ରୋମାଞ୍ଚକର ମୋଡ଼ରେ ଲିଡ୍ସ ଟେଷ୍ଟ, ଶେଷ ଦିନରେ ଇଂଲଣ୍ଡକୁ ଦରକାର ୩୫୦ ରନ

Published By : Prameya-News7 Bureau | June 23, 2025 IST

ଲିଡ୍ସ: ରୋମାଞ୍ଚକ ମୋଡ଼ରେ ଲିଡ୍ସ ଟେଷ୍ଟ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଜିତିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ଖୋଲା ରହିଛି ଦ୍ଵାର। ଦ୍ଵିତୀୟ ଇନିଂସରେ ଭାରତ ୩୬୪ ରନରେ ଅଲଆଉଟ୍ ହେବାରୁ ଇଂଲଣ୍ଡକୁ ମିଳିଛି ୩୭୧ ରନର ବିଜୟ ଲକ୍ଷ୍ୟ। ଜବାବରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା ଓ୍ଵିକେଟ୍‌ରେ ୨୧ ରନ କରିଛି। ଜ୍ୟାକ କ୍ରାଉଲି  ୧୨ ରନ ଓ ବେନ ଡକେଟ୍ ୯ ରନ କରି ଅପରାଜିତ ଅଛନ୍ତି। ମ୍ୟାଚ୍‌ର ଶେଷ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ଦରକାର ଆହୁରି ୩୫୦ ରନ। ଏବେ ଭାରତ ପାଇଁ ଭରସା ବୋଲର। 

ଏହା ପୂର୍ବରୁ ପ୍ରଥମ ଇନିଂସର ଭୁଲକୁ ପୁଣି ଦୋହରାଥିଲା ଭାରତ। ଶେଷ ୬ ଓ୍ଵିକେଟ୍ ମାତ୍ର ୩୧ ରନରେ ହରାଇ ଦ୍ଵିତୀୟ ଇନିଂସରେ ୩୬୪ ରନରେ ଅଲଆଉଟ୍ ହୋଇଥିଲା ଭାରତୀୟ ଟିମ୍। ଫଳରେ ଘରୋଇ ଇଂଲଣ୍ଡକୁ ୪୦୦ରୁ ଉର୍ଦ୍ଧ୍ଵ ବିଜୟ ଲକ୍ଷ୍ୟ ଦେବା ଜାଗାରେ ଭାରତ ଦେଇଛି ୩୭୧ ରନର ବିଜୟ ଲକ୍ଷ୍ୟ। କେଏଲ ରାହୁଲ(୧୩୭) ଓ ଋଷଭ ପନ୍ତ(୧୧୮)ଙ୍କ ଶତକକୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଛନ୍ତି। ମ୍ୟାଚ୍ ଏବେ ରୋମାଞ୍ଚକର ମୋଡ଼ ନେଇଛି। ଉଭୟ ଦଳ ପାଖରେ ମ୍ୟାଚ୍ ଜିତିବାର ସୁଯୋଗ ରହିଛି। ଭାରତ ପ୍ରଥମ ଇନିଂସରେ ୪୭୧ ରନ କରିଥିବା ବେଳେ ଇଂଲଣ୍ଡ କରିଥିଲା ୪୬୫ ରନ। 

ତୃତୀୟ ଦିନର ଅସମାପ୍ତ ଖେଳ ୯୦/୨ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ କେଏଲ ରାହୁଲ ଓ ଶୁଭମନ ଗିଲ୍। ଚତୁର୍ଥ ଦିନର ପ୍ରଥମ ସେସନ ଆରମ୍ଭରୁ ଶୁଭମନ ଗିଲ୍(୮ ରନ) ଆଉଟ୍ ହୋଇଥିଲେ। ଏହା ପରେ କେଏଲ ରାହୁଲ ଓ ଋଷଭ ପନ୍ତ ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଭାରତର ସ୍ଥିତି ମଜବୁତ କରିଥିଲେ। ଏଥିସହ ନିଜ ନିଜର ଚିତ୍ତାକର୍ଷକ ଶତକ ହାସଲ କରିଥିଲେ ରାହୁଲ ଓ ପନ୍ତ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୧୯୫ ରନ ଯୋଡ଼ି ଦଳର ସ୍କୋରକୁ ୨୮୭ ରନରେ ପହଞ୍ଚାଇଥିଲେ। ପନ୍ତ ୧୪୦ ବଲରୁ ୧୫ ଚୌକା ଓ ୩ ଛକା ସହ ୧୧୮ ରନର ଐତିହାସିକ ଇନିଂସ ଖେଳିଛନ୍ତି। 

ପନ୍ତଙ୍କ ପରେ କ୍ରିଜରେ ଜମିଥିବା କେଏଲ ରାହୁଲ ଆଉଟ୍ ହେବା ଭାରତୀୟ ଦଳକୁ ବଡ଼ ଝଟକା ଦେଇଥିଲା। ରାହୁଲ ୧୮ ଚୌକା ସହ ୧୩୭ ରନର ମାରାଥନ ଇନିଂସ ଖେଳିଥିଲେ। ଏହା ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। କରୁଣ ନାୟର ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ସେ ୨୦ ରନ କରି ପାଭିଲିୟନ ଫେରିଥିଲେ। ୯୧ତମ ଓଭରରେ ଭାରତ ୩ ଓ୍ଵିକେଟ୍ ହରାଇବାରୁ ଦଳ ୩୫୦ ରନ ଭିତରେ ଅଲଆଉଟ୍ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। 

ସେହି ଓଭରରେ ଜୋଶ ଟଙ୍ଗଙ୍କ ଉକ୍ତ ଓଭରରେ ଶାର୍ଦ୍ଦୁଳ ଠାକୁର(୪), ମହମ୍ମଦ ସିରାଜ(୦) ଓ ଯଶପ୍ରୀତ ବୁମରା(୦) ଆଉଟ୍ ହୋଇଥିଲେ। ତେବେ ଶେଷ ଆଡ଼କୁ ଜାଡ଼େଜା ୨୫ ରନ କରିବାରୁ ଭାରତ ୩୬୪ ରବନ କରି ପାରିଛି। ପ୍ରଥମ ଇନିଂସରେ ୬ ରନ ଅଗ୍ରଣୀ ସହ ଭାରତ ଘରୋଇ ଇଂଲଣ୍ଡକୁ ୩୭୧ ରନର ବିଜୟ ଲକ୍ଷ୍ୟ ମିଳିଛି। ବୋଲିଂରେ ବ୍ରାଇଡନ କାର୍ସ ଓ ଜୋଶ ଟଙ୍ଗ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଶୋଏବ ବସିରଙ୍କୁ ୨ଟି ଓ୍ଵିକେଟ୍ ମିଳିଛି। ଏହା ପୂର୍ବରୁ ଗତକାଲି ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୪୬୫ ରନରେ ଅଲଆଉଟ୍ ହୋଇଥିଲା ବୁମରା ୫ ଓ୍ଵିକେଟ୍ ଅକ୍ତିକାର କରିଥିଲେ। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.