ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ପ୍ଲେ ଅଫ୍ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ କ୍ଵାଲିଫାୟର ମ୍ୟାଚ୍ ଖେଳାଯିବ। ତେବେ ପ୍ଲେ ଅଫ୍ରେ ଖେଳୁଥିବା ଦଳଗୁଡ଼ିକ ପାଇଁ ବଡ଼ ସମସ୍ୟା କିଛି ବିଦେଶୀ ଖେଳାଳି ଘରକୁ ଫେରିଯିବା। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା କାରଣରୁ ଆଇପିଏଲ୍ ଆଠ ଦିନ ପାଇଁ ସ୍ଥଗିତ ରହିଥିଲା। ଏହା ପରେ ବିସିସିଆଇକୁ ପୂରା ସିଡ୍ୟୁଲ ଅପଡେଟ୍ କରିବାକୁ ପଡ଼ିଛି। ଫଳରେ ବିଦେଶୀ ଖେଳାଳି ନିଜର ଜାତୀୟ ଦଳ ପକ୍ଷରୁ ଖେଳିବା ପାଇଁ ସ୍ଵଦେଶ ଫେରି ଯାଇଛନ୍ତି। ଏଥିରୁ କିଛି ଖେଳାଳି ଡବ୍ଲ୍ୟୁଟିସି ଫାଇନାଲ୍ ଖେଳୁଛନ୍ତି। ଆସନ୍ତୁ ଜାଣିବା ପ୍ଲେ ଅଫ୍ ଖେଳୁଥିବା ୪ଟି ଦଳ ମଧ୍ୟରୁ କେଉଁ ଖେଳାଳି ଘରକୁ ଫେରିଛନ୍ତି ଏବଂ ତାଙ୍କର ବଦଳ ଖେଳାଳି ଭାବେ କାହାକୁ ସାମିଲ୍ କରାଯାଇଛି।
ପଞ୍ଜାବ କିଙ୍ଗ୍ସ
ପଞ୍ଜାବ କିଙ୍ଗ୍ସ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ହେଲେ ପ୍ଲେ ଅଫ୍ରେ ଦଳର ଜଣେ ଗୁରୁତ୍ଵପୂର୍ଣ୍ଣ ଖେଳାଳି ଉପସ୍ଥିତ ନାହାନ୍ତି। ଏହି ଖେଳାଳି ହେଉଛନ୍ତି ଦ୍ରୁତ ବୋଲର ମାର୍କୋ ଜନସେନ। ଡବ୍ଲ୍ୟୁଟିସି ଫାଇନାଲ୍ କାରଣରୁ ତାଙ୍କୁ ନିଜ ଜାତୀୟ ଦଳ ଦକ୍ଷିଣ ଆଫ୍ରିକା ସହ ଯୋଗ ଦେବାକୁ ପଡ଼ିବ। ଜନସେନ ନିଜର ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ଦଳର ନିମ୍ନକ୍ରମରେ ମଜବୁତ ପ୍ରଦାନ କରୁଥିଲେ। ହେଲେ ପଞ୍ଜାବ କିଙ୍ଗ୍ସ ଜନସେନଙ୍କ ସ୍ଥାନରେ ଅନ୍ୟ କୌଣସି କାହାକୁ ବଦଳ ଖେଳାଳି ଭାବେ ରଖିନାହିଁ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ଆରସିବି ପକ୍ଷରୁ ଲୁଙ୍ଗି ଏନଗିିଡି ଓ ଜ୍ୟାକବ ବେଥେଲ ପ୍ଲେ ଅଫ୍ ଖେଳୁ ନାହାନ୍ତି। ତାଙ୍କର ବଦଳ ଖେଳାଳି ଭାବେ ଫ୍ରାଞ୍ଚାଇଜ ବ୍ଲେସିଙ୍ଗ ମୁଜରବାନି ଓ ଟିମ୍ ସେଇଫର୍ଟକୁ ରଖିଛନ୍ତି। ହେଲେ ଆରସିବି ପାଇଁ ଖୁସିର କଥା ଦଳର ମୁଖ୍ୟ ଦ୍ରୁତ ବୋଲର ଜୋଶ ହେଜେଲଉଡ ପ୍ଲେ ଅଫ୍ ମୁକାବିଲା ପାଇଁ ଦଳ ସହ ଅଛନ୍ତି। ଟିମ୍ ସେଇଫର୍ଟଙ୍କ ଆଗମନ କାରଣରୁ ଆରସିବି ବ୍ୟାଟିଂ ଆହୁରି ଦୃଢ ହୋଇଛି। ଟିମ୍ ଡେଭିଡ ଆଘାତ କାରଣରୁ ଗତ ମ୍ୟାଚ୍ ଖେଳି ପାରି ନ ଥିଲେ।
ଗୁଜରାଟ ଟାଇଟନ୍ସ
ସବୁଠୁ ବଡ଼ ଝଟକା ଗୁଜରାଟ ଟାଇଟନ୍ସକୁ ଲାଗିଛି। ଗୁଜରାଟ ଦଳରୁ କାଗିସୋ ରାବଡା ଓ ଜୋସ ବଟଲର ସ୍ଵଦେଶ ଫେରି ଯାଇଛନ୍ତି। ଏଥିରେ ବଟଲରଙ୍କ ଅନୁପସ୍ଥିତି ଜିଟି ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିପାରେ। ସଭିଙ୍କୁ ଜଣା ଚଳିତ ସିଜିନରେ ଗୁଜରାଟର ସଫଳତାରେ ଦଳର ଶୀର୍ଷ ତିନି ବ୍ୟାଟରଙ୍କ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଛି। ତେଣୁ ପ୍ଲେ ଅଫ୍ରେ ବଟଲରଙ୍କ ଅନୁପସ୍ଥିତି ଜିଟିକୁ ଅନୁଭୂତ ହୋଇପାରେ। ବଟଲରଙ୍କ ବଦଳ ଖେଳାଳି ଭାବେ କୁଶଲ ମେଣ୍ଡିସଙ୍କୁ ଦଳ ଚୟନ କରିଛି। ସେ ମଧ୍ୟ ଜଣେ ଶୀର୍ଷକ୍ରମର ଓ୍ଵିକେଟ୍ କିପିଂ ବ୍ୟାଟର। ମାତ୍ର ଜୋସ ବଟଲରଙ୍କ ସ୍ଥାନ ନେବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜିଂ ହୋଇପାରେ।
ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ରୁ ଦୁଇ ଖେଳାଳି ରିୟାନ ରିକଲଟନ ଓ ଓ୍ଵିଲ ଜ୍ୟାକ୍ସ ସ୍ଵଦେଶ ଫେରି ଯାଇଛନ୍ତି। ଦୁଇ ଖେଳାଳି ଚଳିତ ସିଜିନରେ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଉଭୟ ଶୀର୍ଷ କ୍ରମରେ ମୁମ୍ବାଇ ପାଇଁ ଗୁରୁତ୍ଵପୂର୍ଣ୍ଣ ରନ କରିଥିଲେ। ଓ୍ଵିକେଟ୍ କିପିଂ ଭାବେ ରିକଲଟନ ଦଳକୁ ସ୍ଥିରତା ପ୍ରଦାନ କରିଥିଲେ। ଦେଖିବାକୁ ବାକି ରହିଲା ତାଙ୍କ ସ୍ଥାନରେ ଜୋନି ବେୟାରଷ୍ଟୋ ଏହି ଭୂମିକା କିଭଳି ନିର୍ବାହ କରୁଛନ୍ତି। ଏହା ବ୍ୟତୀତ କାର୍ବିନ ବୋଶ ମଧ୍ୟ ଏମଆଇ ଦଳରେ ନାହାନ୍ତି। ଏହି ତିନି ଖେଳାଳି ସ୍ଥାନରେ ମୁମ୍ବାଇ ଜୋନି ବେୟାରଷ୍ଟୋ, ଚରିଥ ଅସଲଙ୍କା ଓ ରିଚାର୍ଡ ଗ୍ଲିସନଙ୍କୁ ସ୍ଥାନ ଦେଇଛି।