୨୦୨୪-୨୫ ବର୍ଷ ପାଇଁ କେଉଁ ରାଜନୈତିକ ଦଳକୁ ମିଳିଛି କେତେ ଚାନ୍ଦା, ବିଜେଡିକୁ ମିଳିଛି ଏତିକି

NEWS7
minister-ate-food-in-the-shelter-also-aware-people-about-the-cyclone

ନୂଆଦିଲ୍ଲୀ: ୨୦୨୪-୨୫ ବର୍ଷ ପାଇଁ କେଉଁ ରାଜନୈତିକ ଦଳକୁ କେତେ ଟଙ୍କାର ଚାନ୍ଦା ମିଳିଛି ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ତାର କିଛି ତଥ୍ୟ ପ୍ରଦାନ କରାଯାଇଛି । ସେଥିରୁ ଜଣାପଡିଛି କି ବିଜେପିକୁ ବିଭିନ୍ନ ଟ୍ରଷ୍ଟରୁ ସର୍ବାଧିକ ୯୫୯ କୋଟି ଟଙ୍କାର ଚାନ୍ଦା ମିଳିଥିଲା ବେଳେ କଂଗ୍ରେସକୁ ମିଳିଛି ୫୧୭ କୋଟି ଟଙ୍କା। ଓଡ଼ିଶାର ଆଞ୍ଚଳିକ ଦଳ ତଥା ୨୪ ବର୍ଷ କ୍ଷମତାରେ ରହିଥିବା ବିଜେଡିକୁ ମିଳିଛି ୬୦ କୋଟି ଚାନ୍ଦା। ଇଲେକ୍ଟୋରାଲ ବଣ୍ଡ ବନ୍ଦ ହେବା ପରେ ରାଜନୈତିକ ଦଳକୁ ଚାନ୍ଦା ଦେବା ଲାଗି କର୍ପୋରେଟ ସଂସ୍ଥାମାନେ ପୁଣି ପୁରୁଣା ଇଲେକ୍ଟୋରାଲ ଟ୍ରଷ୍ଟ ରାସ୍ତାକୁ ଆପଣାଇଛନ୍ତି ।

ନିର୍ବାଚନ କମିଶନଙ୍କ ୱେବସାଇଟ୍ରେ ଅପଲୋଡ ହୋଇଥିବା ତଥ୍ୟ ଅନୁସାରେ ଶାସକ ବିଜେପିକୁ ବିଭିନ୍ନ ଟ୍ରଷ୍ଟରୁ ୯୫୯ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ମିଳିଛି । ସେଥିମଧ୍ୟରୁ ୮୩ ପ୍ରତିଶତ ଅର୍ଥାତ ୭୫୭.୬ କୋଟି ଟଙ୍କା ଟାଟା ଗ୍ରୁପ ନିୟନ୍ତ୍ରିତ ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟ (ପିଇଟି) ଦେଇଛି । ସେହିଭଳି ମହିନ୍ଦ୍ରା ଗ୍ରୁପ ସମର୍ଥିତ ନ୍ୟୁ ଡେମୋକ୍ରାଟିକ ଇଲେକ୍ଟୋରାଲ ଟ୍ରଷ୍ଟ ୧୫୦ କୋଟି ଦେଇଥିଲା ବେଳେ ହାର୍ମୋନୀ ଇଲେକ୍ଟୋରାଲ ଟ୍ରଷ୍ଟ ୩୦.୧ କୋଟି, ଟାଇମ୍ସ ଇଲେକ୍ଟୋରାଲ ଟ୍ରଷ୍ଟ ୨୧ କୋଟି, ଜନ କଲ୍ୟାଣ ଇଲେକ୍ଟୋରାଲ ଟ୍ରଷ୍ଟ ୯.୫ ଲକ୍ଷ ଏବଂ ଆଇଜିଗାର୍ଟିଗ୍ ଇଲେକ୍ଟ୍ରୋରାଲ ଟ୍ରଷ୍ଟ ୭.୭୫ ଲକ୍ଷ ଟଙ୍କାର ଚାନ୍ଦା ବିଜେପିକୁ ଦେଇଛି ।

କିନ୍ତୁ ଦେଶର ସବୁଠାରୁ ବଡ ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ କାହାକୁ କେତେ ଚାନ୍ଦା ଦେଇଛି ତାକୁ ନିର୍ବାଚନ କମିଶନ ସାର୍ବଜନୀନ କରିନାହାନ୍ତି । ଏହା ସାର୍ବଜନୀନ ହେଲେ ବିଜେପି ସମେତ ଅନ୍ୟ ସବୁ ରାଜନୈତିକ ଦଳର ଚାନ୍ଦା ଆହୁରି ଅନେକ ହେବ । କାରଣ ୨୦୨୩-୨୪ରେ ଏହି ଟ୍ରଷ୍ଟ ବିଜେପିକୁ ସର୍ବାଧିକ ୭୨୪ କୋଟି ଟଙ୍କାର ଚାନ୍ଦା ଦେଇଥିଲା । ତେଣୁ ବାସ୍ତବରେ ବିଜେପିର ଚାନ୍ଦା ୯୫୯ କୋଟିରୁ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ସେହିଭଳି କଂଗ୍ରେସକୁ ଯେଉଁ ୫୧୭ କୋଟି ଟଙ୍କା ମିଳିଛି ସେଥିରେ ବିଭିନ୍ନ ନିର୍ବାଚନୀ ଟ୍ରଷ୍ଟ ୩୧୩ କୋଟି ଟଙ୍କା ଦେଇଛନ୍ତି । କଂଗ୍ରେସକୁ କିଏ ଓ କେତେ ଟଙ୍କାର ଚାନ୍ଦା ଦେଇଛି ତାହା ମଧ୍ୟ ନିର୍ବାଚନ କମିଶନ ସାର୍ବଜନୀନ କରିଛନ୍ତି । ଆଇଟିସି ଲିମିଟେଡ, ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ ଓ ସେଞ୍ଚୁରି ପ୍ଲାଏଉଡ ଇଣ୍ଡିଆ ଲିମିଟେଡ ଭଳି କର୍ପୋରେଟ ସଂସ୍ଥା କଂଗ୍ରେସକୁ ଚାନ୍ଦା ଦେଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ମଧ୍ୟ ଦଳକୁ ୩ କୋଟି ଟଙ୍କା ଚାନ୍ଦା ଦେଇଥିବା ଜଣାପଡିଛି ।

ସେହିଭଳି ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟ (ପିଇଟି) ୭୭.୩ କୋଟି ଦେଇଥିଲା ବେଳେ ୨୧୬.୩୩ କୋଟି ଓ ନ୍ୟୁ ଡେମୋକ୍ରାଟିକ ଇଲେକ୍ଟୋରାଲ ଟ୍ରଷ୍ଟ ୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ୨୦୨୩-୨୪ରେ କଂଗ୍ରେସକୁ ମୋଟ ୮୨୮ କୋଟି ଟଙ୍କା ମିଳିଥିଲା ।ପିଇଟି ମଧ୍ୟ ଟିଏମସି, ୱାଇଏସ୍ଆର କଂଗ୍ରେସ ପାର୍ଟି, ଶିବସେନା (ୟୁବିଟି), ବିଜେଡି, ବିଆରଏସ୍, ଜେଡିୟୁ, ଡିଏମକେଏବଂ ଏଲଜେପିକୁ ୧୦ କୋଟି ଲେଖାଏ ଦେଇଛି ।

ରିପୋର୍ଟରୁ ଜଣାପଡିଛି କି ଇଲେକ୍ଟୋରାଲ ବଣ୍ଡ ବନ୍ଦ ହେବା ପରେ ମଧ୍ୟ ବିଜେପିକୁ ନିର୍ବାଚନୀ ଚାନ୍ଦା ମିଳିବାରେ କୌଣସି ସମସ୍ୟା ଉପୁଜି ନାହିଁ । ଟିଏମସିକୁ ୨୦୨୪-୨୫ରେ ମୋଟ ୧୮୪.୫ କୋଟି ଟଙ୍କାର ଚାନ୍ଦା ମିଳିଛି । ସେଥିରେ ନିର୍ବାଚନୀ ଟ୍ରଷ୍ଟରୁ ମିଳିଥିବା ୧୫୩.୫ କୋଟି ଟଙ୍କା ରହିଛି । ବିଜେଡିକୁ ୬୦ କୋଟି ମିଳିଥିଲା ବେଳେ ସେଥିରେ ୩୫ କୋଟି ଟଙ୍କା ଟ୍ରଷ୍ଟରୁ ମିଳିଛି । ବିଆରଏସକୁ ଟ୍ରଷ୍ଟ ମାଧ୍ୟମରେ ୧୫ କୋଟି ଟଙ୍କାର ଚାନ୍ଦା ମିଳିଛି ।