ନୂଆଦିଲ୍ଲୀ: ସେବିର ପୂର୍ବତନ ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । କଥିତ ଦୁର୍ନୀତି ମାମଲାକୁ ଶେଷ କରି ଲୋକପାଳ କହିଛନ୍ତି ଯେ ମାଧବୀ ପୁରୀ ବୁଚ୍ଙ୍କ ବିରୋଧରେ କୌଣସି ଭୁଲ କାମର ପ୍ରମାଣ ନାହିଁ । ଏହାସହ ଲୋକପାଳ କହିଛନ୍ତି ଯେ ବୁଚ୍ଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ରାଜନୀତିରୁ ପ୍ରେରିତ ଥିଲା ।
ନ୍ୟାୟମୂର୍ତ୍ତି ଏ.ଏମ୍.ଖାନବିଲକରଙ୍କ ଅଧ୍ୟକ୍ଷତାରେ ଛଅ ସଦସ୍ୟଙ୍କ ଖଣ୍ଡପୀଠ ନିଜ ଆଦେଶରେ କହିଛନ୍ତି ଯେ ଏହି ଅଭିଯୋଗର ବିଷୟ-ବସ୍ତୁ ଗୋଟିଏ ପ୍ରକାର ଥିଲା । ଏହି ଅଭିଯୋଗର ମୁଖ୍ୟ ଉତ୍ସ ୨୦୨୪ ଅଗଷ୍ଟ ୧୦ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା ଲିଖିତ ଏକ ରିପୋର୍ଟ ଉପରେ ଆଧାରିତ ଥିଲା । ମାମଲା ଉପରେ ନିଷ୍ପତ୍ତି ନେବା ବେଳେ ଲୋକପାଳ, ମାଧବୀ ବୁଚଙ୍କ ବିରୋଧରେ ଥିବା ପାଞ୍ଚ ପ୍ରମୁଖ ଅଭିଯୋଗ ତଦନ୍ତ କରିଥିଲେ ।
ଆଦେଶରେ ଲୋକପାଳ ଉଲ୍ଲେଖ କରିଛନ୍ତି ଯେ ବୁଚ୍ ଯେତେବେଳେ SEBIରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେ AAPLରେ ତାଙ୍କର ସେୟାର ଏବଂ ତାଙ୍କ ସ୍ୱାମୀଙ୍କ ସପକ୍ଷରେ କରାଯାଇଥିବା ସ୍ଥାନାନ୍ତର ବିଷୟରେ ଜଣାଇଥିଲେ । ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ ସେ AAPL ବ୍ୟାନରରେ ତାଙ୍କର ପରାମର୍ଶ କାର୍ଯ୍ୟ ଜାରି ରଖିଥିବାର କୌଣସି ସୂଚନା ନାହିଁ । ବୁଚ୍ଙ୍କ ବିରୁଦ୍ଧରେ ଅଭିଯୋଗ କେବଳ ହିଣ୍ଡେନବର୍ଗ ରିପୋର୍ଟ ଉପରେ ଆଧାରିତ, ଅଭିଯୋଗକାରୀ ଅଭିଯୋଗଗୁଡ଼ିକୁ ପ୍ରମାଣିତ କରିବା ପାଇଁ କୌଣସି ଠୋସ୍ ପ୍ରମାଣ ଦେଇପାରି ନାହାନ୍ତି । ଲୋକପାଳ ଆଦେଶରେ କହିଛନ୍ତି ଯେ ଏହାକୁ ଦୃଷ୍ଟିରେ ରଖି, ଏହି ଅଭିଯୋଗଗୁଡ଼ିକର ସମାଧାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ବୁଚ୍ ଓ ତାଙ୍କ ସ୍ୱାମୀ ଧବଲ ଆଦାନୀ ଗ୍ରୁପରେ ନିବେଶ ସହ ଜଡ଼ିତ ଏକ ଫଣ୍ଡରେ ନିବେଶ କରିଥିବା ଅଭିଯୋଗ ଥିଲା । ଏହା ବି ଅଭିଯୋଗ ହୋଇଥିଲା ଯେ M&M ଓ ବ୍ଲାକଷ୍ଟୋନ୍ ଇଙ୍କ୍ ପରି ସଂସ୍ଥାର ପରାମର୍ଶ ସେବା ଶୁଳ୍କ ନାଁ ନେଣଦେଣ କରିଥିଲେ । ଭଡ଼ାରୁ ଆୟ କରିବା ନାଁରେ ୱାକହାର୍ଟ ସହ ନେଣଦେଣ ମଧ୍ୟ ଅଭିଯୋଗ ରହିଥିଲା । ଏହା ବ୍ୟତୀତ ୨୦୧୭ରୁ ୨୦୨୪ର ପାଞ୍ଚ ବର୍ଷ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କର ESOP ବିକ୍ରି କରି ଭୁଲ ଭାବେ ଲାଭ ଉଠାଇଥିବା ଅଭିଯୋଗ ଥିଲା ।
ଗତ ଏପ୍ରିଲରେ ମାଧବୀ ବୁଚ୍ ପୁରୀଙ୍କୁ ବମ୍ୱେ ହାଇକୋର୍ଟ ଆଶ୍ୱସ୍ତି ଦେଇଥିଲେ । କୋର୍ଟ ସେୟାର ବଜାରରେ କଥିତ ଜାଲିଆତି ଓ ନିୟମ ଉଲ୍ଲଂଘନ ପାଇଁ ଏଫ୍ଆଇଆର୍ ରୁଜୁ ଆଦେଶ ନେଇ ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ୍ ଅବଧିକୁ ବଢାଇଥିଲେ ।