ଓ୍ୱାଶିଂଟନ ୧୧/୦୬: ଆମେରିକାର ଲସ୍ ଆଞ୍ଜେଲସ୍ରେ ପରିସ୍ଥିତି ଅଣାୟତ୍ତ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରବାସନ ନିର୍ଦ୍ଦେଶ ବିରୋଧରେ ପ୍ରତିବାଦ ଜାରି ରହିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଡ୍ୟୁଟିରେ ନୌସେନା ସୈନିକ ନିୟୋଜିତ ହୋଇଛନ୍ତି । କଡ୍ଡା ସୁରକ୍ଷା ବଳୟରେ ରହିଛି ସାରା ସହର । ଏହାରି ଭିତରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଲସ୍ ଆଞ୍ଜେଲସ୍ର ଏକ ଭିଡିଓ । ଯାହାକୁ ଦେଖି ଲୋକେ ବି ତାଜବୁ । କାରଣ ଭିଡିଓରେ ଲୋକ୍ ଆପଲ୍ ଷ୍ଟୋରକୁ ଲୁଟୁଥିବାର ଦେଖିବାକୁ ମିଳୁଛି ।
ସୂଚନା ଥାଉକି, ସୋମବାର ରାତିରେ ଅନେକ ଲୋକ ମୁଖାପିନ୍ଧି ଆପଲ୍ ଷ୍ଟୋରକୁ ଲୁଟିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ହୁଡି ଏବଂ ମାସ୍କ ପିନ୍ଧିଥିବା ଲୋକମାନେ ଷ୍ଟୋରରେ ଭଙ୍ଗାରୁଜା କରୁଥିବାର ଦେଖାଯାଉଛି। ଏହା ପରେ ଆପଲ୍ ଷ୍ଟୋରରେ ପ୍ରବେଶ କରି ଅନେକ ଗ୍ୟାଜେଟ୍ ଲୁଟିଥିଲେ । ପୋଲିସ ପହଞ୍ଚିବା ମାତ୍ରେ ଅନେକ ଲୋକ ଷ୍ଟୋରରୁ ଦୌଡ଼ି ପଳାଇ ଯାଉଥିବାର ନଜର ଆସିଛି।
ପୂର୍ବରୁ ସହରରେ ୨୦୦୦ ନ୍ୟାଶନାଲ ଗାର୍ଡ ସୈନ୍ୟଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ଏହି ନିର୍ଦ୍ଦେଶରେ, ୭୦୦ ମରିନ ସହିତ ୨୦୦୦ ଅନ୍ୟ ସୈନିକ ଲସ ଆଞ୍ଜେଲସରେ ମୁତୟନ ହୋଇଛନ୍ତି । ଯାହା ସାମରିକ ଉପସ୍ଥିତି ବୃଦ୍ଧି କରୁଛି । ସ୍ଥାନୀୟ ଅଧିକାରୀ ଓ ରାଜ୍ୟପାଳ ଗାଭିନ ନ୍ୟୁସମ ଏହାକୁ ବିରୋଧ କରିଥିଲେ। ପ୍ରତିବାଦ ମଧ୍ୟରେ, ଟ୍ରମ୍ପ ଲସ ଆଞ୍ଜେଲସ ହିଂସା ପାଇଁ ମେୟର କରେନ ବାସ ଏବଂ ନ୍ୟୁସମଙ୍କୁ ସାଧାରଣ ସୁରକ୍ଷାକୁ ବିପଦରେ ପକାଇବାର ଅଭିଯୋଗ କରିଥିଲେ।