ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା...୧୦ ଦିନରେ ତିନି ଜଣଙ୍କୁ ମାରିଲେଣି

NEWS7
lovers-deadbody-found-from-girlfriends-house

ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହିଂସା ଓ ନିର୍ଯାତନା ଘଟଣା ଥମିବାର ନାଁ ଧରୁ ନାହିଁ । ହିନ୍ଦୁଙ୍କ ଉପରେ ଲଗାତାର ବଢୁଥିବା ଆକ୍ରମଣ ଭିତରେ ମୟମନସିଂହ ଜିଲ୍ଲାରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ଭାଲୁକା ଉପଜିଲା ସ୍ଥିତ ଏକ ଗାରମେଣ୍ଟ ଫ୍ୟାକ୍ଟ୍ରୀ ଭିତରେ ସୁରକ୍ଷା ଡ୍ୟୁଟିରେ ଥିବା ବଜେନ୍ଦ୍ର ବିଶ୍ୱାସ (୪୨)କୁ ଗୁଳି କରି ହତ୍ୟା କରାଯାଇଛି । ଏହି ମାମଲାରେ ତାଙ୍କ ସହଯୋଗୀ ନୋମାନ ମିୟା (୨୯)କୁ ପୋଲିସ ଗିରଫ କରିଛି ।

ଏହି ଘଟଣା ସୋମବାର, ଡିସେମ୍ୱର ୨୯, ସଂଧ୍ୟା ପ୍ରାୟ ୬.୪୫ଟାରେ ମେହରାବରୀ ଅଞ୍ଚଳ ସ୍ଥିତ ସୁଲତାନା ସ୍ୱେଟର୍ସ ଲିମିଟେଡ୍ ଭିତରେ ହୋଇଛି । ପୋଲିସ ଅନୁସାରେ, ବଜେନ୍ଦ୍ର ବିଶ୍ୱାସ ଓ ନୋମାନ ମିଆ ଦୁହେଁ ଫ୍ୟାକ୍ଟ୍ରୀ ପରିସର ଭିତରେ ଥିବା ଅଂସାର ବାରାକରେ ମୁତୟନ ଥିଲେ । ଦୁହିଁ ମଧ୍ୟରେ କଥାବର୍ତ୍ତା ବେଳେ ସରକାରୀ ସଟଗନକୁ ମାଜକରେ ବଜେନ୍ଦ୍ରଙ୍କ ଆଡ଼କୁ ଦେଖାଇଥିଲେ ।

ଏହି ସମୟରେ ହଠାତ୍ ଗୁଳି ଫୁଟିଥିଲା । ବଜେନ୍ଦ୍ରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାଂଲାଦେଶରେ ଯେପରି ଭାବେ ହିନ୍ଦୁଙ୍କ ଉପରେ ଲଗାତାର ଆକ୍ରମଣ ବଢୁଛି, ଏହି ମାମଲାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ଭୁଲ ବଶତଃ ଗୁଳି ବାଜିଛି ନାଁ ଏହା ପଛରେ କୌଣସି ଷଡ଼ଯନ୍ତ୍ର ଥିଲା ?

ମୃତ ବଜେନ୍ଦ୍ର ବିଶ୍ୱାସ ସିଲହଟ୍ ସଦରର କାଦିରପୁର ଗ୍ରାମର ବାସିନ୍ଦା ଥିଲେ । ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଅଭିଯୁକ୍ତ ନୋମାନ ସୁନମଗଞ୍ଜ ଜିଲ୍ଲାର ତାହେରପୁର ଥାନା ଅଞ୍ଚଳର ବାସିନ୍ଦା । ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବନ୍ଧୁକ ଜବତ କରିଛି । ଏକ ହତ୍ୟା ମାମଲା ରୁଜୁ କରାଯାଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଡିସେମ୍ବର ୧୮ ତାରିଖରେ ଦୀପୁ ଦାସଙ୍କୁ ହତ୍ୟା କରାଯାଇଥିଲା

ଏହି ଘଟଣାର ୧୧ ଦିନ ପୂର୍ବରୁ, ଡିସେମ୍ବର ୧୮ରେ ସମାନ ଭାଲୁକା ଅଞ୍ଚଳରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ମାଡ଼ ମାରି ଏବଂ ଜୀବନ୍ତ ଜାଳି ହତ୍ୟା କରାଯାଇଥିଲା । ମାନବାଧିକାର ସଂଗଠନଗୁଡ଼ିକ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା, ଅପମାନ ଏବଂ ହତ୍ୟା ଘଟଣା ବୃଦ୍ଧି ପାଇଛି । କିନ୍ତୁ ଅନେକ ମାମଲା ରିପୋର୍ଟ ହୋଇନାହିଁ । ଭାଲୁକାରେ ଘଟିଥିବା ଏହି ଘଟଣା ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ପାଇଁ ସୁରକ୍ଷା ଦାବିକୁ ପୁଣି ଥରେ ତୀବ୍ର କରିଛି ।