ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଗୁରୁବାର ଲଗାତାର ଦ୍ୱିତୀୟ ଦିନରେ ବଡ଼ ହ୍ରାସ ବନ୍ଦ ହୋଇଛି । କାରବାର ଶେଷରେ ସେନ୍ସେକ୍ସ ପ୍ରାୟ ୭୦୫.୯୭ ଅଙ୍କ ବା ୦.୮୭ ପ୍ରତିଶତ ହ୍ରାସ ପାଇ ୮୦,୦୮୦.୫୭ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୧୧.୧୫ ଅଙ୍କ ଖସି ୨୪,୫୦୦ ତଳେ ବନ୍ଦ ହୋଇଛି । ଆମେରିକାର ଟାରିଫ୍ କାର୍ଯ୍ୟାକୀର ହେବା ପରେ ବଜାରରେ ବିକ୍ରି ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ବିଦେଶୀ ନିବେଶକଙ୍କ ଲଗାତାର ବିକ୍ରି ମଧ୍ୟ ବଜାରର ସେଣ୍ଟିମେଣ୍ଟକୁ ଦୁର୍ବଳ କରିଛି ।
କଞ୍ଜୁମର ଡ୍ୟୁରେବଲ୍କୁ ଛଡ଼ି ପ୍ରାୟ ସମସ୍ତ ପ୍ରମୁଖ ସେକ୍ଟୋରାଲ୍ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ନିଫ୍ଟି ଆଇଟି ଓ ନିଫ୍ଟି ରିୟଲ୍ଟିରେ ଦେଖିବାକୁ ମିଳିଛି, ଯାହା ପ୍ରାୟ ୧.୫ ପ୍ରତିଶତ ଖସିଛି । ଅନ୍ୟପଟେ ନିଫ୍ଟି ପିଏସୟୁ ବ୍ୟାଙ୍କ୍, ଏଫ୍ଏମ୍ସିଜି ଓ ଫାର୍ମା ଇଣ୍ଡେକ୍ସ ୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ବ୍ରଡ୍ର ମାର୍କେଟରେ ବି ଆଜିର ହ୍ରାସ ବଡ଼ ଥିଲା । ନିଫ୍ଟି ମିଡ୍କ୍ୟାପ୍ ୧୦୦ ଇଣ୍ଡେକ୍ସ ୧.୩ ପ୍ରତିଶତ ଓ ନିଫ୍ଟି ସ୍ମଲ୍କ୍ୟାପ୍ ୧୦୦ ଇଣ୍ଡେକ୍ସ ୧.୫ ପ୍ରତିଶତ ଖସି ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଅଗଷ୍ଟ ୨୮ରେ ହ୍ରାସ ପାଇ ୪୪୫.୨୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ମଙ୍ଗଳବାର ୪୪୯.୪୫ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁ଼ଡ଼ିକର ମାର୍କେଟ୍ କ୍ୟାପ୍ ପ୍ରାୟ ୪.୨୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କୁ ୪.୨୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ବିଏସ୍ଇ ସେନ୍ସେକ୍ସର ୩୦ ସେୟାର ମଧ୍ୟରୁ ଆଜି କେବଳ ୭ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଟାଇଟନ୍ ସେୟାରରେ ସବୁଠୁ ଅଧିକ ୧.୨୨ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ୨୩ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ଏଚସିଏଲ୍ ସେୟାର ୨.୮୫ ପ୍ରତିଶତ ହ୍ରାସ ଟପ୍ ଲୁଜର ହୋଇଛି ।