କାଙ୍ଗାଳ ପାକିସ୍ତାନକୁ ଆଉ ଏକ ଝଟକା, ଦେଶ ଛାଡ଼ିଲା ଟେକ୍ ଜାଏଣ୍ଟ ମାଇକ୍ରୋସଫ୍ଟ

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ: ଭିକାରୀ ପାକିସ୍ତାନକୁ ଆର୍ଥିକ ମୋର୍ଚ୍ଚାରେ ଆଉ ଏକ ବଡ଼ ଝଟକା ଲାଗିଛି । ଆମେରିକୀୟ ଟେକ୍ ଜାଏଣ୍ଟ ମାଇକ୍ରୋସଫ୍ଟ ପାକିସ୍ତାନରେ ନିଜ ପରିଚାଳନା ବନ୍ଦ କରିଛି । ୨୫ ବର୍ଷ ପରେ ଏହି ଗ୍ଲୋବାଲ୍ ସ୍ପଫ୍ଟୱେର କମ୍ପାନି ପାକିସ୍ତାନ ଛାଡ଼ିଥିବା ସୂଚନା ମିଳିଛି । ଗତ କିଛି ବର୍ଷ ହେଲା ମାଇକ୍ରୋସପ୍ଟ ଏହି ଦେଶରେ କର୍ମଚାରୀ ଓ ନିଜ ପରିଚାଳନାକୁ ଲଗାତାର ହ୍ରାସ କରିଆସୁଥିଲା । ଆଉ ଏବେ ସମ୍ପୂର୍ଣ୍ଣ ରୂପେ ଦେଶ ଛାଡ଼ୁଛି । ମାଇକ୍ରୋସଫ୍ଟ ଜୁନ୍ ୨୦୦୦ରେ ପାକିସ୍ତାନରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା ।

ମାଇକ୍ରୋସଫ୍ଟ ପାକିସ୍ତାନ ଛାଡ଼ିବା ଖବର ମାଇକ୍ରୋସଫ୍ଟ ପାକିସ୍ତାନର ପ୍ରତିଷ୍ଠାତା ମୁଖ୍ୟ ଜୱାଦ ରେହମାନଙ୍କ ଏକ ଲିଙ୍କଡିନ୍ ପୋଷ୍ଟ ପରେ ଜଣାପଡ଼ିଛି । ତେବେ କମ୍ପାନି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନଥିବା ବୋଲି ଜଣାପଡ଼ିଛି । ସେପଟେ ଟେକ୍ ରାଡାରର ଏକ ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପ ପାଇଁ ପୂର୍ବରୁ ମଞ୍ଜୁରି ମିଳିସାରିଛି, ମାଇକ୍ରୋସଫ୍ଟର ପାକିସ୍ତାନରେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ହୋଇଯାଇଛି ଏବଂ କେବଳ ପାଞ୍ଚ ଜଣ କର୍ମଚାରୀଙ୍କ ସହିତ ଏକ ଯୋଗାଯୋଗ କାର୍ଯ୍ୟାଳୟ ଖୋଲା ରହିଛି ।

ଲିଙ୍କଡ୍ ଇନ୍ ପୋଷ୍ଟରେ ‘ଏକ ଯୁଗର ଅନ୍ତ...ମାଇକ୍ରୋସଫ୍ଟ ପାକିସ୍ତାନ’ ଶୀର୍ଷକରେ ରେହମାନ ଲେଖିଛନ୍ତି, ପାକିସ୍ତାନରେ ମାଇକ୍ରୋସଫ୍ଟ ଆଜିଠାରୁ ସମ୍ପୂର୍ଣ୍ଣ ବନ୍ଦ ହେଉଥିବା ମୁଁ ଶୁଣିବାକୁ ପାଇଛି । କମ୍ପାନିରେ ଥିବା କର୍ମଚାରୀଙ୍କୁ ଆନୁଷ୍ଠାନିକ ଭାବେ ଏହା ଜଣାଇ ଦିଆଯାଇଛି । ଠିକ୍ ୨୫ ବର୍ଷ ପୂର୍ବେ, ଜୁନ୍ ୨୦୦୦ରେ ପାକିସ୍ତାନ ମାଇକ୍ରୋସଫ୍ଟର ପ୍ରତିଷ୍ଠା ଓ ନେତୃତ୍ୱ ନେବାର ସୌଭାଗ୍ୟ ମୋତେ ମିଳିଥିଲା ।

ସେ ଆହୁରି ଲେଖିଛନ୍ତି ଯେ ମାଇକ୍ରୋସଫ୍ଟର ପାକିସ୍ତାନ ଛାଡିବା ନିଷ୍ପତ୍ତିର ଆଲୋଚନା କରିବା ଜରୁରି । ଆଜିର ଖବର ଉପରେ ପ୍ରତିକ୍ରିୟା ପ୍ରକାଶ ପାଇଁ ବାଧ୍ୟ କରୁଛି । ଏହା କେବଳ ଏକ କର୍ପୋରେଟ୍ ଏକଜିଟ୍ ନୁହେଁ । ଏହା ଆମ ଦେଶ ସୃଷ୍ଟି କରିଥିବା ପରିବେଶର ଏକ ଗମ୍ଭୀର ସଙ୍କେତ । ଯେଉଁଠାରେ ମାଇକ୍ରୋସଫ୍ଟ ଭଳି ଏକ ଗ୍ଲୋବାଲ୍ ଜାଏଣ୍ଟ ମଧ୍ୟ ରହିବାକୁ ଚାହୁଁନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.