ବିଶ୍ୱର ସବୁଠୁ ଉତ୍ତପ୍ତ ମରୁଭୂମି ସାହାରାରେ ତୁଷାରପାତ, ମାଇନସ୍‌ ୨ ଡିଗ୍ରୀରେ ପହଞ୍ଚିଲା ପାରଦ

NEWS7
matric-result-will-be-out-may-2nd-week-

ନୂଆଦିଲ୍ଲୀ ୨୩।୦୧: ବିଶ୍ୱର ସବୁଠୁ ଉତ୍ତପ୍ତ ମରୁଭୂମି ସାହାରାରେ ତୁଷାରପାତ । ପ୍ରଚଣ୍ଡ ଉତ୍ତାପ, ଶୁଷ୍କ ପବନ ଓ ଅନ୍ତହୀନ ବାଲି ପାହାଡ଼ ପାଇଁ ପରିଚିତ ସାହାରା ମରୁଭୂମିରେ ତୁଷାରପାତ ପ୍ରକୃତିର ବିରୋଧାଭାସ ଭଳି ମନେ ହେଉଛି । ଗତ ୧୭ ତାରିଖ ଉତ୍ତର ଆଲଜେରିଆର କେତେକ ସ୍ଥାନରେ ଏକ ଅସାଧାରଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ସୁନେଲି ରଙ୍ଗରେ ଚିକ୍ମିକ୍ କରୁଥିବା ମରୁଭୂମି ତୁଷାରପାତ ଯୋଗୁ ଧଳା ପାଲଟିଥିଲା ।

‘ମରୁଭୂମିର ପ୍ରବେଶ ପଥ’ ନାମରେ ପରିଚିତ ସାହାରାର ଉତ୍ତର ପାଶ୍ୱର୍ରେ ସ୍ଥିତ ଏନ୍ ସେଫ୍ରା ନିକଟରେ ଏକ ବିରଳ ଘଟଣା ଘଟିଲା । ସ୍ଥାନୀୟ ଲୋକେ ଏହି ଘଟଣାର ଫଟୋ ଓ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ମରୁ ବାଲି ବରଫ ଦ୍ୱାରା ଆବୃତ୍ତ ହୋଇଛି, ଯାହା ମରୁ ଭୂଖଣ୍ଡର ପରିଦୃଶ୍ୟକୁ ପରିବର୍ତ୍ତନ କରିଛି । ହଠାତ୍ ଏହି ଘଟଣାର କାରଣ ଶକ୍ତିଶାଳୀ ଥଣ୍ଡା ପବନ ଥିଲା, ଯାହା ଦକ୍ଷିଣ ଦିଗକୁ- ଉତ୍ତର ଆଫ୍ରିକାକୁ ଗତି କରୁଥିଲା । ଶୀତ ଦିନେ ଶକ୍ତିଶାଳୀ ଥଣ୍ଡା ପବନ ୟୁରୋପ ଓ ଭୂମଧ୍ୟସାଗରୀୟ ଅଞ୍ଚଳ ବାହାରକୁ ମାଡ଼ିଯାଇପାରେ । ଜାନୁଆରୀ ମଧ୍ୟଭାଗରେ ଏଭଳି ଶକ୍ତିଶାଳୀ ଥଣ୍ଡା ପବନ ଉତ୍ତର ଆଲଜେରିଆରେ ତାପମାତ୍ରାକୁ ଶୂନ କିମ୍ବା ତା’ଠୁ ତଳକୁ ଖସାଇ ଦେଇଛି । ଏଥିସହିତ ଆଟ୍ଲାଣ୍ଟିକ୍ ମହାସାଗର ଓ ଭୂମଧ୍ୟସାଗରୀୟ ସମୁଦ୍ରରୁ ପ୍ରବାହିତ ଆର୍ଦ୍ର ବାୟୁ ଶୀତ ଜଳବାୟୁ ପ୍ରଣାଳୀ ଦ୍ୱାରା ମଧ୍ୟ ଟାଣିହୋଇ ଯାଇଥିଲା ।

ଆର୍ଦ୍ର ବାୟୁ ଯେତେବେଳେ ସାହାରାର ଉତ୍ତର ପାଶ୍ୱର୍ର ଥଣ୍ଡା ବାୟୁ ସହ ମିଶିଲା, ଏହି ସ୍ଥିତି ତୁଷାରପାତ ଲାଗି ଉପଯୁକ୍ତ ହେଲା । ତେବେ ସାହାରା ସର୍ବଦା ଉତ୍ତପ୍ତ ନ ଥାଏ । ଶୀତ ରାତିରେ ଏଠାରେ ଭୀଷଣ ଥଣ୍ଡା ପଡ଼େ, ଖାସ୍କରି ଉଚ୍ଚ କ୍ଷେତ୍ରରେ । ତୁଷାରପାତ ଲାଗି ଥଣ୍ଡା ତାପମାତ୍ରା ଓ ଆର୍ଦ୍ରତା ଆବଶ୍ୟକ । ସାହାରାରେ ଆର୍ଦ୍ରତାର ଅଭାବ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅନୁପସ୍ଥିତ ନ ଥାଏ । ଆଟ୍ଲାସ ପର୍ବତମାଳାର ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଆର୍ଦ୍ର ବାୟୁ ଯେତେବେଳେ ବଳପୂର୍ବକ ଅଧିକ ଉଚ୍ଚକୁ ଯାଏ, ଏହା ଶୀଘ୍ର ଥଣ୍ଡା ହୁଏ । ଏହା ଜଳୀୟ ବାଷ୍ପକୁ ବରଫ ସ୍ଫଟିକରେ ରୂପାନ୍ତର ହେବାରେ ସାହାଯ୍ୟ କରେ । ପୃଷ୍ଠ ତାପମାତ୍ରା ଯେତେବେଳେ ଯଥେଷ୍ଟ ଖସିଯାଏ, ତୁଷାର ରୂପେ ଏହା ତଳକୁ ଖସେ । ଏନ୍ ସେଫ୍ରାରେ ତୁଷାରପାତ ଘଟଣା ୧୯୭୯, ୨୦୧୮, ୨୦୨୧ ଓ ୨୦୨୩ରେ ରେକର୍ଡ ହୋଇଥିଲା ।

ମରୁଭୂମିରେ ତୁଷାରପାତ ସାଧାରଣତଃ କିଛି ଘଣ୍ଟା କିମ୍ବା ଦିନ ରହେ। ବେଳେବେଳେ ବାଲି ସହ ବରଫ ମିଶି ନାରଙ୍ଗୀ ରଙ୍ଗ ସୃଷ୍ଟି କରେ । ବୈଜ୍ଞାନିକଙ୍କ ଅନୁସାରେ, ଏହି ଘଟଣାକୁ ଜଳବାୟୁ ପରିବର୍ତ୍ତନର କାରଣ ବୋଲି ସିଧାସଳଖ କୁହାଯାଇ ପାରିବ ନାହିଁ । ତଥାପି ମେରୁରେ ଉତ୍ତାପ ବୃଦ୍ଧି ଜେଟ୍ ଷ୍ଟ୍ରିମ୍ ପ୍ୟାଟର୍ନରେ ବ୍ୟାଘାତ ସୃଷ୍ଟି କରୁଛି, ଯାହା ସାହାରା ମରୁଭୂମି ଭଳି ଅସ୍ୱାଭାବିକ ସ୍ଥାନରେ ଚରମ ଜଳବାୟୁ ସ୍ଥିତିର କାରଣ ହେଉଛି ।