ପ୍ରୟାଗରାଜ ୨୯।୧: ମହାକୁମ୍ଭରେ ତ୍ରିବେଣୀ ଅମାବାସ୍ୟା ଅମୃତ ସ୍ନାନ ନିମନ୍ତେ ମଙ୍ଗଳବାର ମଧ୍ୟରାତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଏତେ ବଢ଼ି ଯାଇଥିଲା ଯେ ‘ସଙ୍ଗମ ନୋଜ୍’ ରେ ଦଳାଚକଟା ହୋଇଯାଇଥିଲା। ଭୀଡ଼ ଓ ଏହି ଦୁଃଖଦ ଘଟଣା ପାଇଁ କୁମ୍ଭରେ ବୁଧବାର ଅମୃତ ସ୍ନାନକୁ ବାତିଲ କରାଯାଇଛି। ଏଥି ମଧ୍ୟରେ ପରିସ୍ଥିତିକୁ ନେଇ ଗଣମାଧ୍ୟମ ସହ ଆଲୋଚନାରେ ପଞ୍ଚାୟତୀ ଅଖଡା ଶ୍ରୀ ନିରଞ୍ଜନୀର ମହାମଣ୍ଡଳେଶ୍ୱର ପ୍ରେମାନନ୍ଦ ପୁରୀ କାନ୍ଦି ପକାଇଛନ୍ତି। ସେ କହିଛନ୍ତି ଯେ ‘ଆମେ ପ୍ରଥମରୁ କହିଛୁ କୁମ୍ଭର ସୁରକ୍ଷା ଆର୍ମିକୁ ନ୍ୟସ୍ତ କରାଯାଉ, ହେଲେ କେହି ଆମ କଥା ଶୁଣିଲେନି’।
ସେ କହିଛନ୍ତି ଯେ ପ୍ରଶାସନିକ ବ୍ୟବସ୍ଥା ଯୋଗୁ କୁମ୍ଭ କଳଙ୍କିତ ହୋଇଛି। ଏତେ ସଂଖ୍ୟାରେ ଲୋକେ ଆସିବା ଓ ସେମାନଙ୍କୁ ନିୟନ୍ତ୍ରିତ କରିବା ପୋଲିସ ପକ୍ଷେ ସମ୍ଭବ ନଥିଲା। ଏହାର ଫଳ ହେଲା କେଉଁ ପିତାର ପୁତ୍ର ଚାଲିଗଲା ତ କାହାର ପତି ପୁଣି କାହାର ପତ୍ନୀ ଚାଲିଗଲେ। ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ମହାମଣ୍ଡଳେଶ୍ୱର କହିଛନ୍ତି ଯେ ମୁଁ ଆଖଡାରେ ମୋ ସାଥୀମାନଙ୍କୁ କହିକି ଆସିଛି ଯେ ଆପଣମାନେ ଏଠାରେ ଏସବୁ ଘଟିଥିବା ଘୋଷଣା କରନ୍ତୁ ନାହିଁ। ଆପଣମାନେ ଧିରେ ଧିରେ ନିଜନିଜ ଭକ୍ତଙ୍କୁ ଶିବିରକୁ ଫେରିଆସିବାକୁ କୁହନ୍ତୁ। ନଚେତ ସେଠାରେ ମଧ୍ୟ ଦଳାଚକଟା ହୋଇଯାଇପାରେ।
ସେ କହିଛନ୍ତି ଯେ ଯଦି କୁମ୍ଭ ମେଳା ଆୟୋଜନର ଦାୟିତ୍ୱ ସେନାକୁ ଦିଆଯାଇଥାନ୍ତା ତେବେ ଏତବଡ଼ ଅଘଟଣ ଘଟିନଥାନ୍ତା,ଏହା ଅତ୍ୟନ୍ତ ଦୁଃଖଦ। ଉଲ୍ଲେଖଯୋଗ୍ୟ ଯେ ସରକାରଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ ୧୩ ଜାନୁୟାରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଏପର୍ଯ୍ୟନ୍ତ ପାଖାପାଖି ୧୯.୯୪ କୋଟି ଲୋକ ଗଙ୍ଗାସ୍ନାନ କରିସାରିଲେଣି। ବୁଧବାର ଅର୍ଥାତ ମୌନି ଅମାବାଶ୍ୟାରେ କେବଳ ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକେ ଗଙ୍ଗା ସ୍ନାନ କରିବେ ବୋଲି ଆକଳନ କରାଯାଉଥିଲା। ତେବେ ଏଥି ମଧ୍ୟରେ ଉପୁଜିଥିବା ଏହି ଘଟଣା ପରିସ୍ଥିତିକୁ ବଦଳାଇ ଦେଇଛି।
ମୌନି ଅମାବାସ୍ୟାରେ ସ୍ନାନ କରିବାର ଆଗ୍ରହ ଯୋଗୁ ମହାକୁମ୍ଭ ନଗର ପୁଣି ଥରେ ବିଶ୍ୱର ସବୁଠୁ ବଡ଼ ଜିଲ୍ଲାରେ ପରିଣତ ହୋଇଛି। କେବଳ ପ୍ରୟାଗରାଜର ଜନସଂଖ୍ୟା ଇତିମଧ୍ୟରେ ୫ କୋଟି ପାର ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟା ୬ଟା ସୁଧା ୪.୬୪ କୋଟି ଲୋକ ଗଙ୍ଗା ସ୍ନାନ କରି ଏକ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି। ଏଥିରେ ଯଦି ଜିଲ୍ଲାର ୭୦ ଲକ୍ଷ ଜନସଂଖ୍ୟାକୁ ମିଶାଇ ଦିଆଯାଏ ତେବେ ପ୍ରୟାଗରାଜରେ ଦିନକର ଜନସଂଖ୍ୟା ୫.୩୪ କୋଟି ରେକର୍ଡ କରାଯାଇଛି।