ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା

Published By : Prameya-News7 Bureau | June 26, 2025 IST

ଭୁବନେଶ୍ୱର ୨୬।୦୬ : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗୁରୁବାର ଏହା ଲଘୁଚାପ ରୂପ ନେଇପାରେ। ଲଘୁଚାପ ପ୍ରଭାବରେ ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

୨୫ ଓ ୨୬ ତାରିଖରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଗୁରୁବାର ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି। ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ୱର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଶୁକ୍ରବାର (୨୭ ତାରିଖ) ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଝାରସୁଗୁଡ଼ା ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ। ତେବେ ଶୁକ୍ରବାର ରଥଯାତ୍ରାରେ ପୁରୀରେ ବର୍ଷା ହେବା ସମ୍ଭାବନା କମ୍‌। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ି ବାକି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ ।

ପୁରୀ ସମେତ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି। ଶନିବାର (୨୮ ତାରିଖ) ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ରେ ଭାରି ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବୁଧବାର କିଛି ଘଣ୍ଟା ଭିତରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ଅପରାହ୍ନରେ ୫୦.୧ ମିମି ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୬.୫, ବାଲେଶ୍ୱରରେ ୪୦.୪, ଜଗତସିଂହପୁରରେ ୩୨.୨, ନବରଙ୍ଗପୁରରେ ୩୧.୨, କୋରାପୁଟରେ ୨୦, କେନ୍ଦୁଝରରେ ୧୪.୨, ପାରଳାଖେମୁଣ୍ଡିରେ ୧୦ମିମି ବର୍ଷା ହୋଇଛି । ଜୁନ୍‌ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟରେ ୧୫୨.୯ ମିମି ମୌସୁମୀ ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ଭାବେ ୧୬୩.୬ ମିମି ବର୍ଷା ହେବା କଥା। ପ୍ରାୟ ୭% ନିଅଣ୍ଟିଆ ବର୍ଷା ହୋଇଛି । ଦେବଗଡ଼ରେ ଅତ୍ୟଧିକ ବା ୬୦%ରୁ ଅଧିକ ବର୍ଷା ହୋଇଛି । ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ତଥ୍ୟ ଦେଇଛି ।  ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ରାଜନଗରରେ ସର୍ବାଧିକ ୧୧୨ ମିମି ବର୍ଷା ହୋଇଛି। ମୟୂରଭଞ୍ଜ ଚାନ୍ଦୁଆରେ ୮୬, କେନ୍ଦ୍ରାପଡ଼ା ଆଳିରେ ୭୯, କେନ୍ଦୁଝର ଯୋଡ଼ାରେ ୬୭.୨, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ୫୯, ସୁନ୍ଦରଗଡ଼ ଲାଠିକଟାରେ ୫୭, ଯାଜପୁର ବରୀରେ ୫୬.୨, କଳାହାଣ୍ଡି ଥୁଆମୂଳ ରାମପୁରରେ ୫୩ ମିମି ବର୍ଷା ହୋଇଛି ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.