କଟକ: ମାନବିକତା ଓ ମହାନତାର ପରିଚୟ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିବା ପରିବାରକୁ ହସ୍ପିଟାଲରେ ପହଞ୍ଚାଇ ଜଣେ ଦରଦି ମଣିଷ ଓ ସମାଜ ପ୍ରତି ତାଙ୍କ ଦାୟିତ୍ୱର ପ୍ରମାଣ ଦେଇଛନ୍ତି । ଆହତଙ୍କୁ କେବଳ ହସ୍ପିଟାଲରେ ପହଞ୍ଚାଇଲେ ନାହିଁ, ବରଂ ନିଜେ ହସ୍ପିଟାଲ ଯାଇ କର୍ତ୍ତୃପକ୍ଷଙ୍କ ଆଲୋଚନା କରି ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିଥିଲେ ।
ଖବର ଅନୁସାରେ କଟକ ତେଲେଙ୍ଗାପେଣ୍ଠ ନିକଟରେ ଶନିବାର ଏକ ଦୁର୍ଘଟଣା ହୋଇଥିଲା । ଗୋଟିଏ ପରିବାରର ଚାରି ଜଣ-ସ୍ୱାମୀ, ସ୍ତ୍ରୀ ଓ ଦୁଇ ପିଲା ଆହତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ । ତେବେ ଏହି ସମୟରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କୌଣସି କାର୍ଯ୍ୟରେ ଯାଉଥିଲେ । ଦୁର୍ଘଟଣା କଥା ଜାଣି ମନ୍ତ୍ରୀ ନିଜ ଗାଡ଼ି ଅଟକାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଆହତ ଅନନ୍ତ କୁମାର ସାହୁ, ତାଙ୍କ ପତ୍ନୀ ଦୁଇ ସାନ ପିଲାଙ୍କୁ ନିଜ ଏସ୍କର୍ଟ ଗାଡ଼ିରେ ହସ୍ପିଟାଲ୍ ପଠାଇବା ବ୍ୟବସ୍ଥା କରିଥିଲେ । ତେବେ ଆହତଙ୍କୁ ହସ୍ପିଟାଲ ପଠାଇ ଦାୟିତ୍ୱ ସାରି ଦେଇନଥିଲେ ମନ୍ତ୍ରୀ । ମାନବିକତାର ବିରଳ ଉଦାହରଣ ସୃଷ୍ଟି କରି ନିଜେ ମଧ୍ୟ ହସ୍ପିଟାଲ ଯାଇ, ସେଠାରେ ସେମାନଙ୍କ ଚିକିତ୍ସା କଥା ବୁଝିଥିଲେ । ଦୁଇ ସାନ ପିଲାଙ୍କ ଆହତ ମନ୍ତ୍ରୀଙ୍କ ମନକୁ ଆନ୍ଦୋଳିତ କରିଥିଲା ।