ସୁପ୍ରିମକୋର୍ଟ କହିଲେ କୁକୁରଙ୍କ ମାଇଣ୍ଡ୍ ପଢ଼ି ହୁଏନି, ଜବାବରେ ଦିବ୍ୟା ସ୍ପନ୍ଦନା କହିଲେ, କ'ଣ ସବୁ ପୁରୁଷଙ୍କୁ ଜେଲ୍‌ରେ ପୂରାଇ ଦେବା ?

NEWS7
madras-high-court-confirms-18-mlas-disqualification

ନୂଆଦିଲ୍ଲୀବୁଲା କୁକୁର ଓ ସାର୍ବଜନୀନ ସୁରକ୍ଷା ଉପରେ ସୁପ୍ରିମକୋର୍ଟଙ୍କ ସଦ୍ୟତମ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ବିବାଦୀୟ ବୟାନ ଦେଇଛନ୍ତି ପୂର୍ବତନ ଲୋକସଭା ସାଂସଦ ତଥା ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନା ଓରଫ୍ ରାମ୍ୟା। ସେ ଏମିତି ଏକ ତୁଳନା କରିଛନ୍ତି ଯାହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରବଳ ହୋହଲ୍ଲା ହେଉଛି।

ରାମ୍ୟା ଇନଷ୍ଟାଗ୍ରାମ୍ରେ ପୋଷ୍ଟ କରି ଲେଖିଛନ୍ତି “ଜଣେ ପୁରୁଷ ମନ ବି ପଢ଼ି ହୁଏ ନାହିଁ। କିଏ ଜାଣେ ସେ କେତେବେଳେ ଦୁଷ୍କର୍ମ କରି ଦେବ, ହତ୍ୟା କରିଦେବ। ତେଣୁ ସମସ୍ତ ପୁରୁଷଙ୍କୁ ଜେଲ୍ ଭିତରେ ପୂରାଇ ଦେବା ଉଚିତ୍।”

ନିକଟରେ ବୁଲା କୁକୁରଙ୍କ ଉପରେ ରାୟ ଶୁଣାଇଲା ବେଳେ ରାସ୍ତାରେ ଅବାଧରେ ବୁଲୁଥିବା କୁକୁର ଓ ଅନ୍ୟ ପ୍ରାଣୀମାନଙ୍କୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ। ଏମାନେ ଗାଡ଼ି ଚାଳକ ଓ ପଥଚାରୀଙ୍କ ବିପଦ ସୃଷ୍ଟି କରୁଛନ୍ତି ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ। ସଦ୍ୟ ଶୁଣାଣିରେ ଖଣ୍ଡପୀଠ କହିଥିଲେ ଯେ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ୱେ ଏକାଧିକ ନଗରପାଳିକା ଓ ରାଜ୍ୟ ସରକାର ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ କରିବାରେ ବିଫଳ ହେଲେ। ରାଜପଥଗୁଡ଼ିକୁ ଗାଈ ଏବଂ ଅନ୍ୟାନ୍ୟ ପଶୁମୁକ୍ତ ବି କରିପାରିଲେ ନାହିଁ।

ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟା ଏବଂ ଏନ ଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଥିଲେ “ରାସ୍ତାଗୁଡ଼ିକ କୁକୁର ଏବଂ ବୁଲା ପଶୁମାନଙ୍କଠାରୁ ମୁକ୍ତ ରହିବା ଉଚିତ। କିଏ ଜାଣେ ସକାଳେ କେଉଁ କୁକୁରର ମନୋଭାବ କ’ଣ ଥିବ।” ଜଷ୍ଟିସ୍ ମେହେଟା ରାଜସ୍ଥାନରେ ଘଟିଥିବା ସାମ୍ପ୍ରତିକ ଘଟଣାଗୁଡ଼ିକ ଉଦାହରଣ ଦେଇଥିଲେ। ଏବଂ କହିଥିଲେ ଯେ ବିଚାରପତିମାନେ ମଧ୍ୟ ଏପରି ଦୁର୍ଘଟଣାରେ ଆହତ ହୋଇଛନ୍ତି। ପରିସ୍ଥିତି ବର୍ତ୍ତମାନ ଗମ୍ଭୀର ରହିଛି। ନିୟମ ପାଳନ କରୁ ନଥିବା ରାଜ୍ୟଗୁଡ଼ିକ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି କୋର୍ଟ କହିଥିଲେ।

ବରିଷ୍ଠ ଓକିଲ କପିଲ ସିବଲ ଏକ ମାନବିକ ଜନସଂଖ୍ୟା ନିୟନ୍ତ୍ରଣ ରଣନୀତି ଭାବରେ ଏକ ବୈଜ୍ଞାନିକ CSVR ମଡେଲ ବିଷୟରେ ପରାମର୍ଶ ଦେଇଥିଲେ। ଯେଉଁଥିରେ କୁକୁର ଧରି, ବନ୍ଧ୍ୟାକରଣ ଓ ଟୀକାକରଣ କରିବା ପରେ ସେମାନଙ୍କୁ ଛାଡ଼ି ଦେବାର ପ୍ରସ୍ତାବ ଦେଇଥିଲେ।

ଗତ ବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ କର୍ତ୍ତୃପକ୍ଷଙ୍କୁ ସମ୍ବେଦନଶୀଳ ସାର୍ବଜନୀନ ସ୍ଥାନ - ସ୍କୁଲ, ହସ୍ପିଟାଲ, ବସ୍ ଷ୍ଟାଣ୍ଡ, ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ରେଳ ଷ୍ଟେସନରୁ ବୁଲା କୁକୁରମାନଙ୍କୁ ହଟାଇବାକୁ ଏବଂ ସେମାନଙ୍କୁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନେକ ସେଲିବ୍ରେଟିମାନେ ଏହାକୁ ବିରୋଧ କରିଥିଲେ।