ନାଗପୁରରେ ବଡ ଅଘଟଣ; ଭୁଶୁଡିଲା ମନ୍ଦିରର ନିର୍ମାଣଧୀନ ଗେଟ୍, ୧୭ ଶ୍ରମିକ ଆହତ

Published By : Prameya-News7 Bureau | August 10, 2025 IST

ମୁମ୍ଵାଇ ୧୦।୦୮; ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଅଘଟଣ । ମହାଲକ୍ଷ୍ମୀ ଜଗଦମ୍ବା ଦେବସ୍ଥାନ ମନ୍ଦିରର ଦ୍ବାରର ସ୍ଲାବ୍ ଭୁଶୁଡି ୧୭ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏପରି ଘଟଣା ଶନିବାର ରାତି ପ୍ରାୟ ୮.୧୫ରେ ଦେଖିବାକୁ ମିଳିଛି । ୧୭ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ, ପୋଲିସ, ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଚିକିତ୍ସା ପାଇଁ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ନିଶ୍ଚିତ ହୋଇନାହିଁ।

ସୂଚନାନୁଯାୟୀ, ଘଟଣା ଘଟିବା ସମୟରେ ମନ୍ଦିର ଦ୍ବାରର ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେହି ସମୟରେ ସ୍ଲାବ୍ ଖସି ପଡିବାରୁ ଶ୍ରମିକମାନେ ଆହତ ହୋଇଥିଲେ । ୧୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟମାନଙ୍କ ଅବସ୍ଥା ସାମାନ୍ୟ ରହିଛି । ଦୁର୍ଘଟଣା ପରେ ତୁରନ୍ତ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଦଳ ସବୁ ପାର୍ଶ୍ୱରୁ ଭଗ୍ନାବଶେଷ ହଟାଇବା ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ। ବର୍ତ୍ତମାନ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ହିଁ ପରବର୍ତ୍ତୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।

ଅନ୍ୟପଟେ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଡେପୁଟି କମିଶନର ଅଫ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ସ୍ଲାବ୍ ଭୁଶୁଡ଼ିବାର ସଠିକ୍ କାରଣ ବର୍ତ୍ତମାନ ଜଣାପଡିନାହିଁ ବୋଲି ସୂଚନା ଦେଇଛି । ଏହି ଘଟଣାର ତଦନ୍ତ କରିବା ପାଇଁ ପ୍ରଶାସନ ବିଶେଷଜ୍ଞଙ୍କ ଏକ ଟିମକୁ ଘଟଣାସ୍ଥଳକୁ ଡକାଇଛି । ଯାହାର ସଠିକ୍ ତଦନ୍ତ ସେମାନଙ୍କ ଟିମ୍ କରିବେ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.