ମହିଳାଙ୍କ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭାଗ ତତ୍ପର, ଆସନ୍ତା ୩୦ ସୁଦ୍ଧା ଆଇସିସି ଗଠନ କରିବାକୁ ସବୁ ସ୍ୱାସ୍ଥ୍ୟାନୁଷ୍ଠାନକୁ ଚିଠି

Published By : Prameya-News7 Bureau | July 25, 2025 IST

ଭୁବନେଶ୍ବର ୨୫।୭: ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନରେ କାର୍ଯ୍ୟରତ ମହିଳାଙ୍କ  ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯିବ ।  ସେମାନଙ୍କ ଯୌନ ନିର୍ଯାତନା ଅଭିଯୋଗକୁ  ପ୍ରାଥମିକତା ଦିଆଯିବ ।  ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା  ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ କାର୍ଯ୍ୟରତ  ମହିଳାଙ୍କ ସୁରକ୍ଷା ନେଇ ‘ଯୌନ  ନିର୍ଯାତନା ଇଣ୍ଟରନାଲ୍‌ କମିଟି’ ଗଠନ  କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ  ବିଭାଗ । ଚଳିତ ମାସ ୩୦ ତାରିଖ  ସୁଦ୍ଧା ଏହି କମିଟି ଗଠନ କରିବାକୁ  କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ  ଶାସନ ସଚିବ ଅଶ୍ୱଥୀ ଏସ୍‌ ଚିଠି ଲେଖି  ଏନ୍‌ଏଚ୍‌ଏମ୍‌ ଓଡ଼ିଶା, ଓଏସ୍‌ଏମ୍‌ସିଏଲ୍‌  ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟକୁ ଏହି ନିର୍ଦ୍ଦେଶ  ଦେଇଛନ୍ତି । ଏହାଛଡ଼ା ଅତିରିକ୍ତ ସଚିବ  ସୁମିତ୍ରା ସେନାପତି ମଧ୍ୟ ସମସ୍ତ ସରକାରୀ  ଓ ଘରୋଇ ମେଡିକାଲ କଲେଜ,  ନର୍ସିଂ କଲେଜ, ଫାର୍ମାସୀ କଲେଜ ଓ  ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର କର୍ତ୍ତୃପକ୍ଷ,  ସମସ୍ତ ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ  ମଧ୍ୟ ସୂଚନା ଦିଆଯାଇଛି । ମହିଳାଙ୍କ  ସୁରକ୍ଷା ନେଇ ସୁନିଶ୍ଚିତ ପଦକ୍ଷେପ  ନେବେ । ୩୦ ତାରିଖ ସୁଦ୍ଧା ରିପୋର୍ଟ  ଦେବେ । 

ଅନୁଷ୍ଠାନରେ ଏହି କମିଟି  ପୂର୍ବରୁ ରହିଥିଲେ ହେଁ ଏହାକୁ ଅଧିକ  କ୍ରିୟାଶୀଳ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା  ଭିଡ଼ିଛି । କମିଟି ମହିଳାଙ୍କ ଅଭିଯୋଗକୁ  ସମ୍ବେଦନଶୀଳ ଭାବେ ଗ୍ରହଣ କରିବ ।  କମିଟି ସଭ୍ୟଙ୍କ ଫୋନ୍‌ ନମ୍ବର ଓ ନାମ  ଅନୁଷ୍ଠାନରେ ବୋର୍ଡରେ ଲେଖାଯିବ ।  ଏହାର ବିସ୍ତୁତ ସୂଚନା ଅନୁଷ୍ଠାନ  ୱେବ୍‌ସାଇଟ୍‌ରେ ସ୍ଥାନୀତ ହେବ ।  ଅଭିଯୋଗକାରିଣୀ ୱେବ୍‌ସାଇଟ୍‌ରେ ମଧ୍ୟ  ଅଭିଯୋଗ କରିପାରିବେ । ଅନୁଷ୍ଠାନରେ  ନିଶ୍ଚିତ ‘ଅଭିଯୋଗ ବାକ୍ସ’ ରହିବ । କି ପ୍ରକାର ଆଚରଣ କଲେ ମହିଳାମାନେ  ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ଅଭିଯୋଗ  କରିପାରିବେ ତାହାକୁ ନେଇ ସ୍ୱାସ୍ଥ୍ୟ  ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି ।  ଅଭିଯୋଗକାରୀଣିଙ୍କ ଅଭିଯୋଗକୁ  ନିଶ୍ଚିତ ବିଚାର କରାଯିବ ।  ଅଭିଯୋଗ ପାଇବାର ଅତି ବେଶୀରେ  ୯୦ ଦିନ ଭିତରେ ଅଭିଯୋଗ ସମ୍ବନ୍ଧୀୟ  ଅନୁସନ୍ଧାନ କରାଯିବ । ଯଦି ସମ୍ପୃକ୍ତ  ବ୍ୟକ୍ତି ଦୋଷୀ ତାହାଲେ ଶୃଙ୍ଖଳଗତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

You Can Read:

ମୟୁରଭଞ୍ଜ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା : ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.