ପାଟନା ୯।୪: ବିହାରର ୪ଟି ଜିଲ୍ଲାରେ ବୁଧବାର ବଜ୍ରପାତ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗଭୀର ଶୋକ ପ୍ରକଟ କରିଛନ୍ତି। ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସବୁଠୁ ଅଧିକ ମୃତ୍ୟୁ ବେଗୁସରାୟ ଜିଲ୍ଲାରେ ହୋଇଛି। ଏଠାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଛଡା ଦରଭଙ୍ଗାରେ ୪, ମଧୁବନୀରେ ୩ ଓ ସମସ୍ତିପୁରରେ ଜଣକର ମୃତ୍ୟୁ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ବିହାରର ସମସ୍ତିପୁର, ମଧୁବନୀ, ବେଗୁସରାୟ ଓ ଦରଭଙ୍ଗା ଜିଲ୍ଲାର ଅଲଗା ଅଲଗା ଅଞ୍ଚଳରେ ବୁଧବାର କୁଆପଥର ପଡିବା ସାଙ୍ଗକୁ ଭୀଷଣ ଝଡବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ହେବା ଯୋଗୁ ୪ ଜିଲ୍ଲାରେ ଅନୁନ୍ୟ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଦରଭଙ୍ଗାରେ ବଜ୍ରପାତ ଯୋଗୁ ଜଣେ ବୟଷ୍କ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମଧୁବନୀରେ ବାପ-ଝିଅଙ୍କ ସମେତ ୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ସମସ୍ତି ପୁରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ବିହାରରେ ବଜ୍ରପାତ ଯୋଗୁ ଦେଶର ସବୁଠାରୁ ଅଧିକ ମୃତ୍ୟୁ ହୋଇଥାଏ। ଏଥି ପାଇଁ ଅନେକ କାରଣ ରହିଛି। ଏଥିରେ ଜଳବାୟୁ ପରିବର୍ତ୍ତନ ମୁଖ୍ୟ କାରଣ ହୋଇଥିବା ବେଳେ ମାନସୁନ କାଳରେ ବର୍ଷା ପାଟର୍ଣ୍ଣ ବଦଳିବା ଅନ୍ୟ ଏକ କାରଣ। ଏହି ସମୟରେ ଅଧିକାଂଶ ବଜ୍ରପାତ ଘଟଣା ମଧ୍ୟାହ୍ନରେ ହୋଇଥାଏ, ଯେତେବେଳେ ଲୋକେ ଖେତରେ କାମ କରୁଥାନ୍ତି। ଚାଷବାସ ସମୟରେ ଗ୍ରାମାଞ୍ଚଳର ଲୋକେ ଖୋଲାରେ ରହିବାକୁ ପସନ୍ଦ କରନ୍ତି। ଏଣୁ ଚାଷବାସ କାଳରେ ଲୋକଙ୍କୁ ଅନେକ ସମୟରେ ବଜ୍ରପାତ ଚେତାବନୀ ମିଳି ପାର ନଥାଏ।