ଭଦ୍ରକ ୨୯/୦୫: ରାସନ କାର୍ଡରୁ ନାଁ କଟିଯାଇଛି । ଯୋଡି ହେବାକୁ ହନ୍ତସନ୍ତ ହିତାଧିକାରୀ । ରାତି ଅଧିଆ ଭିଡ ଲଗାଇଛନ୍ତି ଦିବ୍ୟାଙ୍ଗ ଓ ଗର୍ଭବତୀ । ଭଦ୍ରକରୁ ଆସିଛି ଏମିତି ଚିତ୍ର । ବ୍ଲକ ଅଫିସରୁ ପ୍ରାୟ ୧କିଲୋମିଟର ଯାଏ ଶତାଧିକ ହିତାଧିକାରୀଙ୍କ ଲମ୍ବା ଲାଇନ ଲାଗିଛି । ରାସନ କାର୍ଡରେ ନାଁ କଟିଯାଇଥିବାରୁ ଯୋଡିବା ପାଇଁ ବ୍ଲକ ଅଫିସକୁ ରାତିରୁ ଆସି ଡେରା ପକାଇଥିଲେ ଶହ ଶହ ଲୋକ । ତେବେ ମାତ୍ର ୧୨୦ ଜଣଙ୍କୁ ଟୋକନ ଦିଆଯାଇଛି । ସରକାରଙ୍କ ବ୍ୟବସ୍ଥା ଅନୁୟାୟୀ ରାସନ କାର୍ଡ ପାଇଁ ପ୍ରଥମେ ଜଣେ ହିତାଧିକାରୀ ଜନସେବା କେନ୍ଦ୍ରରେ ଆବେଦନ କରିବେ । ପରେ ସେଇ ଆବେଦନ କାଗଜ ନେଇ ବ୍ଲକରେ ଯାଞ୍ଚ କରାଇବେ । ଯାଞ୍ଚ ପରେ ପୁଣି ଜନସେବା କେନ୍ଦ୍ରରେ ଆବେଦନ କଲେ ନାଁ ଯୋଡି ହେବ । ସେଥିପାଇଁ ରାତି ଅଧରୁ ଆସି ଲାଇନରେ ଠିଆ ହୋଇ ହୀନସ୍ତା ହେଉଛନ୍ତି ଦିବ୍ୟାଙ୍ଗ ଓ ଗର୍ଭବତୀ ।