ଆସିଲା ପହଲଗାମ ଗୁଳିକାଣ୍ଡରେ ମୃତ ପର୍ଯ୍ୟଟକଙ୍କ ସୂଚୀ, ମୃତକଙ୍କ ମଧ୍ୟରେ ଅଛନ୍ତି ଏୟାରଫୋର୍ସ ଓ ଆଇବି ଅଫିସର

Published By : Prameya-News7 Bureau | April 23, 2025 IST

ପହଲଗାମ ୨୩।୪: ଜମ୍ମୁ-କାଶ୍ମୀର ଆତଙ୍କବାଦୀ ଗୁଳିକାଣ୍ଡରେ ଆମେରିକାରେ ରହୁଥିବା କୋଲକାତାର ଜଣେ ବୈଷୟିକ ବିଶେଷଜ୍ଞ, ବିହାରର ଜଣେ ଅବକାରୀ ନିରୀକ୍ଷକ, କର୍ଣ୍ଣାଟକର ଜଣେ ରିୟେଲ ଇଷ୍ଟେଟ ଏଜେଣ୍ଟ, ଓଡିଶାର ଜଣେ ଆକାଉଣ୍ଟାଣ୍ଟ, ଗୁଇନ୍ଦା ଅଫିସର ଓ ନୌସେନା ଏବଂ ବାୟୁସେନାର ଅଧିକାରୀ ମଧ୍ୟ ଅଛନ୍ତି। ଏମାନେ ନିଜନିଜ ପରିବାର ସହିତ ବୈସରନକୁ ଛୁଟି କଟେଇବାକୁ ଆସିଥିଲେ। ଅଧିକାରୀମାନେ ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସବୁ ମୃତକଙ୍କ ସୂଚୀ ଜାରି କରିଛନ୍ତି। 

ଏଥିରେ ସରକାର ପ୍ରଥମ ଥର ସ୍ୱୀକାର କରିଛନ୍ତି ଯେ ଆତଙ୍କବାଦୀଙ୍କ ଗୁଳିକାଣ୍ଡରେ ୨୬ ଜଣ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି। ଏହି ଗୁଳିକାଣ୍ଡରେ ମହାରାଷ୍ଟ୍ରର ୬ ଜଣ ପ୍ରାଣ ହରାଇଥିବା ବେଳେ ପଶ୍ଚିମବଙ୍ଗର ୨ ଜଣ, ଉତ୍ତରାଖଣ୍ଡର ଜଣେ, ହରିୟାଣାର ଜଣେ, ଉତ୍ତରପ୍ରଦେଶର ଜଣେ, ବିହାରର ଜଣେ, ପଞ୍ଜାବର ଜଣେ, କେରଳର ଜଣେ, ଗୁଜରାଟର ୩ଜଣ, କର୍ଣ୍ଣାଟକର ୩ ଜଣ, ଓଡିଶାରୁ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ, ମଧ୍ୟପ୍ରଦେଶରୁ ଜଣେ ଓ ଅଋଣାଚଳ ପ୍ରଦେଶରୁ ଜଣକର ମୃତ୍ୟୁ ହୋଇଛି। ଏହା ଛଡା ନେପାଳର ଜଣେ ପର୍ଯ୍ୟଟକ ଓ ପହଲଗାମର ଜଣେ ସ୍ଥାନୀୟ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। 

କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଏହି ଆକ୍ରମଣ ସେତେବେଳେ ହୋଇଛି ଯେତେବେଳେ ଆମରିକା ଉପରାଷ୍ଟ୍ରପତି ଜେ.ଡି.ଭେନସ୍ ୪ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି। ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୌୟବାର ଶାଖା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ’ (ଟିଆରଏଫ) ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆତଙ୍କବାଦୀମାନେ ପ୍ରଥମେ ଆଇଡେଣ୍ଟିଟି କାର୍ଡ ଯାଞ୍ଚ କରିଥିଲେ ଓ ଅଣ ମୁସଲମାନଙ୍କୁ ଚିହ୍ନଟ କରି ଗୁଳି କରିଥିଲେ। ମୃତକଙ୍କ ମଧ୍ୟରେ ହରିୟାଣା କର୍ଣ୍ଣଲର ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲ ମଧ୍ୟ ଅଛନ୍ତି। 

୪ ଦିନ ପୂର୍ବେ ନରୱାଲଙ୍କ ବିବାହ ହୋଇଥିଲା ଓ ସେ ପତ୍ନୀଙ୍କ ସହିତ ହନିମୁନରେ ଜମ୍ମୁ-କାଶ୍ମୀର ବୁଲି ଆସିଥିଲେ। ଭାରତୀୟ ବାୟୁସେନା ଅଧିକାରୀ ତାଗେ ହ୍ୟାଲିୟାଙ୍ଗ ଓ ଇଣ୍ଟେଲିଜେନ୍ସୀ ବ୍ୟୁରୋ ଅଧିକାରୀ ମନିଷ ରଞ୍ଜନ ମଧ୍ୟ ମୃତକଙ୍କ ମଧ୍ୟରେ ଅଛନ୍ତି। ମନିଷ ରଞ୍ଜନ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଧିକାରୀ ଥିଲେ ଓ ସେ ଏବେ ହାଇଦ୍ରାବାଦରେ ମୁତୟନ ଥିଲେ। ମନିଷ ରଞ୍ଜନଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରାଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। 

ମହାରାଷ୍ଟ୍ର ପୁଣେର ୨ ବ୍ୟବସାୟୀ ସନ୍ତୋଷ ଜଗଦ୍ଦାଲେ ଓ କୌସ୍ତୁଭ ଗଣବୋଟେ ମଧ୍ୟ ଏହି ନୃଶଂଶ ଗୁଳିକାଣ୍ଡରେ ଆହତ ହୋଇଥିଲେ। ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି। ଓଡିଶା ବାଲେଶ୍ୱରର ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ମଧ୍ୟ ଗୁଳିକାଣ୍ଡରେ ମୃତ୍ୟୁ ହୋଇଛି। ସେ ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ସହ କାଶ୍ମୀରରେ ଛୁଟି କଟାଉଥିଲେ। ଆମେରିକାରେ ରହୁଥିବା ଟିସିଏସର ଟେକ୍ନିସିୟାନ ବିତାନ ଅଧିକାରୀ ତାଙ୍କର ୩ ବର୍ଷର ପୁଅ ଓ ପତ୍ନୀଙ୍କ ସହ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥାନକୁ ଯାଇଥିଲେ। କୋଲାକାତା ବୈଷ୍ଣବଘାଟାର ବାସିନ୍ଦା ବିତାନ ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି। 

ସେହିପରି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପଶ୍ଚିମବଙ୍ଗ କୋଲକାତାର ସମୀର ଗୁହା ପରିସଂଖ୍ୟାନ ମନ୍ତ୍ରାଳୟରେ କେନ୍ଦ୍ର ସରକାରୀ କର୍ମଚାରୀ ଥିଲେ। କାନପୁରର ଶୁଭମ ଦ୍ୱିବେଦୀ ମଧ୍ୟ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି। ଘଟଣା ବେଳେ ସେ ମ୍ୟାଗି ଖାଉଥିଲେ ଓ ସେନା ପୋଷାକରେ ୨ ଜଣ ବନ୍ଧୁକଧାରୀ ତାଙ୍କ ନିକଟକୁ ପହଞ୍ଚି ତାଙ୍କୁ କଲମା ପଢିବାକୁ କହିଥିଲେ। ସେ କହି ନପାରିବାରୁ ତାଙ୍କୁ ସେହିଠାରେ ଗୁଳି କରିଥିଲେ। 

ଏହି ଆତଙ୍କବାଦୀ ଗୁଳିକାଣ୍ଡରେ ଗୁଜରାଟର ମଧ୍ୟ ୩ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ୩ ଜଣଙ୍କ ମଧ୍ୟରୁ ଭାବାନଗରର ପିତା-ପୁତ୍ର ମଧ୍ୟ ଅଛନ୍ତି। ସୁରଟର କୈଳାଶ କଲଥିଆଙ୍କୁ ତାଙ୍କ ପତ୍ନୀ ଓ ପୁଅଙ୍କ ଉପସ୍ଥିତିରେ ଗୁଳି କରାଯାଇଥିଲା। ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ନେପାଳୀ ପର୍ଯ୍ୟଟକଙ୍କ ଶବକୁ ବୁଧବାର ଅପରାହ୍ନରେ କାଠମାଣ୍ଡୁ ପଠାଯାଇଛି। ମୃତକ ସୁଦୀପ ଲୁମ୍ବିନୀରୁ ୪୫ କିଲୋମିଟର ଦୂର ବୁଟଭଲର ବାସିନ୍ଦା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.