପାଳକୁ ରଖାଯାଇଥିଲା । ସିସିଟିଭି ଲାଗିଥିବା ଅଞ୍ଚଳ, ସ୍ୱତନ୍ତ୍ର ସୁରକ୍ଷା ଥିବା ସେଲ୍‌ରେ ଜଣେ ଆତ୍ମହତ୍ୟା କରୁଛି କେମିତି କେହି ଜାଣି ପାରିଲେ ନାହିଁ । ଦାୟିତ୍ୱରେ ଥିବା ୱାର୍ଡରଙ୍କ ସହ ଅନ୍ୟମାନେ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକ । କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରି ପରିବାର ଲୋକ ଧାରଣା ଦେଇଥିଲେ । ଅତିରିକ୍ତ ତହସିଲଦାର ଆସି ୧୦ ହଜାର ଟଙ୍କା ରେଡ଼କ୍ରସରୁ ଦେବା ସହ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ କହିଥିଲେ । ସେହିପରି ଟାଉନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ପରିବାର ଲୋକ ।

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ୍ରେ ଆଜୀବନ ସଜା କାଟୁଥିଲା ୩୭ ବର୍ଷ ବୟସ୍କ ଭୀଷ୍ମଦେବ ସାହୁ । ଫାଷ୍ଟ ଏଡିଜେ କୋର୍ଟରେ Convicted ହୋଇଥିଲେ । ୨୦୨୧ ମସିହା ଜୁନ୍ ୯ ତାରିଖରେ ଗିରଫ ହୋଇଥିଲେ । ୨୦୨୩ ମସିହା ନଭେମ୍ବର ୨୯ ତାରିଖରେ ଆଜୀବନ କାରାଦଣ୍ଡରେ ସଜା ହୋଇଥିଲା । ୩୦୨, ୪୯୮ରେ ଦଫା ଲାଗିଥିଲା । ସ୍ତ୍ରୀକୁ ମାରି ଜେଲରେ ସଜା କାଟୁଥିଲା । ତେଣୁ ହାଇ ସିକ୍ୟୁରିଟି ବ୍ଲକ ୧ ରେ ରହୁଥିଲା । ଶନିବାର ଭୋରରୁ ଓ୍ବାଲ୍ ଫ୍ୟାନ୍ କ୍ଲାମ୍ପ୍‌ରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି ବୋଲି ବଲାଙ୍ଗିର ଜେଲ୍ ସୁପରିଟେଣ୍ଡେଣ୍ଟ ଉମାଶଙ୍କର ମାଝୀ ସୂଚନା ଦେଇଥିଲେ ।