କଳାହାଣ୍ଡି ଜିଲ୍ଲାରେ ମନରେଗାରେ ମହାଦୁର୍ନୀତି, ଅଜବ ପ୍ରଶାସନର ଗଜବ କାମ

Published By : Prameya-News7 Bureau | August 04, 2025 IST

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲାରେ ମନରେଗାରେ ମହାଦୁର୍ନୀତି l କେଉଁଠି ବିନା କାମରେ ବିଲ୍ ଉଠୁଥିବା ବେଳେ କେଉଁଠି ଶ୍ରମିକ ବଦଳରେ ମେସିନ କାମ କରୁଛି ।  ସାମ୍ନାକୁ ଆସିଛି କିଛି ସାଙ୍ଘାତିକ ତଥ୍ୟ।   ଯେଉଁଠି କିଛି ବିଦେଶୀ ନାଗରିକଙ୍କ ତଥା ଫ୍ୟାସନ ସେଲିବ୍ରିଟିଙ୍କ  ଫୋଟୋ ଅପଲୋଡ଼ କରାଯାଇଥିବା ଅଭିଯୋଗ ହୋଇଛି । ଆଉ ସେହି ଫଟୋ ସମ୍ବଳିତ ବିଲ୍ କ୍ଲିୟର ବି ହୋଇଛି।   ଅନ୍ୟପଟେ ବିଡିଓ କହିଛନ୍ତି ସେ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। 

ଫଟୋ ନମ୍ବର ୧- ଫଟୋ ନମ୍ବର ୨- ଫଟୋ ନମ୍ବର ୩ । ଏହି ତିନିଟି ଫଟୋ ଦେଖିବା ପରେ ଆପଣ କଣ ଅନୁମାନ କରୁଥିଲେ। ନିଶ୍ଚୟ ଏମାନେ ବିଦେଶୀ ନାଗରିକ କିମ୍ବା କୌଣସି ଫ୍ୟାସନ ସେଲିବ୍ରିଟି। ତେବେ ରେକର୍ଡ କହୁଛି ଏସବୁ ଫଟୋ ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ପାଇଥିବା ଲେବରମାନଙ୍କର। କାମ ସରିବା ପରେ ୱେବସାଇଟରେ ଯେଉଁ ଫଟୋ ଅପଲୋଡ କରାଯାଇଛି ସେମଧ୍ୟରେ ରହିଛି ଏହି ଫଟୋ। ଯାହା ରେକର୍ଡ କହୁଛି ଏମାନେ ଗ୍ରୁପ କାମ ପରେ ଏହି ଫଟୋ ସବୁ ଅପଲୋଡ଼ କରିଛନ୍ତି।  

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଲୋହରାଜୋର ଗ୍ରାମରେ ଏହିଭଳି ହୋଇଥିବା ଜଣା ପଡିଛି l ମନରେଗା ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳର କେନ୍ଦୁମାଳୀ ପାହାଡ଼ରେ କାମ ହୋଇଥିଲା l ଏହି କାମରେ ଶ୍ରମିକ ବଦଳରେ ଫରେନର, ସେଲିବ୍ରିଟିଙ୍କ ଫଟୋ ଅପଲୋଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ମନରେଗା ୱେବ ସାଇଟରେ ଦେଖିବାକୁ ମିଳିଛି l


ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଜଳ ସଂରକ୍ଷଣ ପାଇଁ ଗୋପାଳପୁର ପଂଚାୟତ ଲୋହରାଜୋର କେନ୍ଦୁମାଳି ପାହାଡ଼ ଏହି କାମ ହୋଇଥିଲା। କାମରେ ବିଦେଶୀ ନାଗରିକଙ୍କ ଫଟୋ ଅପଲୋଡ଼ ଘଟଣା ସାମ୍ନା କୁ ଆସିବା ପରେ ଜିଲ୍ଲାରେ ମନରେଗାରେ ମହାଦୁର୍ନୀତି  ହୋଇଥିବା ଚର୍ଚ୍ଚା ଜୋର ଧରିଛି l ତେବେ ଏନେଇ ଥୁଆମୂଳ ରାମପୁର ବ୍ଲକ ବିଡିଓଙ୍କୁ ପଚାରିବାରୁ ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।  ଏହା କେବଳ ଗୋଟିଏ ବ୍ଲକରେ ନାଁ ଅନ୍ୟ ବ୍ଲକରେ ଏଭଳି କାର୍ଯ୍ୟ ହୋଇଛି ତାହା ବି ଅନୁସନ୍ଧାନ ସାପେକ୍ଷ। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି l ଯଦି ତଦନ୍ତ କରା ଯାଏ ତାହା ହେଲେ ଜିଲ୍ଲାରେ  ମନରେଗା ଦୁର୍ନୀତିର ସତ୍ୟାସତ୍ୟ ସାମ୍ନାକୁ ଆସିପାରନ୍ତା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.