‘ଇଣ୍ଡିଗୋର ସମସ୍ୟା ପାଇଁ ସରକାର ଦାୟୀ’; ଏଭଳି ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

NEWS7
man-gets-salary-hikes-promotions-for-doing-nothing-for-five-years-by-this-trick-know-how

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଗୁରୁତର ପରିଚାଳନାଗତ ଅସୁବିଧାର ସମ୍ମୁଖୀନ ହେଉଛି । ବିମାନ ବାତିଲ ହେଉଥିବାରୁ ଯାତ୍ରୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଇଣ୍ଡିଗୋ ଡିସେମ୍ବର ୫ (ଶୁକ୍ରବାର) ରାତି ୧୨ଟା ପର୍ଯ୍ୟନ୍ତ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ସମସ୍ତ ଘରୋଇ ବିମାନ ବାତିଲ କରିଛି । ଅନ୍ୟାନ୍ୟ ବିମାନ ବନ୍ଦର ସମେତ, ଶୁକ୍ରବାର ୪୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ଇଣ୍ଡିଗୋର ଏଭଳି ଅସୁବିଧାକୁ ନେଇ ସରକାରଙ୍କୁ ଘେରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଇଣ୍ଡିଗୋର ବିଫଳତା ହେଉଛି, ସରକାରଙ୍କ ଏକାଚାଟିଆ ମଡେଲର ମୂଲ୍ୟ। ନଭେମ୍ବର ୬, ୨୦୨୪ ର ଏକ ଆର୍ଟିକିଲକୁ ରିପୋଷ୍ଟ କରି ରାହୁଲ ଗାନ୍ଧୀ କହିଛନ୍ତି, ‘ପୁଣିଥରେ ଭାରତୀୟମାନେ ବିଳମ୍ବ, ବାତିଲ ଏବଂ ଅସହାୟତା ରୂପରେ ଏହାର ମୂଲ୍ୟ ଦେଉଛନ୍ତି। ଭାରତ ପ୍ରତ୍ୟେକ କ୍ଷେତ୍ରରେ ନିରପେକ୍ଷ ପ୍ରତିଯୋଗିତା ପାଇବାକୁ ଯୋଗ୍ୟ ।’

 

ଇଣ୍ଡିଗୋ ବିମାନ ବାତିଲ ହେବା ଯୋଗୁଁ ଦେଶର ବିଭିନ୍ନ ବିମାନ ବନ୍ଦରରେ ଯାତ୍ରୀମାନେ ଫସି ରହିଛନ୍ତି ଏବଂ ହଇରାଣ ହେଉଛନ୍ତି। ସମସ୍ତ ପ୍ରମୁଖ ବିମାନ ବନ୍ଦରରେ ବିମାନକୁ ଅପେକ୍ଷା କରିଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଲୋକମାନେ କହିଛନ୍ତି ଯେ, ସେମାନଙ୍କୁ ସଠିକ୍ ସୂଚନା ପ୍ରଦାନ କରାଯାଉନାହିଁ । ସେମାନଙ୍କୁ କୁହାଯାଇ ନାହିଁ ଯେ, ବିମାନ କେବେ ଛାଡିବ । ଉତ୍ତେଜନା ମଧ୍ୟରେ, ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କ୍ଷମା ପ୍ରାର୍ଥନା କରିଛି । କହିଛି ଯେ, ଏହା ପରିସ୍ଥିତିକୁ ସୁଧାରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛି।

ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି ଯେ, ବୈଷୟିକ ସମସ୍ୟା, ଶୀତକାଳୀନ ସମୟସୂଚୀ ପରିବର୍ତ୍ତନ, ଖରାପ ପାଗ, ବର୍ଦ୍ଧିତ ଭିଡ଼ ଏବଂ କ୍ୟାବିନ କ୍ରୁ କାର୍ଯ୍ୟ ଘଣ୍ଟାରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି। ଏହାର ମୁଖ୍ୟ କାରଣ ହେଉଛି ପାଇଲଟ ଏବଂ କ୍ୟାବିନ କ୍ରୁ ପାଇଁ ବିଶ୍ରାମ ପ୍ରଦାନ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ। ବିମାନ କମ୍ପାନୀ କହିଛି ଯେ, ସମୟ ମଧ୍ୟରେ ଏହି ନିୟମଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇପାରି ନାହିଁ ଏବଂ ବର୍ତ୍ତମାନ ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ମଧ୍ୟ ସମସ୍ୟା ବଢ଼ିଛି ।