ୱକଫ ଆକ୍ଟକୁ ନେଇ ଖପ୍ପା ମହମୁଦ ମଦନୀ, ଜାଣନ୍ତୁ ମୁର୍ସିଦାବାଦ ହିଂସାକୁ ନେଇ କହିଲେ କ’ଣ?

Published By : Prameya-News7 Bureau | April 13, 2025 IST

ନୂଆଦିଲ୍ଲୀ ୧୩।୪: ୱକଫ ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ରବିବାର ମୁସ୍ଲିମ ସଙ୍ଗଠନଙ୍କ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଜମିୟତର ୱାର୍କିଂ କମିଟି ବୈଠକରେ ମୌଲାନା ମହମୁଦ ମଦନୀ ଅଧ୍ୟକ୍ଷତା କରିଥିଲେ।  ବୈଠକ ପରେ ମଦନୀ ୱକଫ ସଂଶୋଧନ ଅଧିନିୟମକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ୱକଫ ସଂଶୋଧନ ଅଧିନିୟମ ଦେଶ, ସମାଜ ଓ ମୁସଲମାନଙ୍କ ନିମନ୍ତେ ଉଚିତ ନୁହେଁ ବୋଲି କହିଛନ୍ତି। 

ସେ କହିଛନ୍ତି ଯେ ଏଥି ପାଇଁ ଆରମ୍ଭ ହୋଇଥିବା ସଂଘର୍ଷ ଏବେ ଜାରି ରହିବ, ଏହା ସମାପ୍ତ ହେବନି। ଏଥି ପାଇଁ ଯାହାବି ବଳିଦାନ ଦେବାକୁ ପଡିବ ଆମେ ଦେବାକୁ ପ୍ରସ୍ତୁତ, ଯେପରି ସ୍ୱାଧୀନତା ପୂର୍ବରୁ ଆମେ ଦେଇଥିଲୁ। ସେ କହିଛନ୍ତି ଯେ ଯଦି ଆମକୁ ଲଢିବାକୁ ପଡେ ଆମେ ଲଢିବୁ। ଯଦି ଆମକୁ ଧୈର୍ଯ୍ୟ ରଖିବାକୁ ପଡେ ଆମେ ତାହା ବି କରିବୁ, କବର ମଧ୍ୟ ନ୍ୟାୟକୁ ଅପେକ୍ଷା କରି ରହିଛି। ବାସ୍ତବରେ ପୁରା ସମୂଦାୟ ଅସୀମ ଧୈର୍ଯ୍ୟର ସହିତ ନ୍ୟାୟକୁ ଅପେକ୍ଷା କରିଛି। ସେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ନିମନ୍ତେ ନିବେଦନ କରି କହିଛନ୍ତି ଯେ ଏହି ଆଇନ ବିରୋଧରେ ସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରାଯିବା ଦରକାର। 


ସାମ୍ବାଦିକ ସମ୍ମିଳନୀରେ ମହମୁଦ ମଦନୀ ଅଭିଯୋଗ କରିଛନ୍ତି ଯେ ଏହି ଆଇନ ମୁସଲମାନ ସମୂଦାୟ ଓ ସମାଜର ହୀତ ବିରୋଧୀ। ସେ ଅସଦୁଦ୍ଦିନ ଓବେସୀଙ୍କ ବିରୋଧକୁ ସମର୍ଥନ କରି ସବୁ ସଙ୍ଗଠନଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁର୍ସିଦାବାଦ ହିଂସାକୁ ନେଇ ପଚରା ଯାଇଥିବା ପ୍ରଶ୍ନରେ ମଦନୀ ଉତକ୍ଷିପ୍ତ ହୋଇ ଏହି ପ୍ରଶ୍ନ ମୋତେ ନ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ କରନ୍ତୁ ।  କହିଛନ୍ତି ଏଥି ପାଇଁ କଣ ମୁସଲମାନଙ୍କୁ  ଦୋଷୀ କରିବେ? 


ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଆଇନ ବିରୋଧରେ ପ୍ରଦର୍ଶନକାଳରେ ବ୍ୟାପକ ହିଂସା ହୋଇଛି। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି। ୱକଫ ସଂଶୋଧନ ଅଧିନିୟମକୁ ନେଇ ମଦନୀ କହିଛନ୍ତି ଯେ ଏହା ୱକଫ ପ୍ରସଙ୍ଗ ନୁହେଁ ବରଂ ରାଜନୀତି। କେବେ ମୁସଲମାନଙ୍କୁ ଗାଳି ଦେଇ ତ ଆଉ କେବେ କୋଳାଗ୍ରତ କରି ଦୁର୍ଭାବନାରେ ଏହି ଆଇନ ଅଣାଯାଇଛି। ଏହି ଅଧିନିୟମ ଦେଶ, ସମାଜ ଅଥବା ମୁସଲମାନଙ୍କ ନିମନ୍ତେ ଆଦୌ ଠିକ ନୁହେଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.