ଲୋକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲା ଠିକା ସଂସ୍ଥା, ମାସେ ମଧ୍ୟରେ ନିର୍ମାଣର ଦେଲା ପ୍ରତିଶ୍ରୁତି

Published By : Prameya-News7 Bureau | June 19, 2025 IST

ଆନନ୍ଦପୁର ୧୯/୦୬: ଅଧା ହୋଇ ପଡିଛି ରାସ୍ତା ଓ ଓଭରବ୍ରିଜ ନିର୍ମାଣ । ଦୁର୍ଘଟଣାକୁ ନିମନ୍ତ୍ରଣ ଦେଉଛି ବଡ ବଡ ଖାଲ । ଧୂଳି ଧୂଆଁରେ ଆକ୍ତାମାକ୍ତା ଲୋକେ । ଆଉ କେତେ ଦିନ ଦହଗଞ୍ଜ ହେବେ । ମରାମତି ଦାବିରେ ରାସ୍ତାକୁ ଓହ୍ଲାଇଲେ ।  ଆନନ୍ଦପୁରରୁ ଯାଜପୁର ଯିବା ପାଇଁ  ବ୍ୟବହାର ହେଉଥିବା ଶାଳପଡା ବାମପାଖ ସର୍ଭିସ ରାସ୍ତା ବନ୍ଦ କରି ଧାରଣାରେ ବସିଥିଲେ ଆନ୍ଦୋଳନକାରୀ । ୧ମାସ ମଧ୍ୟରେ କାମ ସାରିବାକୁ ଅଡି ବସିଥିଲେ ଲୋକେ । ରାସ୍ତା ଅବରୋଧ ଯୋଗୁ ଶହ ଶହ ଗାଡି ଅଟକି ରହିଥିଲା । ଘଷିପୁରା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ହେଲେ କେହି ରାସ୍ତାରୁ ଉଠିନଥିଲେ । ଶେଷରେ ରାସ୍ତା ଓ ଓଭରବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ଥା କର୍ତ୍ତୃପକ୍ଷ ପହଞ୍ଚି ଆନ୍ଦୋଳନରେ ବସିଥିବା ଲୋକଙ୍କ ସହ ଆଲୋଚନା କରିଥିଲେ । ଦାବି ପୂରଣର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

କେନ୍ଦୁଝର ଜିଲ୍ଲାର ୨୦ ନମ୍ବର ଜାତୀୟ ରାଜପଥ ଆନନ୍ଦପୁର ଉପଖଣ୍ଡ ଶାଳପଡା ଠାରେ ନିର୍ମାଣ ଚାଲିଛି ନୂଆ ଓଭରବ୍ରିଜ । ପ୍ରତିଦିନ ଯାତାୟତ ପାଇଁ ସର୍ଭିସ ରୋଡକୁ ମୁଖ୍ୟ ରାସ୍ତା ଭାବରେ ବ୍ୟବହାର କରୁଛନ୍ତି ଲୋକେ । ସେହି କାରଣରୁ ଆରମ୍ଭ ହୋଇଛି ସମସ୍ୟା । ଅତ୍ୟଧିକ ପରିମାଣରେ ଗାଡି ଯିବା ଆସିବା କରିବା ଯୋଗୁ ରାସ୍ତା ଅବସ୍ଥା ପୁରା ଖରାପ ହୋଇଯାଇଛି । ବିଭିନ୍ନ ସ୍ଥାନରେ ବଡ ବଡ ଗାତ ସୃଷ୍ଟି ହୋଇଛି । ବର୍ଷା ଦିନ କଥା ନକହିବା ଭଲ ।ଗାତରେ ପାଣି ପଶିଯାଉଛି । ଅନେକ ସମୟରେ ଦୁର୍ଘଟଣା ଘଟୁଛି ।  ସେପଟେ ଧୂଳି ଧୂଆଁ ଉଡୁଥିବାରୁ  ଅଣନିଶ୍ବାସୀ ହେଇପଡିଲେଣି ଲୋକେ । ତୁରନ୍ତ ଓଭରବ୍ରିଜ ଓ ରାସ୍ତା ନିର୍ମାଣ କାମ ସାରିବାକୁ ଦାବି ହୋଇଥିଲା ।  ହେଲେ ପ୍ରଶାସନ କି ଦାୟିତ୍ବରେ ଥିବା ଠିକା ସଂସ୍ଥା ଶୁଣୁନଥିବାରୁ ତାତିଥିଲେ ଲୋକେ  । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.