ନୂଆଦିଲ୍ଲୀ: ଅଚାନକ ଡାକ୍ତରଖାନାରେ ପଶି ଆସି ବରିଷ୍ଠ ଡାକ୍ତରଙ୍କୁ ତାଗିଦ୍ କଲେ ମନ୍ତ୍ରୀ। ସାମ୍ନାରେ ହାତ ସିଧା କରି ଛିଡ଼ା ହେବାକୁ କହିଲେ ଏବଂ ମାସ୍କ ଖୋଲି ଚୁପ୍ ରହିବାକୁ କହିଲେ। ମୁଁ କଥା ହେଲା ବେଳେ ଏକଦମ ଚୁପ ରହିବ ବୋଲି ମନ୍ତ୍ରୀ ବରିଷ୍ଠ ଡାକ୍ତରଙ୍କୁ ଧମକ ଦେଲେ। ଆଉ ତୁରନ୍ତ ନିର୍ଦ୍ଦେଶ ଦେଇ ସସ୍ପେଣ୍ଡ କଲେ। ଗୋଆରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲ (GMCH)ର ଜଣେ ବରିଷ୍ଠ ଡାକ୍ତରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ପ୍ରଥମେ କଂଗ୍ରେସ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ବିଜେପିକୁ ସମାଲୋଚନା କରିବା ପରେ ଭିଡିଓ ଭାଇରାଲ ହୋଇଛି।
ଶନିବାର ବାମ୍ବୋଲିମରେ ଥିବା ସରକାରୀ ହସ୍ପିଟାଲ୍ ପରିସରରେ ରାଣେଙ୍କ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କୁ ଫୋନ୍ କରି ବରିଷ୍ଠ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା। ଡାକ୍ତର ଜଣଙ୍କ ରୋଗୀ ଦେଖିବାକୁ ମନା କରୁଛନ୍ତି ଖରାପ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ପାଇବା ପରେ ମନ୍ତ୍ରୀ ଡାକ୍ତରଖାନା ପରିଦର୍ଶନ କରିଥିଲେ।
ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ରାଜେଶ ପାଟିଲଙ୍କ ସହ ମନ୍ତ୍ରୀ ରାଣେ କାଜୁଆଲିଟି ୱାର୍ଡରେ ପ୍ରବେଶ କରିଥିଲେ। ଯାହାକୁ ପରେ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଭାବରେ ଚିହ୍ନଟ କରାଯାଇଥିଲା। ଏହାପରେ ଚିଫ୍ ମେଡିକାଲ ଅଫିସରଙ୍କୁ ନାନା କଟୁ କଥା କହି ଗାଳି କରିଥିଲେ। ତାଙ୍କ ସ୍ଥାନରେ ଆଉ ଜଣେ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଅ ବୋଲି ରାଣେ କହିବା ସହିତ ଡାକ୍ତରଙ୍କୁ ପାଟ ବନ୍ଦ କରି ତାଙ୍କ ଆଗରେ ସିଧା ଛିଡ଼ା ହେବାକୁ ଧମକାଇଥିଲେ। ଏବଂ ସସ୍ପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଘଟଣାକୁ କଂଗ୍ରେସ କଡ଼ା ନିନ୍ଦା କରିଛି। ମନ୍ତ୍ରୀଙ୍କର ଏଭଳି ବ୍ୟବହାର ଉଚିତ୍ ନୁହେଁ ବୋଲି ଦଳ କହିଛି। ଗୋଆ ପ୍ରଦେଶ କଂଗ୍ରେସ କମିଟି (GPCC) ଏହି କାର୍ଯ୍ୟକୁ "ଅହଂକାର ଏବଂ ସ୍ୱେଚ୍ଛାଚାରିତାର ଲଜ୍ଜାଜନକ ପ୍ରଦର୍ଶନ" ବୋଲି କହିଛି। GPCC ସଭାପତି ଅମିତ ପାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ହେବା ପାଇଁ ରାଣେଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏବଂ ତାଙ୍କୁ ମାନସିକ ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେବାକୁ ସେ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତଙ୍କୁ ଅନୁରୋଧ କରିଛନ୍ତି।