ଭୁବନେଶ୍ୱର ୨୨।୦୭ : ବଢିଲା ସସ୍ପେନ୍ସ । ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି । ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତରେ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ଏହା ତାଙ୍କର ୨ୟ ଥର ଲାଗି ଦିଲ୍ଲୀ ଗସ୍ତ । ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିପାରନ୍ତି ।
ଖବର ଅନୁଯାୟୀ, ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ବଢିଲା ଚର୍ଚ୍ଚା । ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କ ସାକ୍ଷାତ କରିଥିବା ବେଳେ ମଙ୍ଗଳବାର ସକାଳେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ସଭାପତି । ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ରାଜ୍ୟ ସଭାପତିଙ୍କ ଏହା ୨ୟ ଦିଲ୍ଲୀ ଗସ୍ତ । ଏହି ଗସ୍ତ ଅବସରରେ ସଂଗଠନର ବିଭିନ୍ନ ସ୍ଥିତି ନେଇ ଆଲୋଚନା ହେବ ।
ସେହିପରି ଏହି ଗସ୍ତ ଅବସରରେ ବିଜେପିର ବରିଷ୍ଠ ନେତାଙ୍କ ସହ ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ବିଭିନ୍ନ ବୋର୍ଡ ଓ ନିଗମର ପଦବୀ ପୂରଣ ନେଇ ଆଲୋଚନା ହୋଇପାରେ । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିଲେ । ସେଠାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ବିଭିନ୍ନ ବୋର୍ଡ ଓ ଖାଲି ପଡିଥିବା ନିଗମ ପଦବୀ ପୂରଣ ନେଇ ଆଲୋଚନା କରିଥିଲେ ।