ବଲାଙ୍ଗୀର: ଗଞ୍ଜେଇ ମାଫିଆଙ୍କ ପାଇଁ ଚୋରା ଚାଲାଣର ସହଜ ମାର୍ଗ ପାଲଟିଛି ବୌଦ୍ଧ ଜାମୁଟ ଭାୟା ତୁଷୁରା ରାସ୍ତା। ଦିନ ଦ୍ବିପ୍ରହର ହେଉ ଅବା ରାତି, ଏହି ରାସ୍ତାରେ ଖୁବ୍ ହେଉଛି ଗଞ୍ଜେଇ ଚୋରା ଚାଲାଣ । ଅବଶ୍ୟ ଅନେକ ସମୟରେ ପୋଲିସ ହାବୁଡ଼ରେ ପଡୁଛନ୍ତି ଚୋରା ଚାଲାଣକାରୀ। ତଥାପି କିନ୍ତୁ ନାଁ ନେଉନାହିଁ ଗଞ୍ଜେଇ ଚୋରା ଚାଲାଣ। ନୂଆ ନୂଆ ଉପାୟରେ ଗଞ୍ଜେଇ ଚାଲଣ କରୁଛନ୍ତି ମାଫିଆମାନେ। ଏମିତି ଏକ ଭିନ୍ନ ଉପାୟରେ ଚାଉଳ ଗାଡ଼ିରେ ହେଉଥିବା ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ପୋଲିସ।
ସୂଚନା ଅନୁଯାୟୀ, ସୋମବାର ଗୁଡ଼ଭେଳା ତୁଷୁରା ରାସ୍ତାରେ ତୁଷୁରା ପୋଲିସ ପାଟ୍ରୋଲିଙ୍ଗ କରୁଥିଲା। ଏହି ସମୟରେ ତେଣ୍ଡୁଲିଖୁଣ୍ଟି କଲେଜ ସମ୍ମୁଖରେ ଏକ ନାଲି ରଙ୍ଗର ମିନି ଟ୍ରକ ନମ୍ବର ସିଜି ୦୪ ଏମଜେଡ ୪୨୯୦ ପୋଲିସ ଗାଡ଼ିକୁ ଦେଖି ଡ୍ରାଇଭର ଗାଡ଼ି ଛାଡି ଫେରାର ମାରିଥିଲା । ପରେ ପୋଲିସ ମିନିଟ୍ରକକୁ ସନ୍ଦେହରେ ଯାଞ୍ଚ କରିବା ପରେ ଖୁଦ ଚାଉଳ ବସ୍ତା ସହ ବିପୁଳ ପରିମାଣର ଗଞ୍ଜେଇଥିବା ମିଳିଥିଲା।
ଏହାପରେ ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟିଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯେଉଁଥିରେ ୧୧୦୦ ପ୍ୟାକେଟର ଗଞ୍ଜେଇ ରହିଥିଲା। ଜବତ ଗଞ୍ଜେଇର ପରିମାଣ ୧୧ କୁଇଣ୍ଟାଲ ରହିଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ହେବ ବୋଲି ଜଣାପଡ଼ିଛି।
ତେବେ ଏତେ ପରିମାଣରେ ଗଞ୍ଜେଇ କେଉଁଠାରୁ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ? ତାହାବି ପୁଣି ଦିନ ଦ୍ବିପ୍ରହରରେ ତାହାକୁ ନେଇ ବେଶ୍ ଚର୍ଚ୍ଚା। ଏନେଇ ତୁଷୁରା ପୋଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ତୁଷୁରା ଥାନା ଅଧିକାରୀ ମନୋଜ ପ୍ରଧାନ କହିଛନ୍ତି ।