ହାତୀ ମୃତଦେହକୁ ପୋତିବା ଘଟଣା : ମନ୍ତ୍ରୀ କହିଲେ- ଏଭଳି ଲୋକ ସରକାରୀ ଚାକିରିରେ ରହିବା ଯୋଗ୍ୟ ନୁହେଁ

NEWS7
loot-case-in-malkangiri-area

ଭୁବନେଶ୍ବର ୨୨।୧: ବାଲିଗୁଡାରେ ହାତୀ ମୃତଦେହକୁ ପୋତିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଏଭଳି ଲୋକ ସରକାରୀ ଚାକିରିରେ ରହିବା ଯୋଗ୍ୟ ନୁହେଁ । ହାତୀକୁ ଅନ୍ୟ ସ୍ଥାନରେ ପୋତିବା ବଡ଼ ଅପରାଧ । ଏନେଇ ବିଭାଗ ତଦନ୍ତ କରୁଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ଏବଂ ଯେଉଁମାନେ ସାହାଯ୍ୟ କରିଛନ୍ତି ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସଠିକ୍ ତଦନ୍ତ କିଭଳି ହେବ ସେନେଇ ପିସିସିଏଫ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଇନଚାର୍ଜ ରେଞ୍ଜର ଫେରାର ଅଛନ୍ତି । ପିସିସିଏଫ ତଦନ୍ତ କରୁଛନ୍ତି । ବିଭାଗ ସନ୍ଦେହ ସୃଷ୍ଟି ହେଉଥିବାରୁ ସ୍ୱତନ୍ତ୍ର ଭାବେ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା । ତେବେ ହାତୀର ଶବ ମିଳିନଥିଲା । ବାଲିଗୁଡ଼ା ଡିଏଫଓ ଏହି ଘଟଣାର ତଦନ୍ତ କରୁଥିଲେ । ବୁଧବାର ଯୁଗ୍ମ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ ।

ହାତୀ ଶବ ପୋତିବା ଘଟଣାରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବାଲିଗୁଡା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗ ଅଧିକାରୀମାନେ ତହଁସିର ଡ୍ୟାମ୍ ନିକଟରେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ । ଏହି ଅପରେସନକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ପାଇଁ ମିଳିଥିବା ସ୍ଥାନରେ ଗ୍ରୀନ୍ ବ୍ୟାରିକେଡ୍ କରି ରଖିଥିଲେ । ଜେସିବି ଦ୍ୱାରା ମାଟି କଢ଼ାଯାଇ ୭ ଫୁଟ ତଳୁ ହାତୀ ଶରୀରର ବିଭିନ୍ନ ଅଂଶ ପାଇଥିଲେ । ହାତୀକୁ ଟିକିଟିକି କରି କାଟି ପୋତା ଯାଇଥିବା ଅନୁମାନ କରାଯାଉଛି । ତେବେ ଦେହାଂଶର ଅଧିକାଂଶ ପଚିସଢି ଯାଇଥିବା ବେଳେ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ମିଳିଥିଲା ।