ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଗଲ୍ଫ କ୍ଲବ ଉପରକୁ ଉଡ଼ି ଆସିଲା ବିମାନ, F-16 ଲଗାଇ ତଡାଗଲା

Published By : Prameya-News7 Bureau | July 06, 2025 IST

ନ୍ୟୁଜର୍ସି ୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ବଡ଼ ବିଚ୍ୟୁତି ଦେଖା ଯାଇଛି। ଆମେରିକା ବାୟୁ ରକ୍ଷା ଏଜେନ୍ସୀ ନର୍ଥ ଆମେରିକାନ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ ଏକ ବେସାମରିକ ବିମାନକୁ ଏଫ-୧୬ ଫାଇଟର ଜେଟ୍ ସହାୟତାରେ ଘଉଡାଇଥିବା ଜଣାପଡିଛି। ଏହି ବେସାମରିକ ବିମାନଟି ଡୋନାଲ୍ଡ ଟ୍ରମ୍ପଙ୍କ ବେଡମିନଷ୍ଟରସ୍ଥିତ ଗଲ୍ଫ କ୍ଲବ ଉପରେ ଉଡୁଥିଲା। 

ଅସ୍ଥାୟୀ ନୋ ଫ୍ଲାଇ ଜୋନ ଘୋଷଣା ହୋଇଥିବା ବେଳେ ବିମାନଟି ଭୁଲକ୍ରମେ ଗଲ୍ଫ କୋର୍ସ ଉପରକୁ ଉଡି ଆସିଥିଲା। ନୋରାଡ ଅନୁସାରେ ଏହା ଦିନକରେ ପଞ୍ଚମ ଅନୁପ୍ରବେଶ ଥିଲା। ଇଣ୍ଚରସେପ୍ଟ କାଳରେ ଏଫ-୧୬ ହେଡବଟ୍ ରଣନୀତି ଆପଣେଇଥିଲା। ବେସାମରିକ ବିମାନ ଆଗେ ଆଗେ ଏଫ-୧୬ ଉଡିଥିଲା ଯେପରି ବିମାନର ଧ୍ୟାନ ଯୁଦ୍ଧ ବିମାନ ଉପରେ ରହିବ। ଏହା ପରେ ବିମାନଟି ସୁରକ୍ଷିତ ରୂପେ ବର୍ଜିତ ବାୟୁ କ୍ଷେତ୍ର ବାହାରକୁ ଚାଲି ଯାଇଥିଲା। 

ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ଟ୍ରମ୍ପ ଆଜିକାଲି ଛୁଟି କଟେଇବା ପାଇଁ ନ୍ୟୁଜର୍ସିରେ ଅବସ୍ଥାନ କରୁଛନ୍ତି। ଏଣୁ ଟ୍ରମ୍ପଙ୍କ ଉପସ୍ଥିତି ଯୋଗୁ ସେ ରହୁଥିବା ଅଞ୍ଚଳର ବାୟୁ ସୀମାକୁ ଅସ୍ଥାୟୀ ନୋ ଫ୍ଲାଇଜୋନ ଘୋଷଣା କରାଯାଇଛି। ତେବେ ଏହି ଘଟଣା ଯୋଗୁ ଟ୍ରମ୍ପଙ୍କ ସୁରକ୍ଷା ଅଥବା ତାଙ୍କ କାର୍ଯ୍ୟକ୍ରମ ଉପରେ କୌଣସି ପ୍ରଭାବ ପଡି ନାହିଁ। ହେଲେ ଟ୍ରମ୍ପଙ୍କ ଆବାସ ଉପରେ ନୋ ଫ୍ଲାଇଜୋନ ଉଲ୍ଲଂଘନର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଟ୍ରମ୍ପଙ୍କ ବାସ ଭବନ ମାର-ଏ-ଲାଗୋ ଉପରେ ନୋ ଫ୍ଲାଇ ଜୋନ ଉଲ୍ଲଂଘନ ହୋଇଥିଲା। 

ତେବେ ନୋରାଡ ଏପରି ବଢୁଥିବା ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ଏଣୁ ସବୁ ପାଇଲଟଙ୍କୁ ଆଗ୍ରହ କରାଯାଇଛି ଯେ ସେମାନେ ଉଡାଣ କରିବା ପୂର୍ବରୁ ନୋଟିସ ଟୁ ଏୟାର ମେନ (ନୋଟାମ) ଓ ଟେମ୍ପରାରୀ ଫ୍ଲାଇ ରେଷ୍ଟ୍ରିକ୍ସନ (ଟିଏଫଆର) ନିୟମଗୁଡିକ ନିଶ୍ଚୟ ପାଳନ କରନ୍ତୁ, ଯାହା ଦ୍ୱାରା ଦେଶର ସୁରକ୍ଷା, ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ବିମାନ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ। କମାଣ୍ଡର ଜେନରାଲ ଗ୍ରେଗରୀ ଗିଲଟ କହିଛନ୍ତି ଯେ ଟିଏଫଆର ନିୟମଗୁଡିକର ପାଳନ କରାଯିବା ଜରୁରି। 

ଜାନୁୟାରୀ ୨୦୨୫ରୁ ଏ ପର୍ଯ୍ୟନ୍ତ ଏପରି ଅନେକ ଘଟଣା ଘଟିଲାଣି। ଯେଉଁଥିରେ ବେ ସାମରିକ ବିମାନ ଜାଣିଶୁଣି ଅଥବା ଅଜାଣତରେ ନୋ ଫ୍ଲାଇଜୋନ ଉଲ୍ଲଂଘନ କରୁଛନ୍ତି। ଅଧିକାଂସ ମାମାଲାରେ ପାଇଲଟଙ୍କୁ ଉଚିତ ସୂଚନା ନଥିବା ଯୋଗୁ ଏପରି ଘଟଣାସବୁ ଘଟୁଛି। ଆମେରିକାରେ ଏବେ ଗ୍ରୀଷ୍ମ ଅବକାଶ ଓ ସ୍ୱାଧୀନତା ଦିବସ କାରଣରୁ ଘରୋଇ ବିମାନଙ୍କ ଯାତାୟାତ ବଢି ଯାଇଛି। ଏଣୁ ଏପରି କ୍ଷେତ୍ରରେ ସତର୍କତା ଜରୁରି ହୋଇପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.