ବ୍ରହ୍ମପୁର: ଯୁବତୀକୁ ଛୁରି ଭୁଶି ହତ୍ୟା କଲା ପୁରୁଷ ବନ୍ଧୁ। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ। ଏଠାରେ ଏକ ଗେଷ୍ଟ ହାଉସରେ ଯୁବତୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମୃତ ଯୁବତୀଙ୍କ ଘର ଲାଞ୍ଜିପଲ୍ଲୀ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ମଙ୍ଗଳବାର ବସଷ୍ଟାଣ୍ଟ ନିକଟରେ ଥିବା ପୁଷ୍ପାଞ୍ଜଳି ଗେଷ୍ଟ ହାଉସରେ ଯୁବତୀଙ୍କୁ ଛୁରୀ ଭୁଶି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଜଣାପଡ଼ିଛି ଦିନ ପ୍ରାୟ ୧୧ ଟା ସମୟରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁ ସହ ଗେଷ୍ଟ ହାଉସକୁ ଆସିଥିଲେ। ଉଭୟ ୧୧୨ ନମ୍ବର ରୁମରେ ରହିଥିଲେ। ହେଲେ ପରେ ଯୁବକ ଜଣଙ୍କ ସେଠାରୁ ଏକା ଚାଲିଯାଇଥିଲେ। ଆଉ ଅନେକ ସମୟ ଧରି ନଫେରିବାରୁ ଗେଷ୍ଟ ହାଉସ କର୍ତ୍ତୃପକ୍ଷ ଯାଞ୍ଚ କରିଥିଲେ ଏବଂ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଁ ଗୋସାଇଁନୂଆଗାଁ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି, ଦକ୍ଷିଣାଞ୍ଚଳ ଆଇଜି ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।
ଘଟଣାକୁ ନେଇ ଏସପି କହିଛନ୍ତି, ଥାନାରେ ପୁରୁଷ ବନ୍ଧୁ ଯୁବତୀକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଏଥିରେ ନିଜେ ପୁରୁଷ ବନ୍ଧୁ ଅଭୟ ମଧ୍ୟ ଆହତ ହୋଇଛି। ଛୋଟ ବେଳୁ ଦୁହେଁ ଭଲ ସାଙ୍ଗ ଥିଲେ। ଗତ କିଛି ଦିନ ତଳେ ଅଭୟ ଚାକିରି ହରାଇଥିବାରୁ ଯୁବତୀ ଜଣକ ତାଙ୍କୁ ଆଉ ପୂର୍ବ ପରି ସମ୍ମାନ କରୁନଥିଲେ। ଆହୁରି ମଧ୍ୟ ଯୁବତୀଙ୍କ ବିବାହ ପାଇଁ ଭଲ ପ୍ରସ୍ତାବ ଆସୁଥିବା ନେଇ ଅଭୟ ଜାଣିବାକୁ ପାଇଥିଲା। ତେଣୁ ଏସବୁକୁ ନଜରରେ ରଖି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ଏସପି କହିଛନ୍ତି। ତେବେ ଅଭୟଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ବ୍ରହ୍ମପୁର ଏସପି।