ଚେନ୍ନାଇ ୫।୬: ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏଲଜିବିଟିକ୍ୟୁ A+ ସମୂଦାୟ ଲୋକେ ପରିବାର ଗଢିପାରିବେ ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ ଭାରତରେ ସମଲିଙ୍ଗି ବିବାହକୁ ଆଇନତଃ ମାନ୍ୟତା ମିଳି ନାହିଁ। ହେଲେ ଏପରି ଲୋକଙ୍କୁ ପରିବାର ଗଢିବାର ଅଧିକାର ରହିଛି। କୋର୍ଟ ଏହି ରାୟ ୨୫ ବର୍ଷ ଧରି ଲମ୍ବିତ ମହିଳା ମାମଲାରେ ଦେଇଛନ୍ତି, ଯାହାକୁ ତାଙ୍କ ପରିବାର ଲୋକେ ତାଙ୍କ ମହିଳା ପାର୍ଟନରଙ୍କଠାରୁ ଜୋର ଜବରଦସ୍ତ ଅଲଗା କରିଦେଇଥିଲେ ଓ ହଇରାଣ କରୁଥିଲେ।
ମହିଳାଙ୍କ ପାର୍ଟନର ମାଡ୍ରାସ ହାଇକୋର୍ଟରେ ଏ ନେଇ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ (ହେବିୟସ୍ କର୍ପସ) ରୁଜୁ କରିଥିଲେ। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜି.ଆର.ସ୍ୱାମୀନାଥନ ଓ ଜଷ୍ଟିସ୍ ଭି.ଲକ୍ଷ୍ମୀ ନାରାୟଣଙ୍କ ବେଞ୍ଚ ଶୁଣାଣି କରୁଥିବା ବେଳେ ରାୟ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି ଯେ ପରିବାର କେବଳ ବିବାହରେ ହୋଇ ନଥାଏ, ବଛାବଛି ପରିବାର ର ଅବଧାରଣା ଏବେ ଆଇନ ଦ୍ୱାରା ମାନ୍ୟ ହେଉଛି। ଅର୍ଥାତ ଦୁଇଜଣ ଲୋକ ପରସ୍ପର ସହମତିରେ ବିନା ବିବାହରେ ଗୋଟିଏ ପରିବାର ଭଳି ଏକାଠି ରହି ପାରିବେ। ଏଣୁ ଏଲଜିବିଟିକ୍ୟୁ A+ ଲୋକେ ହୁଏତ ବିବାହ ନ କରିପାରନ୍ତି ହେଲେ ନିଜ ଇଛାରେ ସେମାନଙ୍କ ପରିବାର ଗଢିପାରିବେ।
୨୫ ବର୍ଷ ବୟଷ୍କା ଜଣେ ମହିଳାଙ୍କୁ ତାଙ୍କ ପରିବାର ପାର୍ଟନରଙ୍କ ଠାରୁ ପୃଥକ କରିଦେଇଥିଲେ। ମହିଳାଙ୍କ ପାର୍ଟନର କୋର୍ଟରେ ଆବେଦନ କରି ତାଙ୍କ ପ୍ରେମିକାଙ୍କୁ ବେଆଇନ ଭାବେ ଘରେ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ କରିଥିଲେ। ମହିଳା ସାବଳକ ଓ ନିଜ ନିଷ୍ପତ୍ତି ନିଜେ ନେଇ ପାରିବେ ବୋଲି କୋର୍ଟ କହିଥିବା ବେଳେ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ଆଦେଶ ଦେଇଛନ୍ତି। ଏଥି ପାଇଁ ହାଇକୋର୍ଟ ଦେଶର ପ୍ରଥମ ମହିଳା ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ଅନ୍ୟତମ ଜଷ୍ଟିସ୍ ଲିଲା ସେଠ୍ ଙ୍କ ଉଦାହରଣ ଦେଇଛନ୍ତି।
ସେହିପରି କୋର୍ଟ ‘କ୍ୱିର’ ଶବ୍ଦକୁ ନେଇ ନିଜର ଅସହମତି ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଏହି ଶବ୍ଦର ଅର୍ଥ ସାଧାରଣତଃ ଅଜବ ଓ ଅସାଧାରଣ ହୋଇଥାଏ ଏହା ଏଲଜିବିଟିକ୍ୟୁ ଲୋକଙ୍କ ନିମନ୍ତେ ପ୍ରଜୁଯ୍ୟ ନୁହେଁ। ବିଚାରପତି କହିଛନ୍ତି ଯେ ଯଦି କାହାର ଯୌନ ଆକାଙକ୍ଷା ତା ପାଇଁ ସାଧାରଣ ତେବେ ତାଙ୍କୁ ଅଜବ କାହିଁକି କୁହାଯିବ? ଏପରି ଲୋକଙ୍କ ପାଇଁ ଏହି ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଏଲଜିବିଟିକ୍ୟୁ ସମୂଦାୟଙ୍କ ଅଧିକାର ଲାଗି ଏକ ବଡ଼ ବିଜୟ ମନେ କରାଯାଉଛି।