ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ୍ ବର୍ଲା ମଞ୍ଜୁରି ଦେଇଛନ୍ତି । ଏହା ସହ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ତିନି ସଦସ୍ୟଙ୍କ କମିଟି ଗଠନ କରିଛନ୍ତି । ତଦନ୍ତ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟ, ହାଇକୋର୍ଟରୁ ଜଣେ ଜଣେ ଜଜ୍ ଓ ଜଣେ ଆଇନ ବିଷାରଦ ସାମିଲ ଅଛନ୍ତି । ତଦନ୍ତ କମିଟିର ରିପୋର୍ଟ ମିଳିବା ଯାଏ ମହାଭିଯୋଗ ପ୍ରସ୍ତାବ ଲୋକସଭାରେ ବିଚାରଧୀନ ରହିବ ।
ଲୋକସଭା ବାଚସ୍ପତି ଓମ୍ ବର୍ଲା ଯେଉଁ ସମିତି ଗଠନ କରିଛନ୍ତି, ସେଥିରେ ସୁପ୍ରିମକୋର୍ଟର ଜଷ୍ଟିସ୍ ଅରବିନ୍ଦ କୁମାର, ମାଦ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ମନିନ୍ଦ୍ରା ମୋହନ ଶ୍ରୀବାସ୍ତବ ଓ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଆଇନ ବିଷାରଦ ବି.ଭି.ଆଚାର୍ଯ୍ୟଙ୍କ ନାଁ ସାମିଲ ରହିଛି ।
ଜଷ୍ଟିସ୍ ଅରବିନ୍ଦ କୁମାର
ସୁପ୍ରିମକୋର୍ଟର ନ୍ୟାୟମୂର୍ତ୍ତି ଅରବିନ୍ଦ କୁମାର ୧୬ ବର୍ଷରୁ ଅଧିକ ସମୟ ଯାଏ ସାମ୍ୱିଧାନିକ କୋର୍ଟର ବିଚାରପତି ରହିଥିଲେ । ଜଷ୍ଟିସ୍ କୁମାର ୨୦୨୩ ଫେବ୍ରୁଆରୀ ୧୩ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ ଓ ତାଙ୍କ କାର୍ଯ୍ୟକାଳ ୨୦୨୭, ଜୁଲାଇ ୧୩ ଯାଏ ରହିବ । ୧୯୬୨ରେ ଜନ୍ମିତ ଜଷ୍ଟିସ୍ କୁମାର ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ ଓ ୧୯୮୭ରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।
ଜଷ୍ଟିସ୍ ମନିନ୍ଦ୍ରା ମୋହନ ଶ୍ରୀବାସ୍ତବ
ଛତିଶଗଡ଼ର ବିଳାସପୁର ବାସିନ୍ଦା ଜଷ୍ଟିସ୍ ଶ୍ରୀବାସ୍ତବ ମାଦ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି । ୨୦୦୯ ଡିସେମ୍ୱରରେ ସେ ଛତିଶଗଡ଼ ହାଇକୋର୍ଟରେ ବିଚାରପତି ହୋଇଥିଲେ । ଏହାପରେ ୨୦୨୧ରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ସେଠାରୁ ମାଦ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଥିଲେ ।
ବରିଷ୍ଠ ଆଇନଜୀବୀ ବିଭି ଆଚାର୍ଯ୍ୟ
୯୧ ବର୍ଷୀୟ ବିଭି ଆଚାର୍ଯ୍ୟ ଜଣେ ବରିଷ୍ଠ ଆଇନ ବିଶେଷଜ୍ଞ ଓ ନ୍ୟାୟିକ କାର୍ଯ୍ୟରେ ଛଅ ଦଶନ୍ଧିରୁ ଅଧିକ ସମୟର ଅନୁଭବ ତାଙ୍କ ପାଖରେ ଅଛି । ସେ ୧୯୮୯ରୁ ୨୦୧୨ ମଧ୍ୟରେ ପାଞ୍ଚଥର କର୍ଣ୍ଣାଟକ ହାଇକୋର୍ଟର ଆଡଭୋକେଟ୍ ଜେନେରାଲ୍ ରହିଥିଲେ । ବିଭି ଆଚାର୍ଯ୍ୟ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତା ଓ ଅନ୍ୟଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ମାମଲାରେ ସ୍ୱତନ୍ତ୍ର ସରକାରୀ ଆଇନଜୀବୀ ଥିଲେ ।