ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଏନଡିଏ ସଂସଦୀୟ ଦଳର ନେତା । ଦିଲ୍ଲୀରେ ବସିଥିବା ଏନଏଡି ବୈଠକରେ ମୋଦିଙ୍କୁ ନେତା ଭାବେ ଚୟନ କରାଯାଇଛି । ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ଉପସ୍ଥିତିରେ ରାଜନାଥ ସିଂହ ସଂସଦୀୟ ନେତା ଭାବେ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଅମିତ୍ ଶାହ ଓ ନୀତିନ୍ ଗଡ଼କରି ସମର୍ଥନ ଜଣାଇଛନ୍ତି । ଖୁବ୍ ଶୀଘ୍ର ଏନଡିଏ ମେଣ୍ଟ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି । ସଂସଦୀୟ ଦଳ ନେତା ହେବା ପରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ।
ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ କେନ୍ଦ୍ରରେ ଏନଡିଏ ମେଣ୍ଟ ସରକାର କରିବାକୁ ଯାଉଛି । ନରେନ୍ଦ୍ର ମୋଦି ସଂସଦୀୟ ଦଳର ନେତା ଭାବେ ଚୟନ ହୋଇଛନ୍ତି । ଆସନ୍ତା ଜୁନ୍ ୯ ତାରିଖ ସଂଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏନଡିଏ ସଂସଦୀୟ ଦଳ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଯେ ଦେଶର ସେବାରେ ପ୍ରତ୍ୟେକ ମୁହୂର୍ତ୍ତ ବିତାଇଥିବା ପ୍ରଧାନମନ୍ତ୍ରୀଙ୍କୁ ଆମେ ହୃଦୟରୁ ଅଭିନନ୍ଦନ ଜଣାଉଛୁ। ଏହି କାରଣରୁ ଭାରତ ଆଜି ଇତିହାସ ସୃଷ୍ଟି କରୁଛି ଏବଂ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ସଂଖ୍ୟାଗରିଷ୍ଠ ସରକାର ଗଠନ କରିଛି।
ବରିଷ୍ଠ ବିଜେପି ନେତା ରାଜନାଥ ସିଂ ନରେନ୍ଦ୍ର ମୋଦିଙ୍କ ନାଁକୁ ଏନଡିଏର ନେତା ଭାବେ ପ୍ରସ୍ତାବ ଦେଇଥିଲେ। ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ କରିଥିବା କାର୍ଯ୍ୟ ଉଭୟ ଦେଶ ତଥା ବିଶ୍ୱରେ ପ୍ରଶଂସିତ ହୋଇଛି। ରାଜନାଥ ସିଂ କହିଛନ୍ତି ଯେ ମୁଁ ସମସ୍ତ ନୂତନ ନିର୍ବାଚିତ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, "ମୁଁ ପୁଣିଥରେ ଲୋକସଭା ନିର୍ବାଚନରେ ଜିତିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।
ଏନଡିଏ ସଂସଦୀୟ ଦଳ ବୈଠକରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ଆମେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛୁ, କାରଣ ଏନଡିଏକୁ ବହୁମତ ମିଳିଛି । ମୁଁ ନିର୍ବାଚନ ପ୍ରଚାର ସମୟରେ ଦେଖିଛି ଯେ ପିଏମ୍ ମୋଦୀ ୩ ମାସ ପର୍ଯ୍ୟନ୍ତ ବିଶ୍ରାମ ନେଇ ନାହାଁନ୍ତି। ସେ ଦିନରାତି ପରିଶ୍ରମ କରିଥିଲେ। ଆନ୍ଧ୍ର ପ୍ରଦେଶରେ ଆମେ ୩ଟି ସାଧାରଣ ସଭା ଏବଂ ଗୋଟିଏ ବଡ଼ ରାଲି କରିଥିଲୁ ଏବଂ ଏହା ଆନ୍ଧ୍ରପ୍ରଦେଶରେ ନିର୍ବାଚନରେ ଜିତିବାରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା।'
ଏନଡିଏ ବୈଠକରେ ନୀତୀଶ କୁମାର କହିଛନ୍ତି ଯେ 'ଜେଡିୟୁ ନରେନ୍ଦ୍ର ମୋଦୀଙ୍କୁ ଏନଡିଏର ସଂସଦୀୟ ଦଳର ନେତା ଭାବରେ ସମର୍ଥନ କରୁଛି। ଏଥର ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ରାଜ୍ୟର ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରିବେ। ଜେଡିୟୁ ସେମାନଙ୍କ ସହିତ ଖୋଲାଖୋଲି ଭାବେ ରହିବୁ ଏବଂ ମୋଦି ଯାହା ବି କହିବେ ଆମେ ସେଥିରେ ସହମତି ଦର୍ଶାଇବୁ।' ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାସୱାନ୍ କହିଛନ୍ତି ଯେ 'ମୁଁ ସମସ୍ତ ସାଂସଦଙ୍କୁ ସ୍ୱାଗତ କରୁଛି। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଛି।