ଲର୍ଡ୍ସରେ ନୀତୀଶଙ୍କ କମାଲ, ୧୮ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଏପରି କରିବାରେ ଦ୍ୱିତୀୟ ଭାରତୀୟ

Published By : Prameya-News7 Bureau | July 10, 2025 IST

ନୂଆଦିଲ୍ଲୀ: ଲର୍ଡ୍ସରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ଭଲ ଆରମ୍ଭ କରିଛି । ଏହାର ଶ୍ରେୟ ଯୁବ ଅଲ୍‌ରାଉଣ୍ଡର ନୀତୀଶ ରେଡ୍ଡୀଙ୍କୁ ଯାଉଛି । ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇ ଇଂଲଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଛନ୍ତି । ନୀତୀଶ ନିଜର ପ୍ରଥମ ଓଭରର ତୃତୀୟ ବଲ୍‌ରେ ଓପନର ବେନ୍ ଡକେଟଙ୍କୁ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ କରାଇଥିଲେ । ପିଚ୍ ହେବା ପରେ ବଲ୍ ଲେଗ୍ ଷ୍ଟମ୍ପ ବାହାରେ ଯାଉଥିଲା, ଯାହା ଉପରେ ଡକେଟ୍ ବ୍ୟାଟ୍ ବୁଲାଇଥିଲେ । କିନ୍ତୁ ତାଙ୍କ ବ୍ୟାଟର ପଛ ଭାଗରେ ବଲ୍ ଲାଗି ରିଷଭ ପନ୍ତଙ୍କ ହାତକୁ ଯାଇଥିଲା ।

ଏହାର ଦୁଇଟି ବଲ୍ ପରେ ଅର୍ଥାତ୍ ଓଭରର ଶେଷ ବଲ୍‌ରେ ଜ୍ୟାକ୍ କ୍ରାଉଲିଙ୍କୁ ଆଉଟ୍ କରିଥିଲେ । କ୍ରାଉଲି ଭଲ ଲୟରେ ନଜର ଆସୁଥିଲେ ଓ ୧୮ ରନ୍ କରିସାରିଥିଲେ । କିନ୍ତୁ ନୀତୀଶଙ୍କ ସିମ୍ ପୋଜିସନ୍ ଓ ଅତିରିକ୍ତ ବାଉନ୍ସ କ୍ରାଉଲିଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବଲ୍ କାଉଲିଙ୍କ ବ୍ୟାଟକୁ ଛୁଇଁ ପନ୍ତଙ୍କ ହାତକୁ ଯାଇଥିଲା । 

ଲର୍ଡ୍ସ ଟେଷ୍ଟରେ ଯୁବ ଫାଷ୍ଟ ବୋଲର ନୀତୀଶ ରେଡ୍ଡୀ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ୨୦୦୬ ପରେ ଟେଷ୍ଟ କ୍ରିକେଟରେ ନିଜ ପ୍ରଥମ ଓଭରରେ ଦୁଇଟି ୱିକେଟ୍ ନେବାରେ ଦ୍ୱିତୀୟ ଭାରତୀୟ ଫାଷ୍ଟ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ ଇରଫାନ୍ ପଠାନ ୨୦୦୬ରେ କରାଚୀ ଟେଷ୍ଟରେ ପ୍ରଥମ ଓଭରରେ ହିଁ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ନେଇ କୀର୍ତ୍ତିମାନ ସ୍ଥାପନ କରିଥିଲେ ।  ଏବେ ୧୮ ବର୍ଷ ପରେ ନୀତୀଶ ରେଡ୍ଡୀ ଲର୍ଡ୍ସର ମୈଦାନରେ ଏହି ଦୁର୍ଲଭ ଉପଲବ୍ଧି ହାସଲ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.