ଉମରକୋଟ ୨୬।୪: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଦେଖାଦେଇଛି କଲରାପତରିଆ ବାଘ ଆତଙ୍କ । ଶୁକ୍ରବାର ସନ୍ଧ୍ୟା ସମୟରେ ଏକ କଲରା ପତରିଆ ବାଘ ଜଣେ ଶିଶୁଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ସୀମାନ୍ତ କାଂକେର ଜିଲ୍ଲା ଦୁଧୱ ସାରୋନା ଅଞ୍ଚଳର ଆଚିଡୋଙ୍ଗରି ଗାଁରେ ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ୬ ବର୍ଷର ଶିଶୁ ଘର ବାହାରେ ଖେଳୁଥିବା ସମୟରେ ଗାଁ ନିକଟ ଜଙ୍ଗଲ ମଧ୍ୟରୁ ଏକ କଲରାପତରିଆ ବାଘ ଆସି ନମନ କୁମାର ମାଡ଼କାମକୁ ଆକ୍ରମଣ କରିଥିଲା । ଆକ୍ରମଣ ସମୟରେ ପିଲାଟିର ଚିତ୍କାର ଶୁଣି ପରିବାର ସଦସ୍ୟମାନେ ବାହାରକୁ ଆସି ପାଟି କରି କୌଣସି ପ୍ରକାରେ ପିଲାଟିକୁ ବାଘ କବଳରୁ ଛଡ଼େଇ ବଞ୍ଚାଇଥିଲେ । ପରେ ବାଘଟି ପାଖରେ ଥିବା ଜଙ୍ଗଲ ମଧ୍ୟକୁ ପଳେଇ ଯାଇଥିଲା । ଛୁଆଟିକୁ ତୁରନ୍ତ ପରିବାର ଲୋକେ କାଂକେର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କଲରା ପତରିଆ ବାଘ ଆକ୍ରମଣରେ ଛୁଆର ବେକ, ହାତ ଏବଂ ପେଟରେ ଗଭୀର ଆଘାତ ହୋଇଥିବା ଜଣାପଡିଛି । ଚିତାବାଘ ଆକ୍ରମଣର ଖବର ପାଇବା ମାତ୍ରେ କାଙ୍କେର ବିଧାୟକ ଆଶାରାମ ନେତାମ ଏବଂ କାଙ୍କେର ଡିଏଫଓ ଆଲୋକ ବାଜପେୟୀ ଆହତ ଶିଶୁର ଅବସ୍ଥା ପଚାରି ବୁଝିବା ପାଇଁ ଚିକିତ୍ସାଳୟରେ ପହଞ୍ଚିଥିଲେ । ଗତ ବର୍ଷ ଏହି ଅଞ୍ଚଳରେ ଏକ ଶିଶୁକୁ ବାଘ ଆକ୍ରମଣ କରିଥିଲା ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନେକ ଆହତ ମଧ୍ୟ ହୋଇଥିଲେ ।
You Can Read: