‘ଇରାନକୁ ଦେବେ ପରମାଣୁ ହତିଆର...’, ରୁଷର ପୂର୍ବତନ ରାଷ୍ଟ୍ରପତିଙ୍କ ବଡ଼ ଦାବି; ପୁଟିନଙ୍କୁ ଭେଟିବେ ଇରାନ ବିଦେଶ ମନ୍ତ୍ରୀ

Published By : Prameya-News7 Bureau | June 22, 2025 IST

ନୂଆଦିଲ୍ଲୀ: ଇରାନର ତିନି ପରମାଣୁ ଠିକଣା ଉପରେ ଶନିବାର ରାତିରେ ଆମେରିକା B-୨ ବୋମ୍ୱରରେ ଆକ୍ରମଣ କରିଥିଲା । ଆମେରିକା ଦାବି କରିଛି ଯେ ଏଥିରେ ଫୋର୍ଡୋ, ନତାଞ୍ଜ ଓ ଇସ୍ଫହାନରେ ଥିବା ନ୍ୟୁକ୍ଲିୟର ପ୍ରତିଷ୍ଠାନ ନଷ୍ଟ ହୋଇଛି, କିନ୍ତୁ ଇରାନ କୌଣସି ପ୍ରକାର କ୍ଷତିକୁ ଅସ୍ୱୀକାର କରିଛି । ଏହାରି ଭିତରେ ଇରାନ ଓ ରୁଷ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଆଲୋଚନା କରିବାକୁ ଯାଉଛନ୍ତି । ଇରାନ ବିଦେଶ ମନ୍ତ୍ରୀ ଅବ୍ବାସୀ ଅରାଘଚୀ ସୋମବାର ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ । 

ଅନ୍ୟପଟେ ରୁଷର ପୂର୍ବତନ ରାଷ୍ଟ୍ରପତି ଓ ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରି ମେଦଭେଦେଭ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଅନେକ ଦେଶ ଇରାନକୁ ନିଜ ପରମାଣୁ ହତିଆର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ମେଦଭେଦେଭ ଆକ୍ରମଣ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଶାନ୍ତି ଦାବି କରି କ୍ଷମତାକୁ ଆସିଥିବା ଟ୍ରମ୍ପ ଆମେରିକାକୁ ମଧ୍ୟପ୍ରଚ୍ୟ ଯୁଦ୍ଧ ଭିତରକୁ ଠେଲିଛନ୍ତି । ଆମେରିକାର ଆକ୍ରମଣରେ ଇରାନର ପରମାଣୁ ପ୍ରତିଷ୍ଠାନକୁ ଆଦୌ କ୍ଷତି ପହଞ୍ଚି ନଥିବା ସେ କହିଛନ୍ତି ।  

ମେଦଭେଦେଭ ଆମେରିକାକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ଭବିଷ୍ୟତରେ ପରମାଣୁ ହତିଆରର ଉତ୍ପାଦନ ଜାରି ରହିବ । ସେ ଏହା ବି ଦାବି କରିଛନ୍ତି, ଅନେକ ଦେଶ ଇରାନକୁ ପରମାଣୁ ହତିଆର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ସେ କୌଣସି ଦେଶର ନାଁ ନେଇ ନାହାନ୍ତି । ସେପଟେ ବିଶ୍ୱ ମଞ୍ଚରେ ଏକୁଟିଆ ଥିବା ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରଘାଚୀ କହିଛନ୍ତି, ରୁଷ ଆମର ପ୍ରକୃତ ବନ୍ଧୁ ଓ ଆମେ ପରସ୍ପରଠାରୁ ପରାମର୍ଶ ନେଇଥାଉ । ପୁଟିନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ନେବା ପାଇଁ ମସ୍କୋ ଯିବି । ଆମେରିକାର ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଘୋର ଉଲ୍ଲଂଘନ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.