ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ ବିରେନ୍‌ ସିଂଙ୍କ ଇସ୍ତଫା, ହାଇ ଆଲର୍ଟରେ ରହିବାକୁ ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | February 09, 2025 IST

ନୂଆଦିଲ୍ଲୀ: ମଣିପୁରରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ରାଜ୍ୟର ସିଏମ ଏନ୍‌ ବିରେନ ସିଂ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ଏହାର କିଛି ସମୟ ପୂର୍ବରୁ ବିରେନ ସିଂ ରାଜ୍ୟପାଳଙ୍କୁ ଭେଟିବା ପାଇଁ ବିଜେପି ସାଂସଦ ସମ୍ବିଟ ପାତ୍ର, ମଣିପୁର ସରକାରୀ ମନ୍ତ୍ରୀ ଏବଂ ବିଧାୟକଙ୍କ ସହ ରାଜଭବନରେ ପହଞ୍ଚିଥିଲେ। ଏହି ନିଷ୍ପତ୍ତି ପୂର୍ବରୁ ବିରେନ ସିଂ ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ଗୃହ ସୁରକ୍ଷା ମନ୍ତ୍ରଣାଳୟ ସମସ୍ତ ସୁରକ୍ଷା ଏଜେନ୍ସିକୁ ହାଇ ଆଲର୍ଟ ରହିବାକୁ କହିଛି।

ଦୀର୍ଘ ଦିନ ଧରି ବିରେନ ସିଂଙ୍କୁ ନେଇ ବିଜେପି ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଗତ ବର୍ଷ ଅକ୍ଟୋବର ମାସରେ ମଣିପୁରର ୧୯ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ପଠାଇ ଏନ ବିରେନ ସିଂଙ୍କୁ ସିଏମ ପଦରୁ ହଟାଇବାକୁ ଦାବି କରିଥିଲେ। ଏହି ଚିଠିର ଦସ୍ତଖତରେ ବିଧାନସଭା ବାଚସ୍ପତି ଥୋକମ୍ ସତ୍ୟବ୍ରତ ସିଂ, ମନ୍ତ୍ରୀ ଥୋଙ୍ଗମ୍ ବିଶ୍ୱଜିତ ସିଂ ଏବଂ ଯୁମ୍ନାମ୍ କେମଚାନ୍ଦ ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

ପ୍ରକାଶଥାଉକି ମଣିପୁରରେ ହିଂସା ଦୀର୍ଘ ଦିନ ଧରି ଏକ ଗମ୍ଭୀର ପ୍ରସଙ୍ଗ ହୋଇଆସୁଥିଲା। ରାଜ୍ୟରେ ମୈତୈ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ସହିତ ଅନେକ ହିଂସାତ୍ମକ ସଂଘର୍ଷ ଘଟିଛି, ଯାହାଦ୍ୱାରା ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ଘରୁ ପଳାଇବାକୁ ବାଧ୍ୟ କରିଛନ୍ତି। ଗତ କିଛି ମାସ ମଧ୍ୟରେ ରାଜ୍ୟରେ ବଡ଼ ଧରଣର ସଂଘର୍ଷ ଘଟି ଅନେକ ଆହତ ହୋଇଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.