ଦିଲ୍ଲୀ ଅବକାରୀ ନୀତି ମାମଲା: ସିସୋଦିଆ କହିଲେ-ମୋ ପାଖକୁ ପଇସା ପହଞ୍ଚିଥିବା ପ୍ରମାଣ କରିପାରି ନାହାନ୍ତି ED ଅଥବା CBI

Published By : Prameya-News7 Bureau | April 02, 2024 IST

ନୂଆଦିଲ୍ଲୀ ୨।୪: କଥିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମନିଲଣ୍ଡ୍ରିଂ ମାମଲାରେ ମଙ୍ଗଳବାର ଆମ ଆଦମୀ ପାର୍ଟି (ଆପ୍) ନେତା ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଯାଇଛି। ସେପଟେ ରାଉଜ ଏଭେନ୍ୟୁ କୋର୍ଟରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ନିବେଦନ ଉପରେ ଶୁଣାଣି ହୋଇଛି। ଏଥିରେ ସିସୋଦିଆ ଜାମିନ ଆବେଦନ ଶୁଣାଣି କରୁଥିବା କୋର୍ଟଙ୍କୁ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସୀମାନେ (କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏହା ସାବ୍ୟସ୍ତ କରିପାରି ନାହାନ୍ତି ଯେ ମାମଲାରେ ମୋ ହାତକୁ ପଇସା ପହଞ୍ଚିଥିଲା। 

ମାମଲାରେ ‘ମୁଖ୍ୟଷଡଯନ୍ତ୍ରକାରୀ’ ନାମିତ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ହାଜର ବରିଷ୍ଠ ଓକିଲ ମୋହିତ ମାଥୁର ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କୁ କହିଛନ୍ତି ଯେ ଆପ୍ ନେତା ଜାମିନ ନିମନ୍ତେ ପାତ୍ର ଅଟନ୍ତି। କାରଣ ଏପରି କୌଣସି ଅଭିଯୋଗ ନାହିଁ ଯେଉଁଥିରେ ସରକାରୀ ରାଜକୋଷର କ୍ଷତି ହୋଇଛି ବା କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ କ୍ଷତି ଅଥବା ଆମ ଭଳି କୌଣସି ସାଧାରଣ ଉପଭୋକ୍ତା ଏଥି ଯୋଗୁ ଠକେଇର ଶିକାର ହୋଇଛେ। 

ଗତବର୍ଷ ଫେବୃଆରୀରେ ପ୍ରଥମେ ସିବିଆଇ ଦ୍ୱାରା ଓ ମାସକ ପରେ ଇଡିଙ୍କ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ୧ ବର୍ଷରୁ ଅଧିକ କାଳ ହେଲା ଜେଲରେ ବନ୍ଦୀ ଅଛନ୍ତି। ଇଡିଙ୍କ ଚାର୍ଜସିଟ୍‌ରେ ସିସୋଦିଆଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଉଲ୍ଲେଖ କରାଯାଇଥିଲା। ଏଥିରେ ସମାପ୍ତ ହୋଇସାରିଥିବା ଦିଲ୍ଲୀ ଅବକାରୀ ନୀତି ପ୍ରସ୍ତୁତିରେ ଅତିରିକ୍ତ ପ୍ରକ୍ରିୟାତ୍ମକ ହସ୍ତକ୍ଷେପ କରିବା, ମଦ କାରବାର କରୁଥିବା ସଂସ୍ଥାଙ୍କ ନିମନ୍ତେ ଏଥିରେ ପରିବର୍ତ୍ତନ କରିବା ଓ ଏଥିଯୋଗୁ ରାଜକୋଷକୁ କୋଟିକୋଟି ଟଙ୍କା କ୍ଷତିରେ ପକାଇଥିବାର ଅଭିଯୋଗ ହୋଇଥିଲା। 

ତେବେ ମାଥୁର କହିଛନ୍ତି ଯେ ସମାପ୍ତ ହୋଇସାରିଥିବା ଅବକାରୀ ନୀତି ଯୋଗୁ ସରକାରୀ ରାଜସ୍ୱରେ ବାସ୍ତବିକ ବୃଦ୍ଧି ହୋଇଥିବା ପରେ ରିପୋର୍ଟ ଆସିଥିଲା। ସେହିପରି ବରିଷ୍ଠ ଓକିଲ କହିଛନ୍ତି ଯେ ସିସୋଦିଆ ଯେହେତୁ ଏବେ ଉପମୁଖ୍ୟମନ୍ତ୍ରୀ ପଦବୀରେ ନାହାନ୍ତି ଏଣୁ ସେ ଆଗଭଳି ପ୍ରଭାବଶାଳୀ ନୁହନ୍ତି ଯେଉଁଥିରେ ଅଭିଯୁକ୍ତ ଭାବେ ସେ ଫେରାର ହୋଇଯିବାର ସମ୍ଭାବନା କିମ୍ବା ସାକ୍ଷମାନଙ୍କୁ ପ୍ରଭାବିତ କରିବା ଅଥବା ପ୍ରମାଣ  ହେରଫେର କରିବେ ଜାମିନ ପାଇଁ ୩ଟି ପରୀକ୍ଷଣରେ ସେଭଳି କୌଣସି ଆଶଙ୍କା ନାହିଁ। ଏଣୁ ତାଙ୍କୁ ଜାମିନ ମଞ୍ଜୁର କରାଯାଉ। 

ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଓକିଲ ମାଥୁର କହିଛନ୍ତି ଯେ ଗତ ୧୩ ମାସ ହେଲେ ହାଜତରେ ରହୁଛି, ହେଲେ କୋର୍ଟ ଦ୍ୱାରା ମୋତେ ଦିଆଯାଇଥିବା ସ୍ୱାଧୀନତାର ଦୂରୁପଯୋଗ କରି ନାହିଁ। ମାଥୁର କହିଥିଲେ ଯେ ମାମଲାରେ ସହ ଅଭିଯୁକ୍ତ ବିନୟ ବାବୁ ମଧ୍ୟ୧୩ ମାସ ଜେଲରେ ବିତାଇଥିଲେ ଓ ବିଳମ୍ବ ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। ଗତବର୍ଷ ଜୁଲାଇରେ ସିସୋଦିଆ ସୁପ୍ରମକୋର୍ଟଙ୍କୁ ସୂଚିତ କରିଥିଲେ ଯେ ଏଜେନ୍ସୀ ତାଙ୍କ ଦ୍ୱାରା ଅପରାଧରୁ ପ୍ରାପ୍ତ କୌଣସି ପ୍ରକାର ଆୟ ସନ୍ଧାନ କରିବାରେ ବିଫଳ ହୋଇଛନ୍ତି। ସେହିପରି ସୁପ୍ରିମକୋର୍ଟ ସେତେବେଳେ କ୍ରସ୍ ପରୀକ୍ଷଣରେ ମାତ୍ର ଦୁଇଟି ପ୍ରଶ୍ନରେ କେସ୍‌ ବିଫଳ ହୋଇଯାଇପାରେ ବୋଲି ମଧ୍ୟ କେନ୍ଦ୍ରୀୟ ଏଜେନ୍ସୀଙ୍କୁ  ସତର୍କ କରିଥିଲେ। 

ସେହିପରି ସିସୋଦିଆଙ୍କୁ ଆନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହାଜତରେ ରଖି ପାରିବେନି ବୋଲି ଇଡି ଓ ସିବିଆଇଙ୍କୁ ସୁପ୍ରିମକୋର୍ଟ ଅନେକ ବାର କହିଛନ୍ତି। ଏହା ସତ୍ତ୍ୱେ ଅକ୍ଟୋବର ୩୦ରେ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ନିଜ ଜାମିନର ସମୀକ୍ଷା କରିଥିଲେ ଓ ତଦନ୍ତକାରୀ ସଂସ୍ଥାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ପିଏମଏଲଏ ମାମଲାରେ ଏକ ସ୍ପଷ୍ଟ ଆଧାର ଯାହା ସାମଗ୍ରୀ ଓ ପ୍ରମାଣ ଦ୍ୱାରା ଅସ୍ଥାୟୀ ରୂପେ ସମର୍ଥିତ ଥିଲା। ତାହା ହେଉଛି ନୀତିରେ କରାଯାଇଥିବା ପରିବର୍ତ୍ତନ ଯୋଗୁ ପାଇକାରୀ ବିକ୍ରେତାଙ୍କୁ ୩୩୮ କୋଟି ଟଙ୍କାର ଅତିରିକ୍ତ ଲାଭ ମିଳିଥିଲା। 

ମାଥୁର ଅଭିଯୋଗ କରିଛନ୍ତି ଯେ ସେତେବେଳେ ଇଡି ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଯାଞ୍ଚ ୬ରୁ ୮ ମାସରେ ଶେଷ ହୋଇଯିବ ଓ ଶୀର୍ଷ ନ୍ୟାୟାଳୟଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ୬ ମାସ କେବେଠୁ ପୁରଣ ହୋଇସାରିଲାଣି ଓ ତଦନ୍ତ ଏବେବି ସରିନି। ସେ କହିଛନ୍ତି ଯେ ସିସୋଦିଆଙ୍କ ଯାଞ୍ଚ ଶେଷ ହୋଇସାରିଛି ଓ ଏଥି ପାଇଁ ମାମଲାରେ ସେ ଜାମିନ ପାଇବାକୁ ହକଦାର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.