ସୋର ୧୬।୦୭ : ପିଛା ଛାଡୁନି ବିବାଦ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି । ପୂର୍ବରୁ ଏଠାରେ ସୁରକ୍ଷାକର୍ମୀ ରୋଗୀ ସେବା କରୁଥିବା ବେଳେ ଏବେ ଟର୍ଚ୍ଚ ଆଲୁଅରେ ରୋଗୀସେବା କରାଯାଉଛି । ଯାହାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି ।
ଖବର ଅନୁଯାୟୀ, ସୋର ଅନ୍ତର୍ଗତ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ବାହାନଗା ବ୍ଲକ ସହ ଭଦ୍ରକ ଜିଲ୍ଲା ବାସୁଦେବାପୁର ଅଞ୍ଚଳର ଅନେକ ଲୋକ ଏହି ମେଡିକାଲ ଉପରେ ନିର୍ଭର କରନ୍ତି । ପ୍ରତିଦିନ ଏଠାକୁ ଶତାଧିକ ରୋଗୀ ଚିକିତ୍ସା ଲାଗି ଆସିଥାନ୍ତି । ହେଲେ ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ହଠାତ୍ ବିଦ୍ୟୁତ କାଟ୍ ହୋଇଥିଲା । ମେଡିକାଲରେ ଡିଜି ଥିଲେ ବି ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଅନ୍ଧାରରେ ରହିଥିଲା ।ଶେଷରେ ଦେଖିବାକୁ ମିଳିଥିଲା ଏକ ଭୟଙ୍କର ଚିତ୍ର । ଯେଉଁଥିରେ ଡାକ୍ତରମାନେ ଟର୍ଚ୍ଚ ଲାଇଟ୍ ଜାଳି ରୋଗୀଙ୍କ ଚିକିତ୍ସା କରିଥିଲେ । କେବଳ ସେତିକି ନୁହେଁ, ରୋଗୀଙ୍କ ଡ୍ରେସିଂ, ଇଞ୍ଜେକସନ ଓ ସାଲାଇନ୍ ବି ଟର୍ଚ୍ଚ ଲାଇଟରେ ଦିଆଯାଇଥିଲା । ଏହି ଘଟଣା ଜଣାପଡିବା ପରେ ବିଭିନ୍ନ ମହଲରୁ ତିବ୍ର ନିନ୍ଦା କରାଯାଇଛି ।ସ୍ୱାସ୍ଥ୍ୟ ବିଭାଗର ଏଭଳି ଖାମଖିଆଲ କାମକୁ ନିନ୍ଦା କରାଯିବ ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ସେପଟେ ଘଟଣା ସଂପର୍କରେ ଡାକ୍ତରଖାନା ପରିଚାଳକ କହିଛନ୍ତି ଯେ, ଘଟଣା ବାବଦରେ ମୁଁ କିଛି ଜାଣିନି। ଡାକ୍ତରଖାନାରେ ଡିଜି ଅଛି। ହେଲେ କେଉଁ କାରଣ ପାଇଁ ସୁରକ୍ଷାକର୍ମୀ ଡିଜି ଚଲାଇ ନାହାନ୍ତି, ତାହାର ତଦନ୍ତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ।