ମୂର୍ତ୍ତି ଭାସୁଥିଲା, ପାଣିରୁ ଛାଣି ଆଣିଲେ ଗ୍ରାମବାସୀ, ମହୁଖଣ୍ଡା ଶ୍ରୀଜଗନ୍ନାଥ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

Published By : Prameya-News7 Bureau | May 29, 2025 IST

ଭୁବନେଶ୍ୱର: ଭାସିଆସୁଥିଲେ ଦାରୁବିଗ୍ରହ । ଆଞ୍ଜୁୁଳାରେ ପାଣିରୁ ଛାଣି ଆଣିଲେ ଗ୍ରାମବାସୀ । ଆଉ ପ୍ରତିଷ୍ଠା କଲେ ଶ୍ରୀଜିଉଙ୍କୁ । ନିର୍ମାଣ ହେଲା ଭବ୍ୟ ମନ୍ଦିର । ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ମହୁଖଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି  ନୂତନ ଶ୍ରୀଜଗନ୍ନାଥ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ।  ମେ ୨୫ରୁ ୨୮ ତାରିଖ ତିନିଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଗୋବର୍ଦ୍ଧନ ପୀଠର ପୂଜ୍ୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ  ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଏହି ଦିବ୍ୟ ସମାରୋହ ମଣ୍ଡନ କରିଥିଲେ ।

ରବିବାର ଅଙ୍କୁରାଧିବାସ ଅନୁଷ୍ଠିତ ହୋଇଥିବା ବେଳେ  ସୋମବାର କର୍ମାରମ୍ଭ, ମଙ୍ଗଳବାର ଠାକୁରଙ୍କ ଜନ୍ମକର୍ମ ଓ ବୁଧବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରାଣପ୍ରତିଷ୍ଠା ହୋଇଥିଲା । ଶ୍ରୀଜଗନ୍ନାଥ କୃପା ଟ୍ରଷ୍ଟ ଓ ମହୁଖଣ୍ଡା ଗ୍ରାମବାସୀଙ୍କ ତରଫରୁ ପରିଚାଳିତ ଏହି ସମସ୍ତ କାର୍ଯ୍ୟରେ ସାରା ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।  ୧୯୯୭ ମସିହାରେ ବାଲିଅନ୍ତା ଦେଇ ଯାଇଥିବା ଗୋପ ବ୍ରାଞ୍ଚ କେନାଲରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ବିଗ୍ରହ ଓ ଅନ୍ୟପଟେ କିଛି ଦୂରରୁ ବଳଭଦ୍ରଙ୍କ ମୂର୍ତ୍ତି କେନାଲରେ ଭାସିଯାଉଥିବା ଦେଖିବାକୁ ମିଳିଥିଲା । 

ସ୍ଥାନୀୟ ଲୋକେ ଏହି ଦାରୁ ବିଗ୍ରହଙ୍କୁ ପାଣିରୁ ସାଉଁଟି ଆଣି  ଏକ ଅସ୍ଥାୟୀ ମଞ୍ଚରେ ରଖିଥିଲେ  । ପରେ ନୂଆକରି ସୁଦର୍ଶନଙ୍କ ମୂର୍ତ୍ତି ଆଣି ପ୍ରଭୁଙ୍କ ସହ ରଖାଯାଇ ପୂଜା  କରାଗଲା  । ତେବେ ୨୦୧୫ ନବକଳେବର ସମୟରେ ଏହି ପୁରୁଣା ବିଗ୍ରହକୁ ମହୋଦଧିରେ  ବିସର୍ଜନ କରାଯାଇ ନୂତନ ବିଗ୍ରହ ପ୍ରତିଷ୍ଠା କରାଗଲା  । ପରେ ସ୍ଥାନୀୟ ଲୋକଙ୍କ ଦାନ ଓ ଶ୍ରମରେ ୩ ଏକର ୪୬ ଡିସିମିଲ ଜାଗା ଉପରେ ନୂତନ ଭବ୍ୟ ସୁରମ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.