ଜବଲପୁର ଗୋଳାବାରୁଦ କାରଖାନାରେ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

Published By : Prameya-News7 Bureau | May 03, 2025 IST

ଜବଲପୁର ୩।୫: ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏଥିରେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମଧ୍ୟପ୍ରଦେଶ ଜବଲପୁରସ୍ଥିତ ଗୋଳାବାରୁଦ କାରଖାନା କାରଖାନା (ଅର୍ଡିନାନ୍ସ ଫ୍ୟାକ୍ଚ୍ରି)ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ୨ ଦିନରୁ ଅଧିକ ଛୁଟି ବାତିଲ କରିଦିଆଯାଇଛି। ଏହି ନିଷ୍ପତ୍ତି ଆୟୁଧ ନିର୍ମାଣ କାରଖାନାର ଉତ୍ପାଦନ ଲକ୍ଷ୍ୟ ହାସଲ ନିମନ୍ତେ ନିଆଯାଇଥିବା କୁହାଯାଉଛି। 

ଅର୍ଡିନାନ୍ସ ଫ୍ୟାକ୍ଟ୍ରିର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଅବିନାଶ ଶଙ୍କର କହିଛନ୍ତି ଯେ ‘ଅଧିକାରୀ ଓ କର୍ମଚାରୀଙ୍କ ୨ଦିନରୁ ଅଧିକ ଦିନ ଛୁଟି ତତ୍କାଳ ପ୍ରାଭାବରେ ବାତିଲ କରାଯାଇଛି ,ଯାହା ଦ୍ୱାରା ଜାରୀ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ଉତ୍ପାଦନ ଲକ୍ଷ୍ୟ ପୂରଣ କରାଯାଇ ପାରିବ’। ଆୟୁଧ ନିର୍ମାଣ କାରଖାନାରେ ପାଖାପାଖି ୪ ହଜାର କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏହି କାରଖାନା ଭାରତୀୟ ସଶସ୍ତ୍ର ବଳଙ୍କ ନିମନ୍ତେ ଗୋଳା ବାରୁଦ ଯୋଗାଇ ଦେବା ସହ ଜାତୀୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। 

ମୁଖପାତ୍ର କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଆମକୁ ଏକ ବଡ଼ ଉତ୍ପାଦନ ଲକ୍ଷ୍ୟ ପ୍ରଦାନ କରାଯାଇଛି। ଏଥିରେ ଏପ୍ରିଲ ମାସ ଶେଷ ହେବା ବେଳକୁ ଆଶା କରାଯାଉଥିବା ଲକ୍ଷ୍ୟ ହାସଲ ହୋଇ ପାରିନଥିବାରୁ ମୁଖ୍ୟାଳୟ ନିର୍ଦ୍ଦେଶରେ କର୍ମଚାରୀଙ୍କ ଛୁଟି ବାତିଲ କରି ପର୍ଯ୍ୟାପ୍ତ ଜନଶକ୍ତି ବଳରେ ଗୋଳା ବାରୁଦ ତିଆରି କରାଯାଉଛି। ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ନିର୍ଦ୍ଧାରିତ ସମୟରେ ଉତ୍ପାଦନ ଲକ୍ଷ ପୂରଣ କରିବା ବୋଲି ସେ କହିଛନ୍ତି। କୁହାଯାଉଛି ଏହି ପଦକ୍ଷେପ ଅସ୍ଥାୟୀ ରୂପେ ନିଆଯାଇଛି ଓ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପରେ ପରିସ୍ଥିତି ପୁଣି ସମୀକ୍ଷା କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.